ମାନବକୃତ ଶବ୍ଦ ହୁଏତ ଗାଡ଼ିମଟର, କଳ କାରଖାନା, ଘରଦ୍ୱାର ତିଆରି ବା ଉଡ଼ାଜାହାଜ କି ଜାହାଜ ଆଦିରୁ ନିଃସୃତ ହୋଇଥାଏ ତ ନିଶ୍ଚୟ, ସାମାଜିକ ଚଳଣି ମଧ୍ୟରେ ଏହାର ଜନ୍ମ କିନ୍ତୁ ବିବାହ-ବ୍ରତ, ପୂଜା-ପାର୍ବଣ, ଖେଳକୁଦ, ସଭା ସମିତି, ଅପେରା ବା ମ୍ୟୁଜିକ୍ କନ୍ସର୍ଟ ପରି ଅନେକ ଉତ୍ସରୁ ମଧ୍ୟ ସମ୍ଭବପର ହୋଇଥାଏ ।
ଦଶହରା ଛୁଟି ସରିବା ପରେ ପରେ ପାଠପଢ଼ା ଆରମ୍ଭ ହୋଇସାରିଥାଏ । ମାଛି ଅନ୍ଧାରିଆ ବେଳକୁ ମୁଁ ଘରକୁ ଫେରିବା ସମୟରେ ଦୁର୍ଗା ମେଢ଼ର ଭସାଣି ଉତ୍ସବ ବି ଜମକୁଥାଏ ଲୋକଙ୍କ ଗହଣରେ । ପାଖାପାଖି କେତେ ଶହ ମିଟର ଲମ୍ବା ପ୍ରୋସେସନ୍ଟି ଏମିତି ଖେଳେଇ ହୋଇ ରହିଥାଏ ଯେ, ଛକ ଡେଇଁ ଆସି ଆମ ଗଳି ଭିତରକୁ ପଶିବାକୁ ଆଉ କାହାର ଯୁ' ନଥାଏ । ବଡ଼ ବଡ଼ ଡେକ୍ ଲଗା ଗାନା ବାଜ୍ନା ସାଙ୍ଗକୁ ଦେଶୀୟ ବାଜା ଓ ପରମ୍ପରାଗତ କୀର୍ତ୍ତନ, ଘଣ୍ଟ ଆଦିର ଶବ୍ଦରେ ଭାବଗତ ହେଲେ ମଧ୍ୟ କୋଳାହଳମୟ ପରିବେଶଟିଏ ଗଢ଼ିଉଠିଥାଏ ସହରର ପେଣ୍ଠ ଛକଟି ନିକଟରେ । ରହି ରହି ଭସାଣିର ଉଦ୍ଦମତାକୁ ଆହୁରି ଜାହିର କରୁଥାଏ ବାଣ ଆଉ ଆତସବାଜିର ସେ ବିଚିତ୍ର ଯୁଗଳବନ୍ଦୀ, କେଇ କ୍ଷଣ ପାଇଁ କାନ ଆଉ ମୁଣ୍ଡକୁ ଶୂନ୍ୟ କରିଦେଇ । ଆଉ କିଛି କରିବାର ନଥିଲା, କେବଳ ସେଇ ଗଳି ରାସ୍ତାଟି ସଫା ହେବାକୁ ଅପେକ୍ଷା କରିବା ବିନା । ଏଣୁ ସାମ୍ନା ରାସ୍ତା ଧାରରେ ବାଇକ୍ଟି ଛିଡ଼ାକରି ମୁଁ ଚୁପ୍ଚାପ୍ ଆୟୋଜନ ସବୁକୁ ନିରେଖି କରି ଦେଖିବାରେ ଲାଗିଲି, ଆଖପାଖର ଦର୍ଶକଙ୍କ କ୍ରିୟା- ପ୍ରତିକ୍ରିୟାକୁ ବି ନଜରକୁ ନେଇ । ସେତେବେଳକୁ ବେଶ୍ ଲୋକ ଜମା ହୋଇସାରିଥିଲେ । ଠିକ୍ ମୋ ପଛ ପାଖରେ ଛିଡ଼ା ହୋଇଥିଲେ ଆଖପାଖ ବସ୍ତିର ଦଳେ ମହିଳା, ନିଜ ନିଜର ପିଲା-ପିଚିକା ସହ । ସେଥିରୁ ଜଣେ ଏଡ଼େ ବକଟେ ଛୁଆଟିଏ କାଖେଇ ଧରିଥାଏ ।
