ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନଡିଏ ସରକାର ଗତ ଏକ ଦଶନ୍ଧି ଧରି ତା’ର ନିରବଚ୍ଛିନ୍ନ ପ୍ରଗତି ଯାତ୍ରା ଅବ୍ୟାହତ ରଖିଆସିଛି । ଏହି ଅବଧି ମଧ୍ୟରେ ଅନେକ ଲୋକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ନୀତିଗତ ସଂସ୍କାର ମାଧ୍ୟମରେ କେନ୍ଦ୍ର ସରକାର ଆର୍ଥିକ ପ୍ରଗତି, ରାଜନୈତିକ ଓ ସାମାଜିକ ସ୍ଥିରତା ଜରିଆରେ ଦେଶର ସବୁ ବର୍ଗର ଲୋକମାନଙ୍କ ମୁହଁରେ ହସ ଫୁଟାଇବାକୁ ସକ୍ଷମ ହୋଇଛନ୍ତି । ବୈଶ୍ୱିକ ଅସ୍ଥିରତା, ଯୁଦ୍ଧ, ଆର୍ଥିକ ମାନ୍ଦାବସ୍ଥା, ମହାମାରୀ ଏବଂ ଯୋଗାଣ ଶୃଙ୍ଖଳ ବ୍ୟାହତ ସତ୍ତ୍ଵେ ଭାରତ ଏକ ସୁଦୃଢ଼ ବିଶ୍ୱସନୀୟ ଶକ୍ତି ରୂପେ ମୁଣ୍ଡ ଟେକିଛି । ଦୁର୍ବଳ ପାଞ୍ଚ ଅର୍ଥନୀତି ପର୍ଯ୍ୟାୟରୁ ଦେଶ ବର୍ତ୍ତମାନ ଚତୁର୍ଥ ଆର୍ଥିକ ମହାଶକ୍ତିରେ ପରିଣତ ହୋଇଛି । ସମଗ୍ର ବିଶ୍ୱ ଭାରତ ଉପରେ ଆସ୍ଥା ପ୍ରକଟ କରିଛି । ଏ ସମ୍ପର୍କରେ ପି.ଟି.ଆଇ.କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାର

ପ୍ରଶ୍ନ: ବଜେଟ୍ ଘୋଷଣାରୁ ଏହା ଜଣାପଡୁଛି ଯେ ଭାରତ ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ପ୍ରତିରକ୍ଷା, କଣ୍ଟେନର, ବାୟୋ- ଫାର୍ମା ଏବଂ ବୟନଶିଳ୍ପ ଭଳି ଉତ୍ପାଦନ କ୍ଷେତ୍ରରେ ଦ୍ୱିଗୁଣିତ ପ୍ରଗତି  ହାସଲ କରିଛି । ପୂର୍ବ ପ୍ରୟାସ ଦ୍ୱାରା କ'ଣ ଫଳାଫଳ ମିଳିଛି ?  ଆପଣ କାହିଁକି ଭାବୁଛନ୍ତି ଯେ ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତି ଏବଂ  ଆର୍ଥିକ ଅଭିବୃଦ୍ଧି ପ୍ରଦାନ କରାଯିବାର ସମ୍ଭାବନା ଅଛି? 

ଉତ୍ତର: ଏହା ସମସ୍ତେ ଜାଣନ୍ତି ଯେ ଶିଳ୍ପାୟନ ଏବଂ ସହରୀକରଣ ସହିତ, ଗ୍ରାମୀଣ ଏବଂ ଅର୍ଦ୍ଧ-ଗ୍ରାମୀଣ ଅଞ୍ଚଳର ବହୁ ସଂଖ୍ୟକ ଯୁବବର୍ଗ ସହରକୁ ଯିବା ଏବଂ ବିଶ୍ୱସ୍ତରରେ ସଂଯୁକ୍ତ ଶିଳ୍ପରେ କାମ କରିବାକୁ ଆଗେଇ ଆସନ୍ତି । କେବଳ ଏକ ଉତ୍ପାଦନ ଏବଂ ସେବା ବିପ୍ଳବ ହିଁ ସେମାନଙ୍କର ଆକାଂକ୍ଷା  ପୂରଣ କରିପାରିବ । ଆମ ସରକାର ଆସିବା ପୂର୍ବରୁ ଏଗୁଡ଼ିକୁ ସମାଧାନ କରାଯିବା ଉଚିତ୍ ଥିଲା, କିନ୍ତୁ ଦୁର୍ଭାଗ୍ୟବଶତଃ, ପୂର୍ବ  ସରକାରଙ୍କ ସମୟରେ ଏହି ଦିଗରେ ବହୁତ କିଛି ଘଟିନଥିଲା । କିନ୍ତୁ ଆମେ ଆଭିମୁଖ୍ୟ ବଦଳାଇଛୁ ।  ଆମର ବିକଶିତ ଭାରତର ଦୃଷ୍ଟିକୋଣରେ ଉତ୍ପାଦନ ସର୍ବଦା କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି । ଯେକୌଣସି ଦେଶ  ଯିଏ ବ୍ୟାପକତାର ସହିତ ଏବଂ ଶୀଘ୍ର ବୃଦ୍ଧି ପାଇବାକୁ ଚାହେଁ,  ତାହା କେବଳ ଏକ ଗ୍ରାହକ ହୋଇ ରହି ଏହା କରିପାରିବ ନାହିଁ । ଏହାକୁ ଉଚ୍ଚମାନର, ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ସାମଗ୍ରୀର ଉତ୍ପାଦକ ହେବାକୁ ପଡିବ । ଏହି ବିଶ୍ୱାସ "ମେକ୍‌ ଇନ୍‌ ଇଣ୍ଡିଆ'ର ଶୁଭାରମ୍ଭ ଏବଂ ସମୟ ସହିତ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ ଯୋଜନା ଭଳି ଲକ୍ଷ୍ୟ ଆଧାରିତ ହସ୍ତକ୍ଷେପ ଆଡ଼କୁ ନେଇଯାଇଛି । ଏହି ପଦକ୍ଷେପଗୁଡ଼ିକ  ଏପରି ଉପକରଣ ଯାହା ଭାରତର ଶିଳ୍ପ ଭିତ୍ତିକୁ ପୁନଃନିର୍ମାଣ କରୁଛି, ଆମକୁ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଏକୀକୃତ କରୁଛି ଏବଂ ବଡ଼  ପରିମାଣରେ ନିଯୁକ୍ତି ସୃଷ୍ଟି କରୁଛି । ଆମେ ବିଶ୍ୱ ମୂଲ୍ୟ ଶୃଙ୍ଖଳାର ଅଂଶ ହେବା ପାଇଁ ଆବଶ୍ୟକ ଦକ୍ଷତା ବିକାଶ କରିବାରେ ଆମର  ଯୁବପିଢ଼ିଙ୍କୁ ସମର୍ଥନ କରିବା ନିମନ୍ତେ ମଧ୍ୟ କାର୍ଯ୍ୟ କରିଆସୁଛୁ ।  ଏହି ପ୍ରୟାସର ଫଳାଫଳ ଏବେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି ।

ସାମ୍ପ୍ରତିକ ବର୍ଷଗୁଡ଼ିକରେ ଭାରତର ସାମଗ୍ରୀ ରପ୍ତାନି ବାରମ୍ୱାର ପୂର୍ବ ରେକର୍ଡ ଭାଙ୍ଗିଛି । ଏକ ଦଶନ୍ଧି ପୂର୍ବେ ପ୍ରାୟ ସମସ୍ତ ମୋବାଇଲ୍‌ ଫୋନ୍‌ ଆମଦାନି କରୁଥିବା ଦେଶ ଆଜି ବିଶ୍ୱର ଦ୍ୱିତୀୟ ବୃହତ୍ତମ ମୋବାଇଲ୍‌ ଫୋନ୍‌ ନିର୍ମାତା ପାଲଟିଛି । ଉତ୍ପାଦନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରପ୍ତାନି କରାଯାଉଛି । ପ୍ରକୃତରେ, ବିଶ୍ୱବ୍ୟାପୀ ପ୍ରସିଦ୍ଧ ଫୋନ୍‌ ବ୍ରାଣ୍ଡଗୁଡ଼ିକ ଭାରତରେ ଉତ୍ପାଦିତ ହେଉଛି । ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଉଛି, ଭାରତ ଔଷଧର ଏକ ବିଶ୍ୱସ୍ତ ବିଶ୍ୱ ଯୋଗାଣକାରୀ, ଏବଂ ଆମର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ  ମଧ୍ୟ ବିସ୍ତାରିତ ହୋଇଛି ।

