ନୂଆଦିଲ୍ଲୀ,୧୦/୦୩; ଆଇସିସି ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ନ୍ୟୁଜିଲାଣ୍ଡକୁ ହରାଇ ତୃତୀୟ ଥର ବିଶ୍ୱ ବିଜେତା ହୋଇଛି । ୯୬ ରନରେ ବିଜୟ ହାସଲ କରି ଲଗାତାର ଟ୍ରଫି ହାତେଇଛି ଇଣ୍ଡିଆ । ୨୦୦୭ ଏବଂ ୨୦୨୪ ଟ୍ରଫି ନିଜ ନାମରେ କରିଥିଲା ଭାରତ । ଏହି ଦମଦାର ବିଜୟ ଭିତରେ ଟିମ୍ ଇଣ୍ଡିଆର ଷ୍ଟାର ଦ୍ରୁତ ବୋଲର ଅର୍ଶଦୀପ ସିଂହ ଚର୍ଚ୍ଚାରେ ରହିଛନ୍ତି । ଫାଇନାଲ ମ୍ୟାଚରେ ତାଙ୍କର ବ୍ୟବହାର ପାଇଁ ତାଙ୍କ ମୁଣ୍ଡରେ ଆଇସିସି ଆକ୍ସନ ଖଣ୍ଡା ଝୁଲୁଛି । ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ ମ୍ୟାଚରେ ଅର୍ଶଦୀପ ସିଂହ ରାଗି ଯାଇଥିବା ଦେଖିବାକୁ ମିଳିଥିଲା । ସେ ଫିଙ୍ଗି ଥିବା ବଲ୍ କିୱି ବ୍ୟାଟରଙ୍କ ଜଙ୍ଘରେ ବାଜିଥିଲା । ଆଇସିସି ଏହି ଘଟଣାର ସମୀକ୍ଷା କରିପାରେ । ଅର୍ଶଦୀପଙ୍କ ଉପରେ ଆକ୍ସନ ନେଇପାରେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଂଲ । ତେବେ କଣ କାର୍ଯ୍ୟାନୁଷ୍ଠାନ ନେବ ଆଇସିସି ?
ଏମିତି ମାମଲା ଲେବଲ-୧ ଅଧୀନରେ ଆସେ । ଏବେ ଅର୍ଶଦୀପ ସିଂହଙ୍କ ଉପରେ ମ୍ୟାଚ ଫିସର ସର୍ବାଧିକ ୫୦ ପ୍ରତିଶତ ଜରିମାନା ଲାଗିପାରେ । ଏହା ସହିତ ତାଙ୍କ ଖାତାରେ ଗୋଟିଏ କିମ୍ବା ୨ଟି ଡିମେରିଟ୍ ପଏଣ୍ଟ ଯୋଡା ଯାଇପାରେ । ଯଦି ଜଣେ ଖେଳାଳି ଗତ ୨୪ ମାସରେ ୪ଟି ଡିମେରିଟ୍ ପଏଣ୍ଟ ଯୋଡା ଯାଏ ତେବେ ତାଙ୍କୁ ଗୋଟିଏ ଟେଷ୍ଟ କିମ୍ବା ୨ଟି ହ୍ୱାଇଟ୍ ବଲ୍ ମ୍ୟାଚରୁ ବାସନ୍ଦ କରାଯାଇପାରେ । ଯଦିଓ ଅର୍ଶଦୀପ ସିହଂ ଖେଳପ୍ରେମୀ ମନୋଭାବ ଦେଖାଇ ମିଚେଲଙ୍କୁ କ୍ଷମା ମାଗିଥିଲେ ଏବଂ ଡାରିଲ ମିଚେଲ ତାଙ୍କ କ୍ଷମା ଗ୍ରହଣ ବି କରିଥିଲେ । କିନ୍ତୁ ଆଇସିସି ସମ୍ପୂର୍ଣ୍ଣ ଘଟଣାର ସମୀକ୍ଷା କରିପାରେ ।
ଏହା ବି ପଢନ୍ତୁ...ଜାଣିଶୁଣି ଫିଙ୍ଗିଥିଲେ କି ବଲ୍ ? ମ୍ୟାଚ୍ ପରେ ମିଚେଲଙ୍କୁ କ୍ଷମା ମାଗିଲେ ଅର୍ଶଦୀପ, କହିଲେ ମୁଁ...
