ନୂଆଦିଲ୍ଲୀ,୨୭।୮: ସଶସ୍ତ୍ର ବାହିନୀକୁ ସବୁବେଳେ ସତର୍କ ରହିବାକୁ ପଡିବ। ସମସ୍ତ ପ୍ରକାରର ସୁରକ୍ଷା ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ପ୍ରସ୍ତୁତି ଆବଶ୍ୟକ। ଭୂରାଜନୈତିକ ପରିବେଶ ସମ୍ପୂର୍ଣ୍ଣ ଅନିଶ୍ଚିତ ହୋଇପଡ଼ିଥିବାରୁ ସଶସ୍ତ୍ର ବାହିନୀକୁ ଏକ କମ୍ ସମୟର ସଂଘର୍ଷଠାରୁ ନେଇ ପାଞ୍ଚ ବର୍ଷର ଯୁଦ୍ଧ ପର୍ଯ୍ୟନ୍ତ ଯେକୌଣସି ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ପଡିବ। ଭାରତ କାହାର ଭୂମି ଚାହେଁ ନାହିଁ କିନ୍ତୁ ଏହାର କ୍ଷେତ୍ରୀୟ ଅଖଣ୍ଡତାକୁ ରକ୍ଷା କରିବା ପାଇଁ ଯେକୌଣସି ସୀମାକୁ ଯିବାକୁ ପ୍ରସ୍ତୁତ। ବୁଧବାର ମଧ୍ୟପ୍ରଦେଶର ମହୁସ୍ଥିତ ଆର୍ମି ୱାର କଲେଜରେ 'ରଣ ସମ୍ବାଦ' ସମ୍ମିଳନୀରେ ସମ୍ବୋଧିତ କରି ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଭାରତୀୟ ସେନା ପ୍ରତ୍ୟେକ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ଉଚିତ। ଆଜିର ଯୁଗରେ ଯୁଦ୍ଧ ଏତେ ହଠାତ୍ ଏବଂ ଅନିଶ୍ଚିତ ହୋଇଯାଇଛି ଯେ ଯୁଦ୍ଧ କେବେ ଶେଷ ହେବ ଏବଂ କେତେ ଦିନ ଚାଲିବ ତାହା କହିବା ଖୁବ୍ କଷ୍ଟକର।' ତାଙ୍କ ମତରେ, ଏହି କାରଣରୁ ଯଦି କୌଣସି ଯୁଦ୍ଧ ଦୁଇ ମାସ, ଚାରି ମାସ, ଗୋଟିଏ ବର୍ଷ, ଦୁଇ ବର୍ଷ କିମ୍ବା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ, ତଥାପି ଆମକୁ ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଉଚିତ।'
ସିଡିଏସ୍ ଜେନେରାଲ ଅନିଲ ଚୌହାନ, ବାୟୁସେନା ମୁଖ୍ୟ ମାର୍ଶାଲ ଏପି ସିଂହ ଏବଂ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠିଙ୍କ ସମେତ ସଶସ୍ତ୍ର ବାହିନୀର ସମସ୍ତ ଉଚ୍ଚ ଅଧିକାରୀଙ୍କ ଉପସ୍ଥିତିରେ ପ୍ରତିରକ୍ଷା ମନ୍ତ୍ରୀ ଏହା କହିଛନ୍ତି। ସେ ସ୍ପଷ୍ଟ କରିଥିଲେ ଯେ 'ଆମେ କାହାର ଜମି ଚାହୁଁନାହୁଁ, କିନ୍ତୁ ଆମ ଭୂମିକୁ ସୁରକ୍ଷା ଦେବା ପାଇଁ ଆମେ ଯେକୌଣସି ସୀମାକୁ ଯିବାକୁ ପ୍ରସ୍ତୁତ। ଏହି ଅବସରରେ ରାଜନାଥ ‘ଅପରେସନ ସିନ୍ଦୂର୩ ପାଇଁ ତିନି ସେନାର ପ୍ରଶଂସା କରିଥିଲେ ଏବଂ କହିଥିଲେ, ଏହା ଭାରତର ସ୍ୱଦେଶୀ ପ୍ଲାଟଫର୍ମ, ଉପକରଣ ଏବଂ ଅସ୍ତ୍ରଶସ୍ତ୍ର ପ୍ରଣାଳୀର ସଫଳତାର ଏକ ମହାନ ଉଦାହରଣ। ଏହି ସଫଳତା ପୁଣି ଥରେ ଆତ୍ମନିର୍ଭରଶୀଳତାର ଆବଶ୍ୟକତାକୁ ଉଜ୍ଜ୍ୱଳ କରିଛି, ଯେଉଁଥିରେ ଆମକୁ ଆହୁରି ବହୁତ ବାଟ ଯିବାକୁ ଅଛି।