ବୟନଶିଳ୍ପ, ଇଞ୍ଜିନିୟରିଂ ସାମଗ୍ରୀ ଏବଂ ରାସାୟନିକ କ୍ଷେତ୍ରରେ ମଧ୍ୟ ସମାନ ପ୍ରଗତି ଦେଖାଯାଇପାରେ ।  ଖେଳଣା ଭଳି ଯେଉଁ କ୍ଷେତ୍ରଗୁଡ଼ିକୁ ଦିନେ ଅତି ହାଲୁକା  ଭାବେ ନିଆଯାଇଥିଲା, ସେଠାରେ ମଧ୍ୟ ପରିବର୍ତ୍ତନ ସ୍ପଷ୍ଟ । ଭାରତ  ବହୁତ ଦିନ ପୂର୍ବେ ଖେଳଣାର ଏକ ନିଟ୍‌ ଆମଦାନିକାରୀ ଥିଲା । ଆଜି, ଗତ ଦଶନ୍ଧି ମଧ୍ୟରେ ଖେଳଣା ରପ୍ତାନି ବହୁ ପରିମାଣରେ ବୃଦ୍ଧି ପାଇଛି । ଏହା ସମସ୍ତେ ଜାଣନ୍ତି ଯେ ଆମର ଯୁବ ଉଦ୍ଭାବକଙ୍କ ପାଇଁ  ଭାରତ ଏକ ଷ୍ଟାର୍ଟଅପ୍‌ ବିପ୍ଳବ ଦେଖିଛି । ଆମେ ଏକ ଦଶନ୍ଧି  ମଧ୍ୟରେ କେବଳ କିଛି ଶହ ଷ୍ଟାର୍ଟଅପ୍‌ରୁ ୨ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍‌ ଥିବା ଦେଶ ହୋଇପାରିଛୁ । ପ୍ରାୟତଃ, ଆମେ ଏଗୁଡ଼ିକୁ କେବଳ  ଟେକ୍‌ ଷ୍ଟାର୍ଟଅପ୍‌ ବୋଲି ଭାବୁ । କିନ୍ତୁ ଏଗୁଡ଼ିକ ମଧ୍ୟରେ, ଉତ୍ପାଦନ- ସମ୍ୱନ୍ଧୀୟ ଅନେକ ଷ୍ଟାର୍ଟଅପ୍‌ ଅଛି, ଯାହା ଆମ ଯୁବପିଢ଼ିଙ୍କ ପାଇଁ  ଆକର୍ଷଣୀୟ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ।  ଉତ୍ପାଦନ କ୍ଷେତ୍ରରେ ଏହି ଅଭିବୃଦ୍ଧି ଫଳରେ, ଆମର ଯୁବପିଢ଼ି  ପାଇଁ ବହୁ ସଂଖ୍ୟକ ନିଯୁକ୍ତି ସୃଷ୍ଟି ହୋଇଛି । ନିଯୁକ୍ତି ସୃଷ୍ଟି ଲାଗି ଉତ୍ପାଦନ ବିଶେଷ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଦକ୍ଷତା କ୍ଷେତ୍ର  ମଧ୍ୟରେ ନିଯୁକ୍ତି ସୃଷ୍ଟି କରେ । ପ୍ରତ୍ୟେକ ଉତ୍ପାଦନ ୟୁନିଟ୍‌ ସହାୟକ  ଶିଳ୍ପ, ଲଜିଷ୍ଟିକ୍ସ ଏବଂ ସେବାର ଏକ ବ୍ୟାପକ ଇକୋସିଷ୍ଟମ ମଧ୍ୟ  ସୃଷ୍ଟି କରେ । ଏହି ଉତ୍ପାଦନ ପୁନରୁତ୍ଥାନକୁ ଏକ ସାଂସ୍କୃତିକ ପରିବର୍ତ୍ତନ  ଦ୍ୱାରା ମଧ୍ୟ ସୁଦୃଢ଼ କରାଯାଇଛି । ଭାରତରେ ନିର୍ମିତ ଉତ୍ପାଦ  କିଣିବା ପାଇଁ ନାଗରିକମାନଙ୍କ ମଧ୍ୟରେ ଗୌରବ ବୃଦ୍ଧି ପାଉଛି ।  ତେଣୁ, ଗତ ୧୦-୧୧ ବର୍ଷ ମଧ୍ୟରେ, ଆମର ନୀତି, ଉତ୍ପାଦନ  ଏବଂ ଜନସାଧାରଣଙ୍କ ଭାବନା ଉତ୍ପାଦନ ଲାଗି ଆଶ୍ଚର୍ଯ୍ୟଜନକ  କାର୍ଯ୍ୟ କରିବା ପାଇଁ ଏକାଠି ହୋଇଛି । ପୁରୁଣା ଶିଳ୍ପ କ୍ଲଷ୍ଟରଗୁଡ଼ିକୁ ସମର୍ଥନ କପଡ଼ା, ପୋଷାକ,  ଚମଡ଼ା ଓ ଜୋତା, ଇଞ୍ଜିନିୟରିଂ ସାମଗ୍ରୀ, ରାସାୟନିକ ସାମଗ୍ରୀ ଏବଂ  ପାରମ୍ପରିକ ହସ୍ତଶିଳ୍ପ ଭଳି କ୍ଷେତ୍ରଗୁଡ଼ିକୁ ସାହାଯ୍ୟ କରିବ । ଫାର୍ମା  କ୍ଷେତ୍ର ଆମର ଅଭିବୃଦ୍ଧିରେ ଏକ ଦୃଢ଼ ଅବଦାନକାରୀ ହୋଇଛି । ବାୟୋଫାର୍ମା ଶକ୍ତି ପଦକ୍ଷେପ ଏହାକୁ ଆହୁରି ପ୍ରୋତ୍ସାହିତ କରିବ ।  ଆମେ ପାରମ୍ପରିକ ଶକ୍ତି ବାହାରେ ଭାରତର ଉତ୍ପାଦନ  ପୋର୍ଟଫୋଲିଓକୁ ବିସ୍ତାର କରିବା ପାଇଁ ସଚେତନ ଭାବେ କାର୍ଯ୍ୟ  କରିଛୁ । ଆମେ ରଣନୀତିକ ଏବଂ ଉଦୀୟମାନ କ୍ଷେତ୍ର ଆଡ଼କୁ  ଅଗ୍ରସର ହେଉଛୁ । ଭାରତ ଭବିଷ୍ୟତର ଅର୍ଥ ବ୍ୟବସ୍ଥାକୁ  ପରିଭାଷିତ କରୁଥିବା କ୍ଷେତ୍ରରେ ଆମଦାନି ଉପରେ ନିର୍ଭରଶୀଳ  ନ ରହିବା ଗୁରୁତ୍ୱପୂର୍ଣ୍ଣ ।