କଣ ପୁରା ମାମଲା ? ଫାଇନାଲ୍ ମ୍ୟାଚ୍ ମଧ୍ୟଭାଗରେ ଡାରିଲ୍ ମିଚେଲ୍ ଏବଂ ଅର୍ଶଦୀପ ସିଂହ ମୁହାଁମୁହିଁ ହୋଇଥିଲେ । ଭାରତ ପାଇଁ ଇନିଂସର ୧୧ତମ ଓଭର ବୋଲିଂ କରିବାକୁ ଆସିଥିବା ଅର୍ଶଦୀପ ସିଂହ ୱିକେଟ୍ ଖୋଜୁଥିଲେ । ଏହି ସମୟରେ, କିୱିମାନଙ୍କ ପତନ ମଧ୍ୟରେ ଡାରିଲ୍ ମିଚେଲ୍ ଇନିଂସକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଥିଲେ । ମିଚେଲ୍ ଅର୍ଶଦୀପଙ୍କ ବିରୁଦ୍ଧରେ ଟିକିଏ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କଲେ ଏବଂ ଦ୍ରୁତ ଗତିରେ ଦୁଇଟି ଚୌକା ମାରିଲେ । ଅର୍ଶଦୀପଙ୍କ ରାଗ ବଢ଼ିଗଲା । ଯେତେବେଳେ ମିଚେଲ୍ ପରବର୍ତ୍ତୀ ବଲ୍କୁ ପ୍ରତିରକ୍ଷାମୂଳକ ଭାବରେ ଅବରୋଧ କଲେ, ଅର୍ଶଦୀପ ତାଙ୍କର ମାନସିକ ସ୍ଥିରତା ହରାଇଲେ । ସେ ତାଙ୍କୁ ରନ୍ ଆଉଟ୍ କରିବା ପାଇଁ ଶୀଘ୍ର ବଲ୍କୁ ଉପରକୁ ଉଠାଇ ଷ୍ଟମ୍ପ ଆଡ଼କୁ ଫିଙ୍ଗି ଦେଲେ । କିନ୍ତୁ ଥ୍ରୋ ମିଚେଲ୍ଙ୍କ ଜଙ୍ଘରେ ସିଧା ବାଜିଲା । ଏହା ମିଚେଲ୍ଙ୍କୁ କ୍ରୋଧିତ କରିଥିଲା । ସେ ଅର୍ଶଦୀପଙ୍କ ଉପରେ ରାଗି କରି ହାତ ହଲାଇ କିଛି କହୁଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଅଧିନାୟକ ସୂର୍ୟ୍ୟ, ପରିସ୍ଥିତିର ଗମ୍ଭୀରତାକୁ ବୁଝି ହସ୍ତକ୍ଷେପ କଲେ ଏବଂ ମାମଲାର ସମାଧାନ ହେଲା । ଅମ୍ପାୟାର ମଧ୍ୟ ଅର୍ଶଦୀପଙ୍କ ସହିତ କଥା ହେଉଥିବାର ଦେଖିବାକୁ ମିଳିଥିଲା ।
ମିଚେଲଙ୍କୁ କ୍ଷମା ମାଗିଥିଲେ ଅର୍ଶଦୀପ- ଅର୍ଶଦୀପଙ୍କ ଏଭଳି ବ୍ୟବହାରରେ ମିଚେଲ ବିରକ୍ତ ହୋଇଥିଲେ । ରାଗି ଯାଇ କଣ କଣ କହି ଦେଇଥିଲେ । ହେଲେ ଅର୍ଶଦୀପ ତାଙ୍କ କଥାକୁ କର୍ଣ୍ଣପାତ କରିନଥିଲେ । ସିଧା ଚାଲି ଆସିଥିଲେ । ଏହି ସମୟରେ ସଙ୍ଗେ ସଙ୍ଗେ ସୂର୍ଯ୍ୟକୁମାର ଯାଦବ ଦୌଡ଼ି ଆସି ମିଚେଲଙ୍କୁ ବୁଝାଇଥିଲେ । ଅର୍ଶଦୀପ ମ୍ୟାଚ୍ ଶେଷ ହେବା ପରେ ମିଚେଲଙ୍କୁ କ୍ଷମା ମାଗିଥିଲେ । ମ୍ୟାଚ୍ ପରେ, ଅର୍ଶଦୀପ ସିଂହ ସମ୍ପୂର୍ଣ୍ଣ ମାମଲା ବାବଦରେ ସ୍ପଷ୍ଟ କରି କହିଛନ୍ତି, "ମୁଁ ମିଚେଲଙ୍କୁ କ୍ଷମା ମାଗିବାକୁ ଯାଇଥିଲି । ମୁଁ ତାଙ୍କୁ ଜାଣିଶୁଣି ମାରି ନଥିଲି ।''