ବର୍ଷେ-ଦେଢ଼ ବର୍ଷର ସେ ପିଲାଟି କିନ୍ତୁ ରାହା ଧରି କାନ୍ଦୁଥାଏ ଅନବରତ, କ୍ୱଚିତ୍ ଚୁପ୍ ରହି । ଥରକୁ ଥର ଚମକୁଥିବା ବାଣ-ରୋଷଣୀର କରାମତିରେ ଅବା ତୀବ୍ର ମାଇକ୍ ଶବ୍ଦରେ ହୁଏତ ଅଥୟ ହୋଇଉଠୁଥାଏ କୁନି ମସ୍ତିଷ୍କଟି । ତା’ ମାଆର କିନ୍ତୁ ପରବାୟ ନଥାଏ ସେସବୁ କଥାକୁ । ଟିକିଏ ପିଲାକୁ ଆ-ଆ କରିଦେଇ ହାଁ କରି ଅନେଇଥାଏ ରାସ୍ତା ଉପରେ ବଦଳୁଥିବା ଦୃଶ୍ୟପଟ୍ଟ ଯେତିକୁ । ଏତେସବୁ ଧନ୍ଦା ଭିତରେ ଆଉ ଗୋଟିଏ କଥା ବି ମତେ ଭାରି ବ୍ୟଥିତ କରୁଥାଏ । ରାସ୍ତାକଡ଼ ବଡ଼ ବଡ଼ ନିମ୍ବଗଛ ଉପରେ କେଉଁକାଳୁ ଆସ୍ଥାନ ଜମେଇଥିବା ବଗ-ବଗୁଲି ଯୋଡ଼ିମାନେ କିଛି ବୁଝିପାରୁନଥାନ୍ତି ତାଙ୍କର ସେ ଘରବାହୁଡ଼ା ସମୟରେ । ପ୍ରାଣ ବିକଳରେ ଏପଟ ସେପଟ ଧାଉଁଥାନ୍ତି ଆତସବାଜିର ଭେଳିକି ଭିତରେ। ପଟୁଆରଟି ଗଳିମୁଣ୍ଡ ଅତିକ୍ରାନ୍ତ କରନ୍ତେ, ଧଇଁସଇଁ ପିଲାଟିର କାନ୍ଦୁରା ମୁହଁକୁ ଥରୁଟିଏ ଅନେଇ ଦେଇ ବାଇକ୍ ଷ୍ଟାର୍ଟ କଲି । ଗଲା ଦୀପାବଳି ବେଳେ ଛାତ ଉପରୁ ବାଣର ବିକଟ ଶବ୍ଦ ସହ ଧଳା ପକ୍ଷୀମାନଙ୍କ ଏକନିଷ୍ଠ ଉଡ଼ାଣ ବଦଳରେ ଭୀତତ୍ରସ୍ତ ପକ୍ଷଚାଳନାକୁ ମାନବକୃତ ଅହେତୁକ ଶବ୍ଦର ଯେ କି ପ୍ରଭାବ ରହିଛି ତାର ଟିକିଏ ବିଶଦ ବ୍ୟାଖ୍ୟା କରିବାର ସଂକଳ୍ପଟିଏ ନେଲି ।
