ନୂଆଦିଲ୍ଲୀ: ଆଜିକା ସମୟରେ ଅଳ୍ପ ବୟସର ବ୍ୟକ୍ତିଙ୍କ ଠାରେ ମଧ୍ୟ ହାଡ଼ ଦୁର୍ବଳତା ସମସ୍ୟା ଦେଖାଯାଏ। ପ୍ରଥମେ ଏହି ସମସ୍ୟା ବୟସାଧିକ ସହ ଯୋଡ଼ି ଦେଖା ଯାଉଥିଲା, କିନ୍ତୁ ଏବେ ଯୁବବର୍ଗଙ୍କ ଠାରେ ମଧ୍ୟ ହାଡ଼ର ଯନ୍ତ୍ରଣା , ଦୁର୍ବଳ ଓ ଖୁବ୍ କ୍ଲାନ୍ତ ଲାଗିବା ଭଳି ସମସ୍ୟା ବଢିବାରେ ଲାଗିଛି। ଏହାର ଏକ ବଡ଼ କାରଣ ଶରୀରରେ କ୍ୟାଲସିୟମର ଅଭାବ ହୋଇପାରେ। ହେଲେ, ହାଡ଼ର ସୁସ୍ଥତା କେବଳ ଏକ ପୋଷକ ତତ୍ତ୍ୱ ଉପରେ ନିର୍ଭରଶୀଳ ନୁହେଁ, ଦୈନିକ ଜୀବନରେ ଖାଦ୍ୟପେୟ ଓ ଆଉ କିଛି କାରଣ ମଧ୍ୟ ହାଡ଼ର ମଜବୁତକୁ ପ୍ରଭାବିତ କରେ। ତେଣୁ କେବଳ କ୍ୟାଲସିୟମ ଗ୍ରହଣ କଲେ ଯେ, ହାଡ଼ ସବୁବେଳେ ସୁସ୍ଥ ରହିବ ବୋଲି ବିଶ୍