ମୁମ୍ୱାଇ,୦୭/୧୧: ଆର‌୍ୟନ ଖାନ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ଭାବେ ଖବରରେ ଥିବା ବ୍ରାଜିଲ ମଡେଲ ଲାରିସା ବୋନେସିଙ୍କୁ ନେଇ ଚର୍ଚ୍ଚା । ଭାରତରେ ସୃଷ୍ଟି ହୋଇଥିବା ଏକ ରାଜନୈତିକ ବିବାଦ ଏହାର କାରଣ । ଲାରିସା ଏବେ ଲଣ୍ଡନରେ ଅଛନ୍ତି । ନିକଟରେ ୨୦୨୪ ହରିୟାଣା ନିର୍ବାଚନ ଉପରେ ଆୟୋଜିତ ଏକ ପ୍ରେସ୍‌ ସମ୍ମିଳନୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରାଜିଲର ଜଣେ ମଡେଲଙ୍କ ବିଷୟରେ କହିଥିଲେ । ଏହା ପରେ ସୋସିଆଲ ମିଡିଆ ୟୁଜର୍‌ ଲାରିସାଙ୍କ ସଦ୍ୟତମ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ପ୍ରତିକ୍ରିୟା ଦେଇଛନ୍ତି । 

ରାଜ୍ୟ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ରାହୁଲ ଗାନ୍ଧୀ କହିଥିଲେ, ହରିୟାଣା ନିର୍ବାଚନର ଭୋଟର ତାଲିକାରେ ଜଣେ ମହିଳାଙ୍କ ଫଟୋ ଭିନ୍ନ ଭିନ୍ନ ନାଁରେ ୨୨ ଥର ଦେଖବାକୁ ମିଳିଲା । କିଏ ଏହି ମହିଳା? ତାଙ୍କ ନାଁ କ’ଣ? ତାଙ୍କ ଘର କେଉଁଠି? କିନ୍ତୁ ସେ ହରିୟାଣାରେ ୧୦ ଭିନ୍ନ ଭିନ୍ନ ବୁଥ୍‌ରେ ୨୨ ଥର ଭୋଟ୍‌ ଦେଇଛନ୍ତି । ତାଙ୍କର ଅନେକ ନାଁ ଅଛି: ସୀମା, ସ୍ୱିଟୀ, ସରସ୍ୱତୀ, ରଶ୍ମି, ବିମଲା... କିନ୍ତୁ ବାସ୍ତବରେ ସେ ଜଣେ ବ୍ରାଜିଲ ମଡେଲ । ତା’ପରେ ଇଣ୍ଟର୍‌ନେଟ୍‌ ୟୁଜର୍‌ ଏହି ମହିଳାଙ୍କୁ ଲାରିସା ବୋନେସି ବୋଲି ଭାବିଲେ । କିନ୍ତୁ ଭୋଟର ତାଲିକାରେ ଥିବା ଏହି ମହିଳାଙ୍କ ନାଁ ଲାରିସା ନରୀ । 

ୟୁଜର୍‌ ଲାରିସା ବୋନେସିଙ୍କୁ ଇନ୍‌ଷ୍ଟାରେ ଲେଖିଥନ୍ତି ଯେ,- ଆପଣ ଭାରତରେ ପ୍ରସିଦ୍ଧ ହୋଇଗଲେ । ଗତକାଲି ଆପଣ ଭାରତରେ ସେଲିବ୍ରିଟି ପାଲଟିଥିଲେ । ସେପଟେ, ଲାରିସା ନରୀ ଗଣମାଧ୍ୟମ ସାମ୍ନାରେ ରାହୁଲ ଗାନ୍ଧୀ ପ୍ରଦର୍ଶନ କରିଥିବା ଫଟୋ ବିଷୟରେ ସ୍ପଷ୍ଟୀକରଣ ଦେଇ ଏକ ଭିଡିଓ ଶେୟାର କରିଛନ୍ତି, ଯାହା ଇଣ୍ଟର୍‌ନେଟ୍‌ରେ ଚର୍ଚ୍ଚାର ବିଷୟ ହୋଇଛି । ଏଥିରେ ସେ କହିଛନ୍ତି, ସେମାନେ ମୋର ଏକ ଫଟୋର ଉପଯୋଗ କରୁଛନ୍ତି, ଯାହା ମୋର ପୁରୁଣା ଫଟୋ । ଏହା ପ୍ରାୟ ୧୮-୨୦ ବର୍ଷ ପୁରୁଣା । ଭାରତରେ ଏହା ନିର୍ବାଚନ କିମ୍ବା ଆଉ କିଛି ମୁଁ ଜାଣିନି । ଲୋକଙ୍କୁ ଠକିବା ପାଇଁ ସେମାନେ ମୋତେ ଭାରତୀୟ ଭାବେ ଦର୍ଶାଉଛନ୍ତି । ଏହା କି ପ୍ରକାର ପାଗଳାମି? କେଉଁ ପ୍ରକାର ବିଶ୍ୱରେ ଆମେ ବାସ କରୁଛୁ?’ ଏବେ ଭାରତୀୟ ସୋସିଆଲ ମିଡିଆ ୟୁଜର ଜଣେ ନୁହେଁ, ଦୁଇଜଣ ଲାରିସାଙ୍କ ବିଷୟରେ ଚର୍ଚ୍ଚା କରୁଛନ୍ତି । ଲାରିସା ବୋନେସି ଦୀର୍ଘ ଏକ ଦଶନ୍ଧି ଧରି ଭାରତରେ କାମ କରିଆସୁଛନ୍ତି । ‘ଗୋ ଗୋଆ ଗନ୍‌’, ‘ଥିକ୍କା’, ‘ରକେଟ୍‌ ରାଜା’ ଓ ‘ଘାତୀ’ ଭଳି ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିଛି । ଆର‌୍ୟନ ଓ ଲାରିସା ବୋନେସିଙ୍କୁ ବିଭିନ୍ନ ଅବସରରେ ଏକାଠି ଦେଖିବା ପରେ ଉଭୟଙ୍କ ଡେଟିଂ ଗୁଜବ ଚର୍ଚ୍ଚାର ବିଷୟ ହୋଇଥିଲା । ଆର‌୍ୟନଙ୍କ ପ୍ରଥମ ନିର୍ଦ୍ଦେଶିତ ସିରିଜ୍‌ ‘ଦ ବ୍ୟାଡ୍‌ସ ଅଫ୍‌ ବଲିଉଡ୍‌’ର ସ୍ପେଶାଲ ସ୍କ୍ରିନିଂରେ ମଧ୍ୟ ଲାରିସା ଯୋଗ ଦେଇଥିଲେ ।