ଭୁବନେଶ୍ୱର ୧୨/୦୨:ଆମ ସମସ୍ତଙ୍କ ଆଖାପାଖରେ ନକାରାତ୍ମକ କିମ୍ବା ସବୁବେଳେ ନିଜର ଦୁଃଖ ଗାଉଥିବା ଲୋକମାନେ ରହିଥାନ୍ତି । ତେଣିକି ସେମାନେ ଅଫିସ୍ରେ ହେଉ ଅବା ଘର ଆଖାପାଖରେ । ଏମାନଙ୍କ ପାଖରେ ଦୁଃଖର ଭଣ୍ଡାର ରହିଥାଏ । ମନୋବିଜ୍ଞାନରେ ଏଭଳି ଲୋକମାନଙ୍କୁ ‘ଭିକ୍ଟିମ୍ ମେଟାଲିଟି’ କୁହାଯାଏ । ପ୍ରଥମେ ପ୍ରଥମେ ଏଭଳି ଲୋକମାନଙ୍କ ପ୍ରତି ଦୟା ଆସିଥାଏ । ପରେ ଏମାନଙ୍କର ଏହି ଅଭ୍ୟାସ ଆପଣଙ୍କ ସକାରାତ୍ମକ ଶକ୍ତିକୁ ଶୋଷି ନେଇଥାଏ । ଯଦି ଆପଣ ଏପରି ଲୋକଙ୍କ ଯୋଗୁ ସମସ୍ୟାରେ ରହୁଥାନ୍ତି, ତେବେ ଏମାନଙ୍କ ସହ ଝଗଡା କରିବା ଓ ଲଢିବା ପରିବର୍ତ୍ତେ ସ୍ମାର୍ଟ ଉପାୟରେ ନିୟନ୍ତ୍ରଣ କରିବା ଶିଖି ନିଅନ୍ତୁ ।

ଭାବନାରେ ବୁଡି ନିଷ୍ପତ୍ତି ନିଅନ୍ତୁନି:ଯଦି ଏଭଳି ଲୋକ ନିଜର ଦୁଃଖ ଶୁଣାଉଥାନ୍ତି, ଶୁଣନ୍ତୁ କିନ୍ତୁ ସେମାନଙ୍କ କଥାରେ ଭାସନ୍ତୁନି । ଯଦି ଆପଣ ଏଭଳି ଲୋକଙ୍କୁ କହିବେ, ହଁ ତୋ ସହ ବହୁତ ଖରାପ ହୋଇଛି, ତେବେ ସେମାନେ ଆପଣଙ୍କ ମୁଣ୍ଡରେ ଚଢିବା ପରି କଥା କହିବେ । ତେଣୁ ସେମାନଙ୍କ କଥା ଶୁଣନ୍ତୁ କିନ୍ତୁ ଗୋଟିଏ ପଦରେ ଉତ୍ତର ଦିଅନ୍ତୁ । ଅଧିକ କିଛି କହିବାଠାରୁ ଦୂରେଇ ରୁହନ୍ତୁ । ଆପଣ ଅଧିକ ଭାବୁକ ହୁଅନ୍ତୁନି । ନଚେତ୍ ନକାରାତ୍ମକତାକୁ ଅଧିକ ସୁଯୋଗ ମିଳିଯିବ ।

ସମସ୍ୟା ନୁହେଁ, ସମାଧାନ ଉପରେ କଥା ହୁଅନ୍ତୁ:ଏହା ସବୁଠାରୁ ଭଲ ବିକଳ୍ପ । ଭିକ୍ଟିମ କାର୍ଡ ଖେଳୁଥିବା ଲୋକମାନେ ସବୁବେଳେ ସମସ୍ୟା ଉପରେ କଥା କହିବାକୁ ଚାହିଁଥାନ୍ତି, ସମାଧାନ ଉପରେ ନୁହେଁ । ଏବେ ଯଦି ସେମାନେ ଅଭିଯୋଗ ଆଣନ୍ତି, ତେବେ ଆପଣ ସିଧାସଳଖ ପଚାରନ୍ତୁ । ହଁ ତୁମ ସହ ଖୁବ୍ ଖରାପ ହୋଇଛି, ତେବେ ଏସବୁକୁ ଠିକ୍ କରିବା ପାଇଁ କଣ ଭାବିଛ? ଯଦି ଆପଣ ସମାଧାନର ବାଟ ପଚାରିବେ, ତେବେ ସେମାନେ ଅଭିଯୋଗଠାରୁ ଦୂରେଇଯିବେ । କାରଣ ସେମାନଙ୍କୁ ସମାଧାନ କରିବା ପସନ୍ଦ ହୋଇନଥାଏ, ତେଣୁ ଚୁପ୍ ହୋଇଯିବେ ।