ବଜେଟ୍‌ ୨୦୨୬ ଏହି ଉତ୍ପାଦନ ରଣନୀତିକୁ ଆହୁରି ଆଗକୁ ନେଇଥାଏ । ଏହା ବିରଳ ମୃତ୍ତିକା,  ସେମିକଣ୍ଡକ୍ଟର ଏବଂ କଣ୍ଟେନର ଉତ୍ପାଦନ ଭଳି ରଣନୀତିକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ସମର୍ଥନ କରେ ।  ରେକର୍ଡ ପୁଞ୍ଜି ବ୍ୟୟବରାଦ ଉତ୍ପାଦନ କ୍ଷେତ୍ର ପାଇଁ ମଧ୍ୟ  ଲାଭଦାୟକ ହେବ । ଏକତ୍ରିତ ଭାବେ ଦେଖିଲେ, ବଜେଟ୍‌ ୨୦୨୬  ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା, ମୂଲ୍ୟ ବୃଦ୍ଧିକୁ ବିସ୍ତାର  କରିବା ଏବଂ ଦକ୍ଷତା ଓ ବ୍ୟାପକତାକୁ ଏକତ୍ରିତ କରିବା ପାଇଁ  ପରିବେଶ ସୃଷ୍ଟି କରିବା ଉପରେ ଆଧାରିତ । ଏହାର ଶେଷ  ଫଳାଫଳ ସ୍ୱରୂପ ଆତ୍ମନିର୍ଭରତା ଏବଂ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ ।  ତଥାପି, ମୁଁ ଏହି ସୁଯୋଗକୁ ଗତିଶୀଳ ଘରୋଇ କର୍ପୋରେଟ୍‌ କ୍ଷେତ୍ରକୁ ଅନୁରୋଧ କରିବାକୁ ଚାହେଁ । ନୀତି କେବଳ ସକ୍ଷମ  ଢାଞ୍ଚା ସୃଷ୍ଟି କରିପାରିବ । ପରିବର୍ତ୍ତନର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ  ଘରୋଇ କ୍ଷେତ୍ରରୁ ଏକ ନିର୍ଣ୍ଣାୟକ ପ୍ରତିକ୍ରିୟା ଆସିବା ଆବଶ୍ୟକ ।  ଭାରତୀୟ ଫାର୍ମଗୁଡ଼ିକୁ ଗବେଷଣା ଓ ବିକାଶରେ ଅଧିକ ଆକ୍ରମଣାତ୍ମକ ଭାବେ ନିବେଶ କରିବାକୁ ପଡିବ, ଫ୍ରଣ୍ଟିୟର  ଟେକ୍ନୋଲୋଜି ଗ୍ରହଣ କରିବାକୁ ପଡିବ, ଯୋଗାଣ-ଶୃଙ୍ଖଳ  କ୍ଷମତାକୁ ଗଭୀର କରିବାକୁ ପଡିବ ଏବଂ ସୁରକ୍ଷିତ ସୀମା ବଦଳରେ  ଗୁଣବତ୍ତା ଓ ଉତ୍ପାଦକତା ଉପରେ ପ୍ରତିଯାଗିତା କରିବାକୁ ପଡିବ ।  ପ୍ରୋତ୍ସାହନ ଏବଂ ଶୁଳ୍କ ପ୍ରାଥମିକତା ବିକାଶକୁ ତ୍ୱରାନ୍ୱିତ କରିପାରିବ, କିନ୍ତୁ ଦୀର୍ଘସ୍ଥାୟୀ ପ୍ରତିଯୋଗିତା ନବସୃଜନ, ଦକ୍ଷତା ଓ ବ୍ୟାପକତା  ଉପରେ ନିର୍ଭର କରିବା ଉଚିତ । ଅନୁରୂପ ଭାବେ, ଉତ୍ପାଦକତା ବୃଦ୍ଧି ପାଇବା ସହିତ, ଲାଭକୁ  ଶ୍ରମିକ, ଅଂଶୀଦାର ଏବଂ ମାଲିକ-ପରିଚାଳକଙ୍କ ମଧ୍ୟରେ ନିରପେକ୍ଷ ଭାବରେ ବାଣ୍ଟିବା ଆବଶ୍ୟକ । ଦୀର୍ଘସ୍ଥାୟୀ ଅଭିବୃଦ୍ଧି ପାଇଁ ସାମାଜିକ  ବୈଧତା ଆବଶ୍ୟକ । ବର୍ଦ୍ଧିତ ପ୍ରକୃତ ମଜୁରି, ଦକ୍ଷତା ବିକାଶ ଏବଂ ସ୍ଥିର ନିଯୁକ୍ତି ଘରୋଇ ଚାହିଦା ଏବଂ ସାମାଜିକ ସଂହତିକୁ  ସୁଦୃଢ଼ କରିଥାଏ, ଯାହା ଫଳରେ ଦୀର୍ଘକାଳୀନ ନିବେଶକୁ ସମର୍ଥନ  ମିଳିପାରିବ ।  ସରକାର ଭିତ୍ତିଭୂମି, ମାକ୍ରୋ ସ୍ଥିରତା, ନିୟାମକ ସଂସ୍କାର  ଏବଂ ବାଣିଜ୍ୟ ପ୍ରବେଶ ଉପରେ ଧ୍ୟାନ ଦେଇଛନ୍ତି । ଭାରତୀୟ  ଉଦ୍ୟୋଗ କେତେ ସାହସିକ ଭାବେ ନବସୃଜନରେ ନିବେଶ କରେ, ଦୀର୍ଘକାଳୀନ କ୍ଷମତା ନିର୍ମାଣ କରେ ଏବଂ ନିଜକୁ ବିଶ୍ୱସ୍ତରୀୟ  ପ୍ରତିଯୋଗିତାମୂଳକ, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଆତ୍ମବିଶ୍ୱାସୀ ଏବଂ  ଅଭିବୃଦ୍ଧିର ସାମାଜିକ ଦାୟିତ୍ୱପୂର୍ଣ୍ଣ ଇଞ୍ଜିନ ଭାବେ ସ୍ଥାନିତ କରେ  ତାହା ଉପରେ ୨୦୪୭ ସୁଦ୍ଧା ବିକଶିତ ଭାରତ ଆଡ଼କୁ ପରବର୍ତ୍ତୀ  ଲମ୍ଫ ନିର୍ଭର କରିବ । 

ପ୍ରଶ୍ନ: ସେହିପରି, ଆଇଟି କ୍ଷେତ୍ର ଏବଂ ଡାଟା ସେଣ୍ଟରଗୁଡ଼ିକୁ  କିଛି ଟିକସ ପ୍ରୋତ୍ସାହନ ପ୍ରଦାନ କରାଯାଇଛି । ଏହା ଏକ ଟେକ୍‌  ପାୱାରହାଉସ୍‌ ଏବଂ ଏକ ଅଗ୍ରଣୀ ଏଆଇ ଦେଶ ହେବା ପାଇଁ  ଭାରତର ଦୀର୍ଘକାଳୀନ ଦୃଷ୍ଟିକୋଣକୁ କିପରି ସାହାଯ୍ୟ କରିବ? 

ଉତ୍ତର: ବିଶ୍ୱ ଏହାର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି । ବର୍ତ୍ତମାନ, ଦେଶଗୁଡ଼ିକ କେବଳ ଡିଜିଟାଲ ପ୍ରଯୁକ୍ତି ଗ୍ରହଣରେ ସନ୍ତୁଷ୍ଟ ହୋଇପାରିବେ ନାହିଁ ବରଂ ଡିଜିଟାଲ ନେତୃତ୍ୱ ପାଇଁ ମଧ୍ୟ ସେମାନଙ୍କୁ ଆକାଂକ୍ଷା କରିବାକୁ  ପଡିବ । ଆମେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଦେଖିଲୁ, କେବଳ  ଡିଜିଟାଲ ନେତୃତ୍ୱ ସହିତ ଡିଜିଟାଲ ଅନ୍ତର୍ଭୁକ୍ତିକରଣ ସମ୍ଭବ ।  ଶିଳ୍ପ ବିପ୍ଳବ ସମୟରେ, ଉପନିବେଶୀକରଣ ଯୋଗୁ ଆମେ  ପଛରେ ପଡ଼ିଯାଇଥିଲୁ । ପ୍ରାରମ୍ଭିକ ଉତ୍ପାଦନ ବିପ୍ଳବ ସମୟରେ,  ସ୍ୱାଧୀନତା ପରବର୍ତ୍ତୀ ସରକାରମାନଙ୍କ ଅବହେଳା ଯୋଗୁ ଆମେ  ପଛରେ ପଡ଼ିଯାଇଥିଲୁ । କିନ୍ତୁ ବର୍ତ୍ତମାନ, ଏହି ପ୍ରଯୁକ୍ତିବିଦ୍ୟା ଏବଂ ତଥ୍ୟ ଆଧାରିତ ବିପ୍ଳବରେ, ଆମେ ନେତୃତ୍ୱ ନେବା ଗୁରୁତ୍ୱପୂର୍ଣ୍ଣ । ୧୪୦ କୋଟି ଆକାଂକ୍ଷୀ ଜନସଂଖ୍ୟା ସହିତ ଭାରତ ବିଶ୍ୱର  ସବୁଠାରୁ ବଡ଼ ତଥ୍ୟ ବା ଡାଟା ସୃଷ୍ଟିକାରୀ ଏବଂ ତଥ୍ୟ ଗ୍ରାହକ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ । ଆମେ ବିଶ୍ୱର ସବୁଠାରୁ ବିବିଧ ରାଷ୍ଟ୍ର ମଧ୍ୟରୁ ଗୋଟିଏ, ଏବଂ ଆମର ତଥ୍ୟ ମଧ୍ୟ ଏହି ବିବିଧତାକୁ  ପ୍ରତିଫଳିତ କରେ । ଏତେ ବିଶାଳ ଏବଂ ବିବିଧ ତଥ୍ୟ ଭଣ୍ଡାରରେ ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏହାକୁ ସୁରକ୍ଷିତ ଏବଂ ଉତ୍ପାଦନଶୀଳ ଭାବେ ବ୍ୟବହାର କରିପାରିଲେ ଏହାର ଲାଭ  ମିଳିପାରିବ । ତେଣୁ, ଆମେ ସୁରକ୍ଷା, ଦକ୍ଷତା, ସଫ୍ଟୱେର୍‌ ଏବଂ  ଭିତ୍ତିଭୂମି ସମେତ ତଥ୍ୟ ଇକୋସିଷ୍ଟମର ପ୍ରତ୍ୟେକ ଦିଗ ପ୍ରତି ଧ୍ୟାନ  ଦେଉଛୁ । ସୁରକ୍ଷା ପାଇଁ ଆମେ ନାଗରିକମାନଙ୍କୁ ସଶକ୍ତ କରୁଥିବା  ଏକ ନିରାପଦ, ସୁରକ୍ଷିତ, ଗୋପନୀୟତା-ସୁରକ୍ଷାକାରୀ, ଅଧିକାର ଭିତ୍ତିକ ଢାଞ୍ଚା ନିର୍ମାଣ କରିବା ପାଇଁ ଡିଜିଟାଲ୍‌ ବ୍ୟକ୍ତିଗତ ତଥ୍ୟ  ସୁରକ୍ଷା ଆଇନ ଆଣିଛୁ ।

