ଚାନ୍ଦବାଲି,୧୨/୦୭: କାରଗିଲ ଯୁଦ୍ଧରେ ଭଦ୍ରକ ଜିଲ୍ଲାର ସହିଦ  ନିରଞ୍ଜନ ବେହେରାଙ୍କ ପରିବାରକୁ ଭେଟିଲେ ଭାରତୀୟ ସେନାର ଏକ ଟିମ । ସହିଦ ପରିବାରର ସୁଖ ଦୁଃଖ ବୁଝିବା ସହ  ସମ୍ମାନିତ କଲେ । ତେବେ  ୧୯୯୯ ମସିହା କାରଗିଲ ଯୁଦ୍ଧରେ ଓଡ଼ିଶାର ନବମ ତଥା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ଉତୁକୁଡ଼ା ପଞ୍ଚାୟତର ପାଙ୍ଗୁଡା ଗ୍ରାମର ନିରଞ୍ଜନ ବେହେରା ସହିଦ ହୋଇଥିଲେ । ଇତି ମଧ୍ୟରେ କାରଗିଲ ଯୁଦ୍ଧକୁ  ୨୬ ବର୍ଷ  ବିତିଯାଇଥିବା ବେଳେ ସହିଦଙ୍କ ପରିବାର କେମିତି ଅଛନ୍ତି ବୁଲି ବୁଲି ଦେଖୁଛନ୍ତି ଭାରତୀୟ ସେନାର ଏକ ଟିମ ।

 ଚାନ୍ଦବାଲିର ସହିଦ ନିରଞ୍ଜନ ବେହେରାଙ୍କ ଘରେ ଭାରତୀୟ ସେନାର ଟିମ୍ ପହଞ୍ଚି ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବେହେରାଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।  ପିଲାମାନେ କଣ କରୁଛନ୍ତି, ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି କି ନାହିଁ ? ପେନସନ ମିଳୁଛି କି ନାହିଁ ଆଦି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ତା ସହିତ ପ୍ରଶଂସା ପତ୍ର ଓ ଏକ ମେଡାଲ ପ୍ରଦାନ କରିଥିଲେ । ମାତ୍ର ସହିଦ ନିରଞ୍ଜନଙ୍କ ସମାଧି ପୀଠ ଅବହେଳିତ ଅବସ୍ଥା ଦେଖି ଦୁଃଖ ପ୍ରକାଶ କରିବା ସହ ସ୍ଥାନୀୟ ପ୍ରଶାସନର ଉଦାସୀନତା ବିଷୟରେ ସେନା ମୁଖ୍ୟାଳୟକୁ ଜଣାଇବେ ବୋଲି ଉକ୍ତ ଟିମ ପ୍ରକାଶ କରିଥିଲା ।