ନୂଆଦିଲ୍ଲୀ,୧୦।୧: ଭାରତ ଏବଂ ପାକିସ୍ତାନର ସାମ୍ବିଧାନିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭିନ୍ନ। ସମାନ ନାଗରିକ ଅଧିକାର ଉପରେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ଏଭଳି କିଛି କହିଛନ୍ତି।  ସେ କହିଛନ୍ତି,ଭାରତୀୟ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ସମାନ ସୁଯୋଗ ପ୍ରଦାନ କରେ, ତେବେ ପାକିସ୍ତାନର ସମ୍ବିଧାନ ପ୍ରଧାନମନ୍ତ୍ରୀଙ୍କ ସର୍ବୋଚ୍ଚ ପଦବୀ ପାଇଁ ଧାର୍ମିକ ମାନଦଣ୍ଡ ସ୍ଥିର କରେ। ତେବେ ପାକିସ୍ତାନର ସମ୍ବିଧାନ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ କେବଳ ଏକ ନିର୍ଦ୍ଦିଷ୍ଟ ଧର୍ମର ବ୍ୟକ୍ତି ପ୍ରଧାନମନ୍ତ୍ରୀ ହୋଇପାରିବେ, କିନ୍ତୁ ବାବା ସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ଭାରତୀୟ ସମ୍ବିଧାନ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି, ଯେ ଯେକୌଣସି ଭାରତୀୟ ନାଗରିକ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ କିମ୍ବା ମେୟର ହୋଇପାରିବେ। ସେ ଏହାକୁ ଭାରତୀୟ ଗଣତନ୍ତ୍ରର ସର୍ବଶ୍ରେଷ୍ଠ ଶକ୍ତି ବୋଲି କହିଥି

ହିଜାବ ପିନ୍ଧିଥିବା ଝିଅ ପ୍ରଧାନମନ୍ତ୍ରୀ ହେବେ: ଓୱେସି

ଓୱେସି କହିଛନ୍ତି, ତାଙ୍କର ସ୍ୱପ୍ନ ହେଉଛି ଯେ ଗୋଟିଏ ଦିନ, ଜଣେ ହିଜାବ ପିନ୍ଧିଥିବା ଝିଅ ଏହି ଦେଶର ପ୍ରଧାନମନ୍ତ୍ରୀ ହେବେ। ସେ କହିଥିଲେ ଯେ ଏହି ସ୍ୱପ୍ନ କେବଳ ଜଣେ ବ୍ୟକ୍ତିଙ୍କ ସ୍ୱପ୍ନ ନୁହେଁ, ବରଂ ସମ୍ବିଧାନର ଆତ୍ମାକୁ ପ୍ରତିଫଳିତ କରେ, ଯାହା ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଏବଂ ସୁଯୋଗ ପ୍ରଦାନ କରେ। ଭାରତୀୟ ସମ୍ବିଧାନ ଧର୍ମ, ଜାତି କିମ୍ବା ପୋଷାକ ଆଧାରରେ କୌଣସି ପ୍ରକାରର ଭେଦଭାବକୁ ଅନୁମତି ଦିଏ ନାହିଁ।

ଯୁବ ଏବଂ ସଂଖ୍ୟାଲଘୁଙ୍କୁ ଆହ୍ବାନ

ଓୱେସି ଯୁବକ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ, ସମାଜରେ ସକାରାତ୍ମକ ପରିବର୍ତ୍ତନ କେବଳ ଶିକ୍ଷା ଏବଂ ରାଜନୈତିକ ସଚେତନତା ମାଧ୍ୟମରେ ସମ୍ଭବ। ଦେଶର ବିବିଧତା ଏହାର ପ୍ରକୃତ ପରିଚୟ ଏବଂ ଏହାକୁ ଦୁର୍ବଳ ନୁହେଁ, ବରଂ ମଜବୁତ କରାଯିବା ଆବଶ୍ୟକ। ସମ୍ବିଧାନ ଦିଆଯାଇଥିବା ଅଧିକାରକୁ ସୁରକ୍ଷା ଦେବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ଏବଂ ଭେଦଭାବ ବିରୁଦ୍ଧରେ ସ୍ୱର ଉଠାଇବା ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ

ଓୱେସିଙ୍କ ମନ୍ତବ୍ୟ ଉପରେ ବିଜେପିର ତୀବ୍ର ପ୍ରତିକ୍ରିୟା

ଓୱେସିଙ୍କ ମନ୍ତବ୍ୟ ଏକ ରାଜନୈତିକ ବିବାଦ ସୃଷ୍ଟି କରିଛି। ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ସାମ୍ବିଧାନିକ ଭାବେ କେହି ପ୍ରଧାନମନ୍ତ୍ରୀ ହେବାରେ କୌଣସି ବାଧା ନାହିଁ। କିନ୍ତୁ ଭାରତ ଏକ  ହିନ୍ଦୁ ରାଷ୍ଟ୍ର, ଏବଂ ଆମର ଦୃଢ଼ ବିଶ୍ୱାସ ଯେ ଭାରତର ପ୍ରଧାନମନ୍ତ୍ରୀ ସବୁବେଳେ ଜଣେ ହିନ୍ଦୁ ହିଁ ହେବେ।’ ସେଭଳି ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନୀତେଶ ରାଣେ ତାଙ୍କ ବକ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଣେ କହିଛନ୍ତି, ଭାରତ ଏକ ହିନ୍ଦୁ ରାଷ୍ଟ୍ର ଏବଂ ହିଜାବ କିମ୍ବା ବୁର୍ଖା ପିନ୍ଧିଥିବା ମହିଳାମାନେ ପ୍ରଧାନମନ୍ତ୍ରୀ କିମ୍ବା ମୁମ୍ବାଇର ମେୟର ହେବେ ନାହିଁ। ଯେଉଁମାନେ ଏପରି ପଦବୀ ପାଇଁ ଆକାଂକ୍ଷା ରଖିଛନ୍ତି ସେମାନେ ଇସଲାମିକ ଦେଶଗୁଡ଼ିକୁ ଯିବା ଉଚିତ।

ଏଆଇଏମଆଇଏମର ପାଲଟା ଆକ୍ରମଣ

ନୀତେଶ ରାଣେଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଏଆଇଏମଆଇଏମ ନେତା ୱାରିସ ପଠାନ। ସେ କହିଛନ୍ତି ଭାରତ ବ୍ୟକ୍ତିଗତ ଚିନ୍ତାଧାରା ଦ୍ୱାରା ନୁହେଁ, ସମ୍ବିଧାନ ଦ୍ୱାରା ପରିଚାଳିତ। ସମ୍ବିଧାନ ଅନୁଯାୟୀ ଯେକୌଣସି ନାଗରିକ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ କିମ୍ବା ମେୟର ହୋଇପାରିବେ। ଓୱେସିଙ୍କ ବକ୍ତବ୍ୟରେ କୌଣସି ଭୁଲ ନାହିଁ ଏବଂ ଏଆଇଏମଆଇଏମ କୌଣସି ଧମକରେ ଭୟଭୀତ ହେବ ନାହିଁ।

ଆହୁରି ପଢନ୍ତୁ:ଗଣତନ୍ତ୍ର ଦିବସ ପୂର୍ବରୁ ବଡ଼ ଧରଣର ଆତଙ୍କୀ ଷଡଯନ୍ତ୍ର ବିଫଳ, ହତିଆର ଭର୍ତ୍ତି ପାକିସ୍ତାନୀ ଡ୍ରୋନ୍ ନଷ୍ଟ