ଦକ୍ଷତା ଏବଂ ସଫ୍ଟୱେର୍‌ ପାଇଁ, ଡାଟା  ସାଇନ୍ସ କ୍ଷେତ୍ରରେ ଭାରତୀୟ ଯୁବପିଢ଼ିଙ୍କ ପ୍ରତିଭା ବିଶ୍ୱପ୍ରସିଦ୍ଧ । ଡାଟା  ସେଣ୍ଟରଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଏହି ଇକୋସିଷ୍ଟମର ଭିତ୍ତିଭୂମି ଅଂଶକୁ ପୂରଣ କରେ ।  ଯେତେବେଳେ ଆମେ ପ୍ରଯୁକ୍ତିବିଦ୍ୟା ବିଷୟରେ ଚିନ୍ତା କରୁ, ଆମେ ପ୍ରାୟତଃ ଦୃଶ୍ୟମାନ ବିଷୟଗୁଡ଼ିକ ଉପରେ ଧ୍ୟାନ ଦେଇଥାଉ, ଯେପରିକି ଆପ୍ଲିକେସନ୍‌, ପ୍ଲାଟଫର୍ମ ଏବଂ ଡିଭାଇସ୍‌ । କିନ୍ତୁ ସମାନ ଭାବେ ଫାଉଣ୍ଡେସନାଲ ଲେୟର ବା ମୂଳଦୁଆ ସ୍ତର ଗୁରୁତ୍ୱପୂର୍ଣ୍ଣ ଯାହା ଏପରି ସମସ୍ତ ଜିନିଷକୁ ସମ୍ଭବ କରିଥାଏ । ଡାଟା ସେଣ୍ଟରଗୁଡ଼ିକ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ତର । ଯେତେବେଳେ ଆମେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇର କ୍ଷେତ୍ରକୁ  ଦେଖୁ, ଏହାର ଗୁରୁତ୍ୱ ଆହୁରି ସ୍ପଷ୍ଟ ହୋଇଯାଏ । ଏଆଇ ପାଇଁ  କମ୍ପ୍ୟୁଟିଂ ଶକ୍ତି ଓ ଡାଟା ସେଣ୍ଟର ଭିତ୍ତିଭୂମି ଆବଶ୍ୟକ । ଆଜି କ୍ଷମତା ବିସ୍ତାର କରି, ଆମେ ଏକ ସମୃଦ୍ଧ ଭାରତୀୟ ଏଆଇ ଇକୋସିଷ୍ଟମ୍‌ ପାଇଁ ମୂଳଦୁଆ ସ୍ଥାପନ କରୁଛୁ । ଏହି ସମ୍ଭାବନାକୁ ଚିହ୍ନଟ କରିବା ଲାଗି, ନିକଟ ଅତୀତରେ  ଅନ୍ତର୍ଜାତୀୟ ଏବଂ ଭାରତୀୟ କମ୍ପାନୀଗୁଡ଼ିକ ଦ୍ୱାରା ଏହି କ୍ଷେତ୍ରରେ  ପ୍ରମୁଖ ନିବେଶ ଘୋଷଣା କରାଯାଇସାରିଛି । ବଜେଟରେ ଘୋଷିତ  ଟିକସ ପ୍ରୋତ୍ସାହନ ଏହି କ୍ଷେତ୍ରରେ ନିବେଶକୁ ତ୍ୱରାନ୍ୱିତ କରିବା,  ଉନ୍ନତ ସୁବିଧା କେନ୍ଦ୍ର ନିର୍ମାଣର ମୂଲ୍ୟ ହ୍ରାସ କରିବା ଏବଂ ଭାରତକୁ ଡାଟା ଭିତ୍ତିଭୂମି ପାଇଁ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଗନ୍ତବ୍ୟସ୍ଥଳ  ଭାବରେ ସ୍ଥାନିତ କରିବା ପାଇଁ ଡିଜାଇନ୍‌ କରାଯାଇଛି । ଏହାର  ପରିଣାମସ୍ୱରୂପ, ଆମର ଯୁବପିଢ଼ି ପାଇଁ ମଧ୍ୟ ବିପୁଳ ସଂଖ୍ୟକ  ନିଯୁକ୍ତି ସୃଷ୍ଟି ହେବ! ଭାରତରେ ସାରା ବିଶ୍ୱର ଡାଟାକୁ ସ୍ଥାନିତ  କରିବା ଲାଗି ଆମେ ଆମନ୍ତ୍ରଣ କରୁଛୁ !  

ପ୍ରଶ୍ନ: ବଜେଟରେ ପ୍ରତିରକ୍ଷା ବ୍ୟୟରେ ଉଲ୍ଲେଖନୀୟ ବୃଦ୍ଧି  ଘଟିଛି । ଏହା କ'ଣ ଅପରେସନ୍‌ ସିନ୍ଦୂରର ସଫଳତା ଏବଂ ଶିକ୍ଷାର  ପରିଣାମ? ଏହା କ'ଣ ଆମର ପଡ଼ୋଶୀମାନଙ୍କ ପ୍ରତି ଅବିଶ୍ୱାସ  ଜାରି ରହିବାକୁ ମଧ୍ୟ ସୂଚିତ କରେ ଏବଂ ପାକିସ୍ତାନ ସହିତ ଆଉ  ଏକ ଯୁଦ୍ଧର ବିପଦ କେତେ ବାସ୍ତବ?  

ଉତ୍ତର: ଚଳିତ ବର୍ଷର ବଜେଟରେ, ପ୍ରତିରକ୍ଷା କ୍ଷେତ୍ର ପାଇଁ ରେକର୍ଡ ୭.୮୫ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହା ପୂର୍ବ ବଜେଟ୍‌ ତୁଳନାରେ ୧୫% ଅଧିକ ଏବଂ ଏହା କୌଣସି  ମନ୍ତ୍ରଣାଳୟ କିମ୍ୱା ବିଭାଗକୁ ଆବଣ୍ଟିତ ସର୍ବାଧିକ ଅର୍ଥରାଶି । ଯଦି ଆପଣ ବିସ୍ତୃତ ଭାବରେ ନଜର ପକାନ୍ତି, ତେବେ କିଛି  ଉଲ୍ଲେଖନୀୟ ଦିଗ ମଧ୍ୟ ଅଛି । ଆଧୁନିକୀକରଣ ପାଇଁ ୧.୮୫ ଲକ୍ଷ  କୋଟି ଟଙ୍କା ଆବଣ୍ଟିତ ହୋଇଛି, ଯାହା ଗତ ବର୍ଷର ଆବଣ୍ଟନଠାରୁ ୨୫% ଅଧିକ । ତିନୋଟି ବାହିନୀ ପାଇଁ ପୁଞ୍ଜି ବ୍ୟୟ ଆବଣ୍ଟନ ପ୍ରାୟ ୨.୨୦ ଲକ୍ଷ କୋଟି ଟଙ୍କା ରହିଛି  ।  ଏହି ୨.୨ ଲକ୍ଷ କୋଟି ଟଙ୍କା ମଧ୍ୟରୁ ୭୫% ଘରୋଇ ପ୍ରତିରକ୍ଷା  ଶିଳ୍ପଗୁଡ଼ିକରୁ କ୍ରୟ ପାଇଁ ସଂରକ୍ଷିତ ଅଛି ।  ଏହା କେବଳ ସୁରକ୍ଷାକୁ ବୃଦ୍ଧି କରେ ନାହିଁ ବରଂ ନିଯୁକ୍ତି ସୃଷ୍ଟି  କରେ ଏବଂ ଆମର ଶିଳ୍ପ ଭିତ୍ତିଭୂମିକୁ ମଜବୁତ କରେ । ଫଳାଫଳ ପୂର୍ବରୁ ଦୃଶ୍ୟମାନ ହୋଇଛି: ପ୍ରତିରକ୍ଷା ରପ୍ତାନି ୨୩,୦୦୦ କୋଟି  ଟଙ୍କା ଅତିକ୍ରମ କରିଛି, ଯାହା ଗତ ଦଶନ୍ଧରେ ପ୍ରାୟ ୩୫ ଗୁଣ  ବୃଦ୍ଧି ଏବଂ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ ରେକର୍ଡ ସ୍ତର ଛୁଇଁଛି ।  ଆମେ ଆମର ପୂର୍ବତନ ସୈନିକଙ୍କ କଲ୍ୟାଣ ପ୍ରତି ଅତ୍ୟନ୍ତ  ସମ୍ୱେଦନଶୀଳ । ତେଣୁ, ସ୍ୱାସ୍ଥ୍ୟସେବା ଯୋଜନା ପାଇଁ ଆବଣ୍ଟନ ୧୨ ହଜାର କୋଟି ଟଙ୍କା ଅତିକ୍ରମ କରିଛି । ପ୍ରତିଶତ ଦୃଷ୍ଟିରୁ,  ଏହା ୪୫% ବୃଦ୍ଧି । କିନ୍ତୁ, ଆହୁରି କିଛି ଅଛି ଯାହା ମୁଁ ରେକର୍ଡରେ  ରଖିବାକୁ ଚାହେଁ...  ପ୍ରଥମ ଦିନରୁ, ଆମ ସରକାର ସ୍ପଷ୍ଟ ଭାବରେ କହିଆସିଛି -  ଆମର ପ୍ରତିରକ୍ଷା ବାହିନୀକୁ ସମର୍ଥନ କରିବା ଏବଂ ସେମାନଙ୍କୁ  ସୁଦୃଢ଼ କରିବା ପାଇଁ ଯାହା ଆବଶ୍ୟକ ଆମେ ତାହା କରିବୁ । ହଁ,  ଏହିବର୍ଷର ଆବଣ୍ଟନ ରେକର୍ଡ ସର୍ବାଧିକ, କିନ୍ତୁ ଏହାକୁ ପୃଥକ  ଭାବରେ ଦେଖିବା କେବଳ ଏକ ସୀମିତ ଦୃଷ୍ଟିକୋଣ ପ୍ରଦାନ  କରେ । ଆପଣଙ୍କ ମନେ ଥିବ ଯେ ଆମ ସରକାର ଚାରି ଦଶନ୍ଧି ଧରି ପଡ଼ି ରହିଥିବା ଓଆରଓପି ଦାବି ପୂରଣ କରିଥିଲା ।

ଅନେକ  ଦଶନ୍ଧି ଧରି ଦେଶକୁ ଶାସନ କରୁଥିବା ଲୋକମାନେ କେବଳ ନିଜ  ପକେଟକୁ ସମୃଦ୍ଧ କରିବା ପାଇଁ ପ୍ରତିରକ୍ଷା କ୍ଷେତ୍ରକୁ ବ୍ୟବହାର  କରିଥିଲେ, ଯାହା ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ ପ୍ରତିରକ୍ଷା  ସମ୍ୱନ୍ଧୀୟ ଦୁର୍ନୀତି ଦ୍ୱାରା ପ୍ରମାଣିତ । ଏହା ଆମ ପାଇଁ ସବୁଠାରୁ  ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଅନ୍ୟତମ ।  ଯେହେତୁ ପ୍ରଯୁକ୍ତିବିଦ୍ୟା ବିଶ୍ୱକୁ ନୂଆ ଆକାର ଦେଉଛି, ଆମର  ସଶସ୍ତ୍ର ବାହିନୀକୁ ଭାରତୀୟ ନବସୃଜନ ଏବଂ ଶିଳ୍ପର ସର୍ବୋତ୍ତମ  ସାମଗ୍ରୀ ସହିତ ସଜ୍ଜିତ ହେବାକୁ ପଡିବ । ଆମ ରାଷ୍ଟ୍ର ବିଶ୍ୱରେ  କ୍ରମାଗତ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି, ଆମର କର୍ତ୍ତବ୍ୟ ହେଉଛି, ଆମେ ବର୍ତ୍ତମାନର ବାସ୍ତବତା ସହିତ ଆମର  ପ୍ରତିରକ୍ଷା କ୍ଷେତ୍ରକୁ ଆଧୁନିକୀକରଣ କରିବା । ଆମେ ଗତ ୧୧ ବର୍ଷ  ଧରି ଏହି କ୍ଷେତ୍ରରେ ଆଧୁନିକୀକରଣ ଏବଂ ଆତ୍ମନିର୍ଭରଶୀଳତା  ଉପରେ କାମ କରୁଛୁ । ବର୍ତ୍ତମାନ ଏହି କ୍ଷେତ୍ରରେ କାମ କରୁଥିବା  ଷ୍ଟାର୍ଟଅପ୍‌ ସଂଖ୍ୟା ଦେଖନ୍ତୁ । ଆମେ ଭାରତୀୟ ପ୍ରତିଭାକୁ ଆମ  ସେନାକୁ ସମର୍ଥନ କରିବା ଏବଂ ଏକ ଶକ୍ତିଶାଳୀ ଭାରତ ପାଇଁ  ଯୋଗଦାନ ଦେବାର ସୁଯୋଗ ଦେବାରେ ବିଶ୍ୱାସ କରୁ । 

ଆପଣଙ୍କ ପ୍ରଶ୍ନର ଦ୍ୱିତୀୟ ଭାଗ ଅପରେସନ ସିନ୍ଦୂର ସହ  ଜଡିତ... ଅପରେସନ ସିନ୍ଦୂର ସମୟରେ ଆମର ସଶସ୍ତ୍ର ବାହିନୀ  ଦେଖାଇଥିବା ସାହସ ପାଇଁ ସମଗ୍ର ଦେଶ ଗର୍ବିତ । ଅପରେସନ  ସମୟରେ ଗତ ଦଶନ୍ଧୀରେ ଆମେ କରିଥିବା ସଂସ୍କାରର ଲାଭ ଦେଖିବାକୁ ମିଳିଛି । ତେଣୁ ପ୍ରତିରକ୍ଷା ବଜେଟ୍‌, ଆଧୁନିକୀକରଣ,  ଇତ୍ୟାଦି, ଏସବୁ ଆମର ନିରନ୍ତର ପ୍ରୟାସର ଅଂଶ ଏବଂ ଏହାକୁ  କୌଣସି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ସହିତ ଯୋଡିବା ଆବଶ୍ୟକ ନାହିଁ ।  ହଁ, ବାସ୍ତବତା ହେଉଛି ଯେ ଆମ ଦେଶକୁ ସବୁବେଳେ ଦୃଢ଼  ଏବଂ ପ୍ରସ୍ତୁତ ରହିବାକୁ ପଡିବ, ଏବଂ ଆମେ ତାହା କରୁଛୁ । 

ପ୍ରଶ୍ନ: ଭାରତର "ସଂସ୍କାର ଏକ୍ସପ୍ରେସ' ଅନେକ କ୍ଷେତ୍ରରେ  ପ୍ରଗତି ହାସଲ କରିବାରେ ଲାଗିଛି । ଆପଣ କ'ଣ ଏହି ପ୍ରଗତିରେ  ସନ୍ତୁଷ୍ଟ ? ଏହା ସଡ଼କରେ ଥିବା ଜଣେ ସାଧାରଣ ଲୋକଙ୍କୁ କିପରି  ସାହାଯ୍ୟ କରିଛି ? ଯଦି ଆପଣଙ୍କୁ ଆଗାମୀ ଦଶନ୍ଧି ପାଇଁ କେବଳ ତିନୋଟି ଅର୍ଥନୈତିକ ସଂସ୍କାରକୁ ପ୍ରାଥମିକତା ଦେବାକୁ ପଡ଼େ,  ତେବେ ସେଗୁଡ଼ିକ କ'ଣ ହେବ ?