ଆମେ ଜାଣୁ ଯେ, ଶବ୍ଦ ବା ଧ୍ୱନି, ତରଙ୍ଗ ହୋଇ ଆମ କାନର ପରଦାକୁ ଆସି ଛୁଇଁଲେ, କମ୍ପନ ମାଧ୍ୟମରେ ତଥା ସ୍ନାୟୁତନ୍ତ୍ର ଓ ଆମ ମସ୍ତିଷ୍କ ଜରିଆରେ ଏହାର ଆଭାସ ଆମେ ପାଇଥାଉ । ଶବ୍ଦଟି କମ୍ ଅବା ବେଶି ଏହା ଜାଣିବା ପାଇଁ ବ୍ୟବହାରରେ ଆସୁଥିବା ଏକକଟି ହେଉଛି ‘ଡେସିବେଲ୍' । ଏହି ଏକକଟି ଉପରେ ଏକ ସୁନ୍ଦର ଧାରଣା ପାଇଁ ଆମେ ‘ନଏଜ୍ ପ୍ରୋଜେକ୍ଟ' ନାମକ ଏକ ୱେବ୍ସାଇଟ୍ ତରଫରୁ ପ୍ରକାଶିତ ଏଲାଇସିଆ ବାସ୍କୁଇଏଟ୍ଙ୍କ ଲେଖାକୁ ବିଚାରକୁ ନେଇପାରିବା । ନିଶ୍ୱାସ- ପ୍ରଶ୍ୱାସ ବା ସାଧାରଣ ଘଣ୍ଟାର ଟିକ୍ଟିକ୍ ଶବ୍ଦ ୦-୩୦, ଫୁସ୍ଫାସ୍ କଥା ବା ମଶାର ଗୁଣୁଗଣୁ ଶବ୍ଦ ୩୦-୪୦, ରେଫ୍ରିଜରେଟର୍ ବା ଝରଣାର କୁଳୁକୁଳୁ ନାଦ ୪୦- ୫୦, ସାଧାରଣ କଥାବାର୍ତ୍ତା ତଥା ବର୍ଷାର ଧ୍ୱନି ୫୦-୬୦, ଉଚ୍ଚସ୍ୱରର ହସ ହେଉ କି କଥା ହେଉ ଅବା ହେଉ ହେଆର ଡ୍ରାୟର୍ର ଶବ୍ଦ ୬୦-୭୦, ଏକ କାର୍ କି ୱାସିଙ୍ଗ୍ ମେସିନ୍ ୭୦-୮୦, ଏକ ବ୍ୟସ୍ତ ସହରର ଟ୍ରାଫିକ୍ ବା ଲନ୍ ସାଇଜ କରିବା ଯନ୍ତ୍ର ୮୦-୯୦, ଏକ ସବ୍ୱେ ଟ୍ରେନ୍ ବା ପାଖାପାଖି ୧୬ ଫୁଟ ଦୂରରୁ ଏକ ଗାଡ଼ିର ହର୍ଣ୍ଣ ୯୦-୧୦୦ ଡେସିବେଲ ହୋଇଥିବା ବେଳେ କେବଳ ୧୦୦ ଫୁଟ ଉଚ୍ଚରେ ଉଡୁଥିବା ପ୍ଲେନ୍ ବା ବାଣର ଶବ୍ଦ ୧୦୦-୧୫୦ ଡେସିବେଲ ପର୍ଯ୍ୟନ୍ତ ହୋଇଥାଏ । ପ୍ରାୟ ୪୦ ଡେସିବେଲ ପର୍ଯ୍ୟନ୍ତ ଶବ୍ଦ ଆମପାଇଁ ବିଶେଷ କିଛି ଅସୁବିଧା ସୃଷ୍ଟି କରିନଥାଏ । କିନ୍ତୁ ତା’ଠାରୁ ଅଧିକ ଶବ୍ଦ ମାନବଠାରେ ବିଭିନ୍ନ ପ୍ରକାର ଶାରୀରିକ ତଥା ମାନସିକ କୁପ୍ରଭାବ ପକାଏ । ଏହାର ସମ୍ୟକ୍ ଆଲୋଚନାଟିଏ କରିବା ସମୟରେ ମୁଁ ଜର୍ଣ୍ଣାଲ୍ ଅଫ୍ ଏକ୍ସପୋଜର୍ ସାଇନ୍ସ ଏଣ୍ଡ୍ ଏନ୍ଭିରନ୍ମେଣ୍ଟାଲ ଏପିଡେମିଓଲୋଜିରେ ଏଇ ୨୦୨୪ ମସିହାରେ ପ୍ରକାଶିତ ଓମାର ହାହାଦ୍ ଏବଂ ସାଥୀଙ୍କର ଏକ ଲେଖାରୁ କିଛି ଆଣିବାକୁ ସ୍ଥିର କରିଛି । କହିବାର କଥା ହେଉଛି ଯେ, ଶବ୍ଦଜନିତ ବିଷମତା ଆମଠେଇଁ ଉଚ୍ଚ ରକ୍ତଚାପରୁ ଆରମ୍ଭକରି ହୃଦ୍ଘାତ ପର୍ଯ୍ୟନ୍ତ ହୃଦୟତନ୍ତ୍ର ଜଡ଼ିତ, ଡାଇବେଟିସ୍ ବା ମୋଟାପା ପରି ଶରୀରକ୍ରିୟା ସମ୍ବନ୍ଧୀୟ, ସ୍ନାୟୁତନ୍ତ୍ରର ଅଧୀନ ଭୁଲାବ୍ୟାଧି ବା ଶିଖିବାରେ ବିଳମ୍ବ, ଶ୍ୱାସ ଆଦି ଶ୍ୱସନ ସଂସ୍ଥାନ ସମ୍ପର୍କିତ ଅବା କ୍ୟାନସର୍ ପରି କେତେଯେ ରୋଗକୁ ନିଉତା ଦେବାର କାମ କରିଥାଏ । ଏଥିସହ ଅଯଥା ବିଚଳିତ ହେବା, ବ୍ୟବହାରରେ ଅହେତୁକ ପରିବର୍ତ୍ତନ ହେବା ଏବଂ ଅବସାଦରୁ ନେଇ ଆତ୍ମହତ୍ୟା ପରି ଚରମ ମାନସିକ ରୋଗର ବି କାରଣ ହୋଇପାରେ । କେବଳ ସେତିକି ନୁହେଁ, ଧ୍ୱନି ସୀମା ଟପିଲେ କାନର ପରଦାରେ କ୍ଷତି ହୋଇ ଶୁଣିବା ଶକ୍ତି କମିଯାଏ ତଥା ଏପରି ସ୍ଥିତି ଲାଗିରହିଲେ ଏହା ଆମର ନିଦ୍ରାଚକ୍ରକୁ ମଧ୍ୟ ପ୍ରଭାବିତ କରିବାର ପ୍ରଭୂତ କ୍ଷମତା ରଖେ ବୋଲି ମଧ୍ୟ ଲେଖାଟିରେ ଜଣାଇ ଦିଆଯାଇଅଛି । ଏ ଜିନିଷ ଯେତିକୁ ଘାଣ୍ଟିଲା ବେଳକୁ କେବେ କେମିତି ଖବରରେ ଆସୁଥିବା ଡିଜେ ନାମକ ଭୟଙ୍କର ଶବ୍ଦ ସୃଷ୍ଟିକାରୀ ଯନ୍ତ୍ରର କରାଳ ଗ୍ରାସର ଶିକାର ହେଉଥିବା ଲୋକମାନଙ୍କ କଥା ବି ମନକୁ ଚାଲିଆସୁଛି ଜୋରଜବରଦସ୍ତ ।
ଏବେ ଆମର ଏ ଆଲୋଚନାଟିକୁ ଏକ ଭିନ୍ନ ଆୟାମ ଦେବା, ପଶୁ-ପକ୍ଷୀଙ୍କ ଉପରେ ଶବ୍ଦ ପ୍ରଦୂଷଣର ପ୍ରଭାବ ଉପରେ ହୋଇଥିବା ଗବେଷଣାଗୁଡ଼ିକୁ ଆଖିଆଗରେ ରଖି । ଏଠି କହିରଖେ, ଅନ୍ତତଃ କିଛି ଗବେଷକ ଅହରହ ଏ କାମରେ ଲାଗିଛନ୍ତି ନାନା ପ୍ରକାରର ଆଧୁନିକ କାର୍ଯ୍ୟବିଧି ସବୁକୁ ଆପଣେଇ ନେଇ । ୨୦୨୨ ମସିହାରେ ପ୍ରକାଶିତ ‘ଏକ୍ସପ୍ଲୋରିଙ୍ଗ୍ ଏନିମଲ୍ ବିହେବିୟର୍ ଥ୍ରୁ ସାଉଣ୍ଡ-ଭାଗ ୧' ନାମକ ପୁସ୍ତକ ହେଉ କି ୨୦୧୯ ମସିହାରେ ବାୟୋଲୋଜି ଲେଟର୍ସ ନାମକ ପତ୍ରିକାରେ ଛପା ହୋଇଥିବା କୁଙ୍କ୍ ଓ ସ୍ମିଡ୍ଙ୍କ ଲେଖା, କଥାଟିକୁ ଅତି ସୁନ୍ଦର ଭାବରେ ବାଢ଼ିଦିଅନ୍ତି, ମନକୁ ଆଞ୍ଚୁଡି ଦେଉଥିବା କେତେ ଉଦାହରଣ ସହ । ଏ ଧରଣର ପ୍ରବନ୍ଧମାନଙ୍କରୁ ଜଣାଯାଏ ଯେ, ଶବ୍ଦ ପ୍ରଦୂଷଣ ହେତୁ ଉଭୟଚର, କୀଟପତଙ୍ଗ, ପକ୍ଷୀ, ମାଛ, ଗେଣ୍ଡା, ସରୀସୃପ ତଥା ସ୍ତନ୍ୟପାୟୀ ଆଦି ସବୁ ସ୍ତରର ପ୍ରାଣୀ ଏହାଦ୍ୱାରା ପ୍ରଭାବିତ ହୋଇଥାନ୍ତି । ବନ୍ୟଜୀବମାନଙ୍କ ଉପରେ ହୋଇଥିବା ଗବେଷଣାଗୁଡ଼ିକରୁ ଏହା ସ୍ପଷ୍ଟ ଯେ ଅବାଞ୍ଛିତ ଶବ୍ଦ ସେମାନଙ୍କ ଭାବର ଆଦାନ ପ୍ରଦାନ, ପରିବେଶରେ ବାଣ୍ଟିହୋଇ ରହିବା କ୍ଷମତା, ଖାଦ୍ୟ ଅନ୍ୱେଷଣ ପ୍ରକ୍ରିୟା, ସନ୍ତୁଳନ ବା ସ୍ଥିରତା ପ୍ରଭୃତିକୁ ସଂକୁଚିତ କରିଦେବାର ସାମର୍ଥ୍ୟ ରଖେ । ଏଠାରେ ଜଣାଇ ଦିଆଯାଇପାରେ ଯେ ବେଙ୍ଗ, ଝିଙ୍କାରି, ବାଲିନ୍ ତିମି, ବାଦୁଡ଼ି ପରି ପ୍ରାଣୀ ତଥା ବହୁ ପକ୍ଷୀ ସ୍ୱକୀୟ ଶବ୍ଦକୁ ମାଧ୍ୟମ କରି ନିଜ ନିଜର ସାଥୀମାନଙ୍କୁ ଆକୃଷ୍ଟ କରିଥାନ୍ତି । ସେମାନେ ରହୁଥିବା ପରିବେଶରେ ବାହାର ଶବ୍ଦର ହାର ବଢ଼ି ଚାଲିଲେ ଜୀବଗତ ଶବ୍ଦର ମୌଳିକତା ନଷ୍ଟ ହେବା ହେତୁ ସେମାନଙ୍କ ବଂଶବୃଦ୍ଧି ପ୍ରକ୍ରିୟାଟି ବ୍ୟାହତ ହୋଇଥାଏ, ଫଳତଃ ଖାଦ୍ୟଶୃଙ୍ଖଳଟି ପ୍ରଭାବିତ ହୋଇ ଏକ ଅସନ୍ତୁଳିତ ପରିବେଶର ଜାତକ ଲେଖା ଆପେ ଆପେ ଆରମ୍ଭ ହୋଇଯାଏ ।
କୃତ୍ରିମ ଶବ୍ଦ ଯେ କିପରି ଜୀବମାନଙ୍କ ବ୍ୟବହାରକୁ ବଦଳାଇ ଦେବାର ସାମର୍ଥ୍ୟ ରଖେ ତାହା ୧୯୮୪ ମସିହାରେ ମାଲ୍ମେ ଏବଂ ସାଥୀଙ୍କ ଦ୍ୱାରା ଧୂସର ତିମି ଉପରେ ହୋଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଯାଏ । ଏଥିରେ ଆଲାସ୍କା ଏବଂ ମେକ୍ସିକୋ ମଧ୍ୟସ୍ଥ ପେଟ୍ରୋଲିୟମ ଶିଳ୍ପରୁ ଜାତ ଖନନ ସହ ଜଡ଼ିତ ସାଗର ଜଳ ଭିତରର ଶବ୍ଦ ପ୍ରଦୂଷଣ ପ୍ରାଣୀଟିର ଚିରାଚରିତ ରାସ୍ତାକୁ ବଦଳାଇ ଦେଇ ଶବ୍ଦରୁ ଦୂର ଏକ ନୂଆ ତଥା ଅଧିକ ଲମ୍ବ ରାସ୍ତାରେ ଗମନାଗମନ କରିବାକୁ ତାକୁ ଏକରକମ ବାଧ୍ୟ କରିଦେଇଥିବା ବିଷୟଟି ଉଜାଗର କରାଯାଇଅଛି । ସେହିପରି ୨୦୦୬ ମସିହାରେ ରବିନ୍ ଏବଂ ସାଥୀଗଣଙ୍କର ପବନକଳ ପାଖରେ ଗୁଣ୍ଡୁଚିମୂଷାମାନେ ମାତ୍ରାଧିକ ଯତ୍ନଶୀଳ ହୋଇପଡ଼ିବା କଥା ପରି କେତେ ଯେ ଗବେଷଣା ଏ ଦିଗରେ ଆମକୁ ସଚେତନ କରିଚାଲିଥିବା କଥା ପଢୁଥିବା ଲୋକଙ୍କୁ ହିଁ ଜଣା । ଯଦିଓ ଏ ସଂକ୍ରାନ୍ତରେ କାମ କମ୍, ତଥାପି ଆପଣମାନେ ଆହୁରି ଆଶ୍ଚର୍ଯ୍ୟ ହେବେ ଯେବେ ଜାଣିବେ ଏସବୁ ଧ୍ୱନି ପ୍ରଦୂଷଣ ପ୍ରାଣୀ ସହିତ ପରିବେଶରେ ଥିବା ବୃକ୍ଷଲତା ଉପରେ ବି ଦାଉ ସାଧିବା ଆରମ୍ଭ କରିଦେଇଥାଏ ବୋଲି ।
ରିସର୍ଚ୍ଚ ଇନ୍ ପ୍ଲାଣ୍ଟ ଡିଜିଜ୍ ନାମକ ଜର୍ଣ୍ଣାଲରେ ୨୦୧୪ ମସିହାରେ ପ୍ରକାଶିତ ଏମ୍. ଚୌଧୁରୀ ଏବଂ ଆଉ ଦୁଇ ଗବେଷକଙ୍କ ଲେଖାରୁ ବୁଝାପଡ଼େ ଯେ ଶବ୍ଦକୁ ଜାଣି ଗଛଲତା ଉପରେ ଏହାର ପ୍ରଭାବ ହୁଏତ ଭଲ କିମ୍ବା ଖରାପ ହୋଇଥାଏ, କାରଣ ଏହା ବୃକ୍ଷର ଜୈବିକ ବା ଜୈବରାସାୟନିକ ପ୍ରକ୍ରିୟାଗୁଡ଼ିକୁ ପ୍ରଭାବିତ କରିବାରେ ତ ସମର୍ଥ ହୋଇଥାଏ । ଅବଶ୍ୟ ଏଥିସହ ଏହାର ଜିନ୍ଗୁଡ଼ିକର ପ୍ରଭାବକୁ ମଧ୍ୟ ଏପଟ ସେପଟ କରୁଥିବା କଥାଟି ବି ପ୍ରକାରାନ୍ତରେ କହି ଦିଆଯାଇଅଛି ଏ ପ୍ରବନ୍ଧଟିରେ । ପୁଣି ଆମେରିକାର ସାଇନ୍ସ ଫାଉଣ୍ଡେସନ୍ ତରଫରୁ ୨୦୨୧ ମସିହାରେ ପ୍ରକାଶିତ ଲେଖାଟିଏରୁ ଜଣାଯାଏ ଯେ, ଅହେତୁକ ଉଚ୍ଚ ଅପ୍ରାକୃତିକ ଶବ୍ଦ ହେଉଥିବା ପରିବେଶରେ ବଢୁଥିବା ବୃକ୍ଷାଦି ଉପରେ ଏହାର କୁପ୍ରଭାବ ଶବ୍ଦ ପ୍ରଦୂଷଣଟି ଅପସାରିତ ହେବାର ବହୁ ସମୟ ପରେ ବି ଅନୁଭୂତ ହେଉଥିବା କଥାଟି କାଲିଫର୍ଣ୍ଣିଆ ଷ୍ଟେଟ୍ ୟୁନିଭରସିଟିର ଗବେଷକ ଦଳ ପ୍ରମାଣିତ କରିଛନ୍ତି ।
ମାନବକୃତ ଶବ୍ଦ ହୁଏତ ଗାଡ଼ିମଟର, କଳ କାରଖାନା, ଘରଦ୍ୱାର ତିଆରି ବା ଉଡ଼ାଜାହାଜ କି ଜାହାଜ ଆଦିରୁ ନିସୃତ ହୋଇଥାଏ ତ ନିଶ୍ଚୟ, ସାମାଜିକ ଚଳଣି ମଧ୍ୟରେ ଏହାର ଜନ୍ମ କିନ୍ତୁ ବିବାହ-ବ୍ରତ, ପୂଜା-ପାର୍ବଣ, ଖେଳକୁଦ, ସଭା ସମିତି, ଅପେରା ବା ମ୍ୟୁଜିକ୍ କନ୍ସର୍ଟ ପରି ଅନେକ ଉତ୍ସରୁ ମଧ୍ୟ ସମ୍ଭବପର ହୋଇଥାଏ । ଅଳ୍ପ କିଛି କ୍ଷେତ୍ରରେ ଏହି କୃତ୍ରିମ ଧ୍ୱନି ସବୁ କେଉଁ କେଉଁ ଜୀବର ମଙ୍ଗଳ ସାଧନ କଲେହେଁ ଅଧିକାଂଶ ସମୟରେ କିନ୍ତୁ ଜୀବ ଜଗତର ପ୍ରଭୂତ କ୍ଷତି ହିଁ କରିଥାନ୍ତି । ଆଜି ଯୁଗରେ ଏହି ବିଭୀଷିକାକୁ ମର୍ମେ ମର୍ମେ ଅନୁଭବ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଯଥାର୍ଥରେ ଘୋଷଣା କରାଯାଇଅଛି ଯେ, ଉଭୟ ସ୍ଥଳଜ ଏବଂ ଜଳଜ ସଂସ୍ଥାନଗୁଡ଼ିକ ମଧ୍ୟରେ ଆସ୍ଥାନ ଜମାଇ ରହିଥିବା ଶବ୍ଦ ହେଉଛି ଏକ ଅତୀବ ଘାତକ ପ୍ରଦୂଷଣ କାରକ । ଏଣୁ, ସାଧାରଣ ଭାବରେ ଭାବିନେଲେ ଜମାରୁ ଏକ ସମସ୍ୟା ବୋଲି ପ୍ରତୀୟମାନ ହେଉନଥିବା ଏ ଅଲୋଡ଼ା ବୃକ୍ଷର ଚେରକୁ ଆଉ ମୋଟା ହେବାକୁ ନଦେଇ ବେଳ ଥାଉଁ ନିଦାନ ଆରମ୍ଭ କରିଦେବାର ସମୟ ଆସିଯାଇଛି ବୋଲି ନିଜର କାର୍ଯ୍ୟ ମାଧ୍ୟମରେ ରୋକ୍ଠୋକ୍ ଜଣାଇଦେବାରେ କାହାରି ବି ଦ୍ୱିଧା ନରହିବା ଉଚିତ ।