ନୀଳଗିରି, ୨୬/୩ : ବାଲେଶ୍ଵର ଜିଲ୍ଲା ନୀଳଗିରି ପୁଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ୍। ନୀଳଗିରି ଏନ୍ଏସି କହାଳିଆ ଗାଁରେ ସଶସ୍ତ୍ର ଡକାୟତି। ବନ୍ଧୁକ ମୁନରେ ନଗଦ ୨୦ ଲକ୍ଷ ଟଙ୍କା ଓ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ୬ ଦୁର୍ବୃତ୍ତ। ବୁଧବାର ରାତିରେ ଗାଁର ଗୋବିନ୍ଦା ସିଂହଙ୍କ ଘରୁ ଲୁଟ୍ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ବୁଧବାର ରାତିରେ ନୀଳଗିରି ଏନଏସିର ୯ନମ୍ୱର ୱାର୍ଡ କହାଳିଆ ଗ୍ରାମର ଗୋବିନ୍ଦା ସିଂହ ଘର ଲୋକ ରାତ୍ରୀ ଭୋଜନ କରୁଥିଲେ। ଏହି ସମୟରେ ହଠାତ୍ ୬ଜଣ ଦୁର୍ବୃତ୍ତ ହାତରେ ତେଲେଙ୍ଗା କଟୁରୀ ବନ୍ଧୁକ ଧରି ଗୋବିନ୍ଦାଙ୍କ ଘରେ ପଶିଥିଲେ। ଏହାପରେ ଘରର ସମସ୍ତଙ୍କ ମୁହଁରେ ବ୍ଲାକ୍ ଟେପ୍ ଲଗାଇ ଫୋନ ନେଇ ଯାଇଥିଲେ। ମୁଣ୍ଡରେ ବନ୍ଧୁକ ଲଗାଇ ଗଡରେଜ୍ ଚାବି ମାଗିଥିଲେ। ଗୋବିନ୍ଦାଙ୍କ ପରିବାର ଲୋକ ଭୟଭୀତ ହୋଇ ଲକର୍ ଓ ଗଡରେଜ୍ ଚାବି ଦେଇ ଦେଇଥିଲେ। ଏହାପରେ ଚୋରମାନେ ଲକରରେ ଥିବା ୨୦ ଲକ୍ଷ ଟଙ୍କା ଏବଂ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ଦୁଇଟି ବାଇକ୍ ରେ ଫେରାର୍ ହୋଇଯାଇଥିଲେ। ଖବର ପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଡକାୟତଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଯୁବକ ଏବଂ ୪ ଜଣ ଅଣଓଡ଼ିଆ ଥିବା ଗୋବିନ୍ଦା କହିଛନ୍ତି।
ଏହି ଖବରଟିକୁ ପଢନ୍ତୁ- ଭିଜିଲାନ୍ସ ଜାଲରେ ଭଞ୍ଜନଗର ଡହ ଜଳସେଚନ ଉପଖଣ୍ଡ ଏସଡିଓ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