ଉତ୍ତର: ଆପଣ ପଚାରିଛନ୍ତି ଯେ ମୁଁ ସଂସ୍କାର ଏକ୍ସପ୍ରେସରେ ହୋଇଥିବା ଅଗ୍ରଗତିରେ ସନ୍ତୁଷ୍ଟ କି ? ମୁଁ କହିବାକୁ ଚାହୁଁଛି ଯେ  ସ୍ୱଭାବତଃ, ମୁଁ କେବେବି ସମ୍ପୂର୍ଣ୍ଣ ସନ୍ତୁଷ୍ଟ ନୁହେଁ । ମୁଁ ବିଶ୍ୱାସ କରେ  ଯେ ସାର୍ବଜନୀନ ଜୀବନ ଏକ ନିର୍ଦ୍ଦିଷ୍ଟ ଗଠନମୂଳକ ସ୍ଥିରତା, ଅଧିକ  କରିବା, ଦ୍ରୁତ ଉନ୍ନତି କରିବା, ଭଲ ସେବା କରିବା ପାଇଁ ଏକ ନିରନ୍ତର ଆଗ୍ରହ ଆବଶ୍ୟକ କରେ । ତେଣୁ ହଁ, ଆମ ଲୋକଙ୍କ  ପାଇଁ ଅଧିକ ହାସଲ କରିବା ଏବଂ ଆମ ଦେଶକୁ ଆଗକୁ ନେବା  ଲାଗି ସର୍ବଦା ଏକ ଦୃଢ଼ ଇଚ୍ଛା ରହିଥାଏ ।  ସେହି ସମୟରେ, ସଂସ୍କାର ଏକ୍ସପ୍ରେସର ଯାତ୍ରାରେ ହାସଲ  ହୋଇଥିବା ପ୍ରଗତିର ପରିମାଣକୁ ସ୍ୱୀକାର କରିବା ଗୁରୁତ୍ୱପୂର୍ଣ୍ଣ । ସଂସ୍କାର ହେଉଛି ଏ ସରକାରଙ୍କ ପ୍ରତିବଦ୍ଧତା, ଯାହାକୁ ଆମେ ଉଦ୍ଦେଶ୍ୟ ଏବଂ କାର୍ଯ୍ୟରେ କରି ଦେଖାଇଛୁ । ମୁଁ ଗର୍ବର ସହିତ  କହୁଛି ଯେ ଆମେ ଚିରାଚରିତ ଚଳେଇ ନେବା ବ୍ୟବସ୍ଥାକୁ ବଦଳାଇ  ଆଗକୁ ବଢ଼ିପାରିଛୁ । ଏହାର ଅନେକ ଉଦାହରଣ ରହିଛି: ଜିଏସଟି ସଂସ୍କାରକୁ ଦେଖନ୍ତୁ । ଦୁଇ-ସ୍ଲାବ୍‌ ବ୍ୟବସ୍ଥା ସାଧାରଣ  ପରିବାର, ଏମଏସଏମଇ ଏବଂ ଶ୍ରମ-କୈନ୍ଦ୍ରିକ କ୍ଷେତ୍ରଗୁଡ଼ିକର  ବୋଝକୁ ହାଲୁକା କରିଛି । ଆମେ ଛୋଟ କମ୍ପାନୀଗୁଡ଼ିକର ପରିଭାଷା  ପରିବର୍ତ୍ତନ କରିଛୁ, ଯାହା ଅନୁପାଳନ ଖର୍ଚ୍ଚ ହ୍ରାସ କରିବାରେ  ସାହାଯ୍ୟ କରିଛି ।

ବୀମାରେ ୧୦୦% ବିଦେଶୀ ପୁଞ୍ଜିନିବେଶକୁ ଅନୁମତି ଦେଉଥିବା ଏଫଡିଆଇ ସଂସ୍କାର ଲୋକଙ୍କ ପାଇଁ ବିଶେଷକରି  ମଧ୍ୟବିତ୍ତ ବର୍ଗ ନିମନ୍ତେ ଉତ୍ତମ ବିକଳ୍ପ ସୃଷ୍ଟି କରିଛି । ଅନେକ  ପୁରୁଣା ଆଇନ ଏବେ ଇତିହାସ ପାଲଟିଛି । ପୂର୍ବରୁ ଦକ୍ଷତା  ବିକାଶ, ମତ୍ସ୍ୟପାଳନ, ସମବାୟ ଏବଂ ଆୟୁଷ ଭଳି ଗୁରୁତ୍ୱପୂର୍ଣ୍ଣ  କ୍ଷେତ୍ରଗୁଡ଼ିକର ବିକାଶ ଉପରେ ବିଶେଷ ଭାବରେ ଧ୍ୟାନ ଦେଉଥିବା କୌଣସି ମନ୍ତ୍ରଣାଳୟ ନଥିଲା । ଆମେ ଏହାକୁ ପରିବର୍ତ୍ତନ କରିଛୁ  ଏବଂ ବର୍ତ୍ତମାନ ଏହି ପ୍ରତ୍ୟେକ କ୍ଷେତ୍ର ସମୃଦ୍ଧ ହେଉଛି ।  ଅନେକ ଦଶନ୍ଧି ଧରି ଦେଶ ଶ୍ରମ ସଂସ୍କାର ପାଇଁ ଅପେକ୍ଷା କରିଥିଲା । ଆମ ସରକାର ହିଁ ସେଗୁଡ଼ିକୁ ଆରମ୍ଭ କରିଥିଲେ,  ଯାହା ନିଶ୍ଚିତ କରିଥିଲା ଯେ ଶ୍ରମିକଙ୍କ ସ୍ୱାର୍ଥ ସୁରକ୍ଷିତ ରହିବ ଏବଂ ବ୍ୟବସାୟଗୁଡ଼ିକ ସମୃଦ୍ଧ ହେବ । ଭାରତ ଆଜି ବିଶ୍ୱ ଡିଜିଟାଲ୍‌  କ୍ଷେତ୍ରରେ ଅଗ୍ରଣୀ ହୋଇପାରିଛି  । ୟୁପିଆଇ ପ୍ଲାଟଫର୍ମ ମାଧ୍ୟମରେ  ଆମ ଲୋକମାନେ ଯେପରି କାରବାର କରୁଛନ୍ତି ତାହା କେବଳ  ଏକ ମୌଳିକ ସଂସ୍କାର ଦ୍ୱାରା ସମ୍ଭବ ହୋଇପାରିଛି ।  ସଂସ୍କାର ଆମ ଯୁବପିଢ଼ି ପାଇଁ ଏପରି ଏକ ଇକୋସିଷ୍ଟମ ସୃଷ୍ଟି କରିଛି ଯେଉଁଠାରେ ସୁଯୋଗ ମାଧ୍ୟମରେ ଆକାଂକ୍ଷାକୁ  ସମର୍ଥନ ମିଳୁଛି  । ଭାରତ ବିଶ୍ୱର ଏକ ପ୍ରମୁଖ ଷ୍ଟାର୍ଟଅପ୍‌  ଇକୋସିଷ୍ଟମ ଭାବରେ ଉଭା ହୋଇଛି । ଆଜି ଯୁବ ଉଦ୍ଭାବକମାନେ ପୂର୍ବ ତୁଳନାରେ ବହୁତ କମ୍‌ ବାଧା ସହିତ ନିଜ ଉପାୟକୁ ଉତ୍ପାଦକତାରେ ପରିଣତ କରିପାରୁଛନ୍ତି । 

ଆମ ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ ଏମଏସଏମଇ କ୍ଷେତ୍ରରେ  ସଂସ୍କାର ଋଣ ଉପଲବ୍ଧତାକୁ ଉନ୍ନତ କରିଛି  । ସରଳୀକୃତ ଟିକସ  ପ୍ରକ୍ରିୟା ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଏକୀକରଣ ଏହି କ୍ଷେତ୍ରକୁ ସୁଦୃଢ଼ କରିଛି । ସେହିପରି ଆମେ ଏମଏସଏମଇ ପାଇଁ ନିବେଶ  ଏବଂ କାରବାର ସୀମାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛୁ  ଯାହାଦ୍ୱାରା ସେଗୁଡ଼ିକ ବୃଦ୍ଧି ପାଇବା ସହିତ ବିଶ୍ୱ ମୂଲ୍ୟ ଶୃଙ୍ଖଳରେ ଏକୀକୃତ ହେବାର ଲାଭ ପାଇପାରୁଛନ୍ତି  ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସଂସ୍କାର ସାଧାରଣ  ନାଗରିକଙ୍କୁ ସାହାଯ୍ୟ କରିଛି । ମଧ୍ୟସ୍ଥ ଓ ଦଲାଲଙ୍କ ବିପଦ ହ୍ରାସ ପାଇଛି । ଅନୁରୂପ ଭାବରେ ଭିତ୍ତିଭୂମି ବିସ୍ତାର ଯୋଗାଯୋଗକୁ  ଉନ୍ନତ କରିଛି ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିଛି ।  ପ୍ରାୟତଃ "ସଂସ୍କାର' ଶବ୍ଦକୁ ନେଇ ଏକ ସୀମିତ ବୁଝାମଣା  ରହିଛି  । ଏହା କେବଳ ଅର୍ଥନୀତି ଏବଂ ଶିଳ୍ପକୁ ବୁଝାଇଥାଏ  ବୋଲି ସମସ୍ତେ ଭାବନ୍ତି । କିନ୍ତୁ ସାମାଜିକ କ୍ଷେତ୍ରରେ ସଂସ୍କାର ମଧ୍ୟ  ସେତିକି ଗୁରୁତ୍ୱପୂର୍ଣ୍ଣ । ଆକାଂକ୍ଷୀ ଜିଲ୍ଲା ଏବଂ ଆକାଂକ୍ଷୀ ବ୍ଲକ ଭଳି  କାର୍ଯ୍ୟକ୍ରମଗୁଡ଼ିକ "ପଛୁଆ' ଏବଂ ଅବହେଳିତ ଅଞ୍ଚଳରେ ସାଧାରଣ  ଜୀବନକୁ ପରିବର୍ତ୍ତନ କରିଛି ।

ସେହିପରି, ପ୍ରଧାନମନ୍ତ୍ରୀ-ଜନମନ ଯୋଜନା ବିଶେଷ ଭାବରେ ପଛୁଆ ଆଦିବାସୀ ସମ୍ପ୍ରଦାୟଗୁଡ଼ିକୁ ଚିହ୍ନଟ କରିଥାଏ ଏବଂ ସେମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଇଥାଏ ।  ଆଗାମୀ ଦଶନ୍ଧି ପାଇଁ ତିନୋଟି ସଂସ୍କାରକୁ ପ୍ରାଥମିକତା ଦେବା ବିଷୟରେ ଆମର ଦୃଷ୍ଟିକୋଣ ସ୍ପଷ୍ଟ । ଏହାକୁ ଏକ ନିର୍ଦ୍ଦିଷ୍ଟ  ସଂଖ୍ୟାରେ ସୀମିତ ରଖିନାହୁଁ । ପ୍ରଥମତଃ ଆମେ ପ୍ରତିଯୋଗିତା ଏବଂ  ଉତ୍ପାଦକତାକୁ ଉନ୍ନତ କରୁଥିବା ଢାଞ୍ଚାଗତ ସଂସ୍କାର ଜାରି ରଖିବୁ । ଦ୍ୱିତୀୟତଃ, ଆମେ ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ଏବଂ ସେବାରେ ନବସୃଜନକୁ ଗଭୀର କରିବୁ । ତୃତୀୟତଃ, ଆମେ ଶାସନକୁ ଆହୁରି  ସରଳ କରିବୁ ଯାହା ଦ୍ୱାରା ନାଗରିକ ଏବଂ ବ୍ୟବସାୟଗୁଡ଼ିକ ଅଧିକ  ସହଜ ଏବଂ ବିଶ୍ୱାସ ସହିତ କାର୍ଯ୍ୟ କରିପାରିବେ । 

ପ୍ରଶ୍ନ: ଆପଣ ପ୍ରାୟତଃ ଗୁରୁତ୍ୱାରୋପ କରିଛନ୍ତି ଯେ  ମହିଳାମାନେ ବିକଶିତ ଭାରତର ସଂକଳ୍ପର କେନ୍ଦ୍ରରେ ରହିବା  ଉଚିତ । ଚଳିତ ବଜେଟ କେଉଁ ନିର୍ଦ୍ଦିଷ୍ଟ ଉପାୟରେ ଭାରତର ଅଭିବୃଦ୍ଧିରେ ମହିଳାମାନଙ୍କୁ ପୂର୍ଣ୍ଣ ମାତ୍ରାରେ ଅଂଶଗ୍ରହଣ କରିବା  ପାଇଁ ପ୍ରତିବନ୍ଧକଗୁଡ଼ିକୁ ହ୍ରାସ କରିବ ଏବଂ ସୁଯୋଗକୁ ବିସ୍ତାର କରିବ?

ଉତ୍ତର: ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ ଯେ ଆମ ସରକାରଙ୍କ ପ୍ରତ୍ୟେକ ନିଷ୍ପତ୍ତିରେ ମହିଳା କଲ୍ୟାଣକୁ ଧ୍ୟାନରେ  ରଖାଯାଇଥାଏ । ଗତ ଦଶନ୍ଧୀରେ ଆମ ଯୋଜନାରେ ଏହା ସ୍ପଷ୍ଟ  ଭାବରେ ପ୍ରତିଫଳିତ ହୋଇଛି ।  କନ୍ୟା ସନ୍ତାନ ଜନ୍ମଠାରୁ ଆରମ୍ଭ କରି ମହିଳାଙ୍କ ଆକାଂକ୍ଷା ପୂରଣ ପର୍ଯ୍ୟନ୍ତ, ଆମେ ପ୍ରତି ପଦକ୍ଷେପରେ ମହିଳାମାନଙ୍କ ପାଇଁ  ଲାଭପ୍ରଦ କାର୍ଯ୍ୟକ୍ରମ ଏବଂ ସଂସ୍କାର ଆଣିଛୁ । ‘ବେଟୀ ବଚାଓ ବେଟୀ ପଢ଼ାଓ’, ‘ସ୍ୱଚ୍ଛ ଭାରତ’, ଝିଅମାନଙ୍କ ପାଇଁ ଛାତ୍ରବୃତ୍ତି, ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’, ‘ଜଳ ଜୀବନ ମିଶନ’, ‘ମୁଦ୍ରା’ କିମ୍ୱା ‘ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଯୋଜନା’, ଆମ ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକ ମହିଳାମାନଙ୍କ ଆବଶ୍ୟକତା ଏବଂ ଆକାଂକ୍ଷାକୁ ପୂରଣ କରୁଛି ।

ଚଳିତ  ବର୍ଷର ବଜେଟ୍‌ ମଧ୍ୟ କୌଣସି ବ୍ୟତିକ୍ରମ ନୁହେଁ ।  ପ୍ରକୃତରେ, ଏହା ଦେଶ ପାଇଁ ଗୌରବର ବିଷୟ ଯେ  ଆମ ଅର୍ଥମନ୍ତ୍ରୀ ନିର୍ମଳାଜୀ ଲଗାତାର ୯ଥର ବଜେଟ୍‌ ଉପସ୍ଥାପନ କରିଛନ୍ତି, ଯାହା ଏକ ରେକର୍ଡ । ସାରା ଭାରତରେ ଅନେକ ମହିଳା ଏହା ଦ୍ୱାରା ଅନୁପ୍ରାଣିତ ହୋଇଥାନ୍ତି । ମୁଁ ମହିଳା ସଶକ୍ତିକରଣକୁ  ଆହୁରି ଆଗକୁ ବଢ଼ାଇବା ପାଇଁ ପ୍ରମୁଖ ବଜେଟ୍‌ ଘୋଷଣାଗୁଡ଼ିକ ବିଷୟରେ ସୂଚନା ଦେବାକୁ ଚାହେଁ । ପ୍ରଥମଟି ଉଦ୍ୟୋଗିତା ସହ ଜଡିତ, ବିଶେଷକରି  ଗ୍ରାମାଞ୍ଚଳରେ । ଗୋଟିଏ ପଦକ୍ଷେପ ଘୋଷଣା କରାଯାଇଛି ଯାହା ଗୋଷ୍ଠୀ ମାଲିକାନାରେ ପରିଚାଳିତ ଖୁଚୁରା ଦୋକାନକୁ ସମର୍ଥନ  କରିବା ପାଇଁ ଅଭିନବ ଆର୍ଥିକ ମଡେଲ୍‌ ବ୍ୟବହାର କରିବ । ଯେତେବେଳେ ମହିଳାମାନେ ବଜାର ସୁବିଧା, ଯୋଗାଣ ଶୃଙ୍ଖଳ ଏବଂ ଖୁଚୁରା ପ୍ଲାଟଫର୍ମକୁ ନିୟନ୍ତ୍ରଣ କରନ୍ତି, ସେମାନେ ମୂଲ୍ୟ  ଶୃଙ୍ଖଳକୁ ଉପରକୁ ନେଇଯାଆନ୍ତି । ଏହା ସିଧାସଳଖ ପୁଞ୍ଜି ପ୍ରବେଶ, ବଜାର ସୁଯୋଗ ଏବଂ ବ୍ୟାପକତା ହାସଲ କରିବାର  ପ୍ରତିବନ୍ଧକଗୁଡ଼ିକୁ ହ୍ରାସ କରେ । ମହିଳାମାନଙ୍କ ମଧ୍ୟରେ ଉଦ୍ୟୋଗ  ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପ୍ରୟାସ ସହିତ ଏହାକୁ ଦେଖାଯିବା ଉଚିତ୍ । ଉଦାହରଣ ସ୍ୱରୂପ ସ୍ୱୟଂ ସହାୟକ  ଗୋଷ୍ଠୀ, ମୁଦ୍ରା ଯୋଜନା ଏବଂ ଲଖପତି ଦିଦି ଭଳି ଯୋଜନା  ମାଧ୍ୟମରେ କୋଟି କୋଟି ମହିଳା ସ୍ୱାବଲମ୍ୱୀ ହୋଇପାରିଛନ୍ତି । ଏହା ମହିଳାମାନଙ୍କର ସାମାଜିକ ସ୍ଥିତିକୁ ମଧ୍ୟ ଦୃଢ଼ କରିଥାଏ । ଏହା ସମସ୍ତେ ଜାଣନ୍ତି ଯେ ଖଦୀ, ଗ୍ରାମୋଦ୍ୟୋଗ, ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣ  ରହିଛି । ମହାତ୍ମା ଗାନ୍ଧୀ ଗ୍ରାମ ସ୍ୱରାଜ ଯୋଜନା ଲୋକମାନଙ୍କୁ ତାଲିମ,  ଦକ୍ଷତା ବିକାଶ, ଗୁଣବତ୍ତା ଏବଂ ବଜାର ସୁଯୋଗ ପ୍ରଦାନ କରି  ଏହି କ୍ଷେତ୍ରକୁ ମଜବୁତ କରେ । ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ  କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ପ୍ରଚଳିତ ଯୋଜନାର ଏକୀକରଣ  ମଧ୍ୟ ଏକ ସମନ୍ୱିତ ତଥା ଧ୍ୟାନ କୈନ୍ଦ୍ରିତ ଆଭିମୁଖ୍ୟ ପ୍ରଦାନ କରିବ । 