ନିଜର ସୀମା ନିର୍ଦ୍ଧାରଣ କରନ୍ତୁ:ନକାରାତ୍ମକ ଲୋକମାନେ ଆପଣଙ୍କର ବହୁ ସମୟ ନଷ୍ଟ କରି ଦେଇଥାନ୍ତି । ତେଣୁ ଆପଣଙ୍କୁ ନିଜର ସୁରକ୍ଷା ନିଜେ କରିବାକୁ ପଡିବ । ତେଣୁ ଏଭଳି ଲୋକ ସାମ୍ନାରେ ପଡିଲେ କୁହନ୍ତୁ ଯେ ମୋ ପାଖରେ ସମୟ କମ୍ ଅଛି, ମୋତେ ଜରୁରି କାମ ଅଛି କହି ସେଠାରୁ ଖସିବାକୁ ପ୍ରୟାସ କରନ୍ତୁ । ଯେତେବେଳେ ଆପଣ ନିଜର ସୀମା ନିର୍ଦ୍ଧାରଣ କରିନେବେ, ତେବେ ସେମାନେ ନିଜର ନକାରାତ୍ମକ ଗୁଣ ଆପଣଙ୍କ ଉପରେ ଥୋପିବାରେ ସଫଳ ହୋଇପାରିବେ ନାହିଁ ।

ହୁଅନ୍ତୁନି ‘ସୁପରହିରୋ:ଅନେକ ସମୟରେ ଆମେ ଏପରି ନକାରାତ୍ମକ ଲୋକମାନଙ୍କୁ ସହଯୋଗ କରିବା ପାଇଁ ବାହାରିଆସିଥାଉ । ମନେ ରଖନ୍ତୁ ଏପରି ଲୋକମାନେ ‘ଆଦତ୍ ସେ ମଜବୁର’ । ତେଣୁ ଏମାନଙ୍କୁ ସହଯୋଗ କରିବା ଅର୍ଥାତ ନିଜ ପାଇଁ ସମସ୍ୟା କିଣିବା । ତେଣୁ ସେମାନଙ୍କୁ ନିଜ ଲଢାଇ ନିଜେ ଲଢିବାକୁ ଦିଅନ୍ତୁ । ନକାରାତ୍ମକତାର ବୋଝ ତାକୁ ହିଁ ବୋହିବାକୁ ଦିଅନ୍ତୁ । ନିଜେ ସୁପରହିରୋ ହୁଅନ୍ତୁନି ।

ନିଜ ଶକ୍ତିକୁ ସୁରକ୍ଷିତ ରଖନ୍ତୁ:ବାରମ୍ବାର ଏପରି ଲୋକଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଆପଣ ନିଜକୁ ଥକ୍କା ଓ ନକାରାତ୍ମକ ଅନୁଭବ କରିବେ । ତେଣୁ ଅଯଥାରେ ଏମାନଙ୍କ ପାଇଁ ନିଜ ଶକ୍ତିର ଅପଚୟ କରନ୍ତୁନାହିଁ । ଏମାନଙ୍କଠାରୁ ଯଥାସମ୍ଭବ ସାମାଜିକ ଦୂରତା ବଜାୟ ରଖନ୍ତୁ । ନିଜକୁ ସୁସ୍ଥ ରଖନ୍ତୁ ।