ଗତ କିଛି ବର୍ଷ ମଧ୍ୟରେ ଏହା ଆମ ପାଇଁ ଗର୍ବର ବିଷୟ ହୋଇଛି ଯେ ଭାରତୀୟ ମହିଳାମାନେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର  ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ନେଉଛନ୍ତି । ମହାକାଶ ହେଉ କିମ୍ୱା  ଷ୍ଟାର୍ଟଅପ୍‌, ସେମାନେ ଏକ ବଡ଼ ପ୍ରଭାବ ପକାଉଛନ୍ତି । ଚଳିତ  ବଜେଟରେ ଏପରି ଏକ ପଦକ୍ଷେପ ଘୋଷଣା କରାଯାଇଛି ଯାହା  ଏହି ବିକାଶଧାରାକୁ ବହୁଗୁଣିତ କରିବ । ଏହା ଶିକ୍ଷା ଏବଂ ଗତିଶୀଳତା ସହିତ ଜଡିତ, ବିଶେଷକରି ଏସଟିଇଏମ କ୍ଷେତ୍ରରେ ।  ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଉଚ୍ଚଶିକ୍ଷା ହାସଲ କରିବାରେ ଝିଅ,  ବିଶେଷକରି ଗରିବ କିମ୍ୱା ଗ୍ରାମୀଣ ପୃଷ୍ଠଭୂମିର ଝିଅମାନଙ୍କ ପାଇଁ  ସବୁଠାରୁ ବଡ଼ ନୀରବ ପ୍ରତିବନ୍ଧକ ମଧ୍ୟରୁ ଗୋଟିଏ ହେଉଛି  ସୁରକ୍ଷିତ ବାସସ୍ଥାନ । ପ୍ରତ୍ୟେକ ଜିଲ୍ଲାରେ ବାଳିକାମାନଙ୍କ ପାଇଁ ଏସଟିଇଏମ ଛାତ୍ରୀନିବାସକୁ ସମର୍ଥନ କରି, ଆମେ ମହିଳାମାନଙ୍କ  ମଧ୍ୟରେ ଶିକ୍ଷା ଏବଂ ନବସୃଜନରେ ଏକ ଉଲ୍ଲେଖନୀୟ ପ୍ରଗତି ଆଶା  କରିପାରିବା । ଅନେକ ଝିଅ ପ୍ରତିଭାର ଅଭାବ ଯୋଗୁଁ ପାଠପଢ଼ା  ଛାଡନ୍ତି ନାହିଁ ବରଂ ସେମାନେ ପରୀକ୍ଷାଗାରରେ ପହଞ୍ଚିବାକୁ ଦୀର୍ଘ  ଦୂରତା କାରଣରୁ ଯାତାୟାତ ସମସ୍ୟା ଏବଂ ବିଳମ୍ୱରେ ପାଠପଢ଼ା କଷ୍ଟକର ହୋଇଥିବାରୁ ଆଗକୁ ବଢ଼ିପାରନ୍ତି ନାହିଁ । ଏହି ହସ୍ତକ୍ଷେପ  ସିଧାସଳଖ ସେହି ପ୍ରତିବନ୍ଧକକୁ ସମାଧାନ କରିବ ।  ତା'ପରେ ଆଉ ଏକ ସେବା ବା ଯତ୍ନ କ୍ଷେତ୍ରର ଅର୍ଥବ୍ୟବସ୍ଥା ଅଛି । ମହିଳାମାନେ ସର୍ବଦା ଯତ୍ନ ଓ ସେବାର କେନ୍ଦ୍ରରେ ରହିଆସିଛନ୍ତି,  କିନ୍ତୁ ମୁଖ୍ୟତଃ ଅନୌପଚାରିକ କ୍ଷେତ୍ରରେ ।

ଆସନ୍ତା ବର୍ଷଗୁଡ଼ିକରେ  ଦେଢ଼ ଲକ୍ଷ ସେବିକାଙ୍କୁ ତାଲିମ ଦିଆଯିବ ଏବଂ ସହଯୋଗୀ ସ୍ୱାସ୍ଥ୍ୟ  ପେସାଦାରଙ୍କ ପାଇଁ ପ୍ରତିଷ୍ଠାନଗୁଡ଼ିକୁ ବିସ୍ତାର କରାଯିବ  । ଆଗାମୀ ୫ ବର୍ଷ ମଧ୍ୟରେ ୧ ଲକ୍ଷ ମହିଳାଙ୍କୁ ପ୍ରଶିକ୍ଷଣ ଲକ୍ଷ୍ୟ ସହିତ, ଆମେ  ସେବା କାର୍ଯ୍ୟକୁ ଆନୁଷ୍ଠାନିକ କରିବା ପାଇଁ ଏକ ବଡ଼ ଧରଣର ପ୍ରୟାସ ଆରମ୍ଭ କରୁଛୁ । ଏହା ଦୁଇଟି କାମ କରେ: ଏହା ମହିଳାମାନଙ୍କ  ପାଇଁ ମର୍ଯ୍ୟାଦାପୂର୍ଣ୍ଣ, ପ୍ରମାଣିତ ନିଯୁକ୍ତି ସୃଷ୍ଟି କରେ ଏବଂ ଏକକାଳୀନ  ଭାରତର ସ୍ୱାସ୍ଥ୍ୟସେବା କ୍ଷମତାକୁ ସୁଦୃଢ଼ କରେ । ବଜେଟରେ ଅର୍ଥ ବ୍ୟବସ୍ଥାର ନୂତନ ଯୁଗ କ୍ଷେତ୍ରଗୁଡ଼ିକୁ ମଧ୍ୟ ଧ୍ୟାନ ଦିଆଯାଇଛି । ୧୫ ହଜାର ସ୍କୁଲ ଏବଂ ୫୦୦ କଲେଜରେ ଏଭିଜିସି କ୍ରିଏଟର ଲ୍ୟାବ୍  ଏବଂ ଆନୁଷ୍ଠାନିକ ସୃଜନଶୀଳ ଭିତ୍ତିଭୂମି ପ୍ରତିଷ୍ଠା ମାଧ୍ୟମରେ, ଆମେ ସୁନିଶ୍ଚିତ କରୁଛୁ ଯେ ଆନିମେସନ, ଭିଏଫଏକ୍ସ, ଗେମିଂ ଏବଂ  ଡିଜିଟାଲ୍‌ ବିଷୟବସ୍ତୁ ଭଳି କ୍ଷେତ୍ରଗୁଡ଼ିକରେ ମହିଳାଙ୍କ ଅଂଶଗ୍ରହଣ  ରେକର୍ଡ ସ୍ତରରେ ରହିବ । ଏଗୁଡ଼ିକ ଉଦୀୟମାନ କ୍ଷେତ୍ର ହୋଇଥିବାରୁ  ମହିଳାଙ୍କ ଅଂଶଗ୍ରହଣ ଏସବୁ କ୍ଷେତ୍ରକୁ ଆହୁରି ଜୀବନ୍ତ କରିବ ।  ମୋର ବିଶ୍ୱାସ ଯେ ମହିଳାମାନେ ବିକଶିତ ଭାରତ ଗଠନରେ  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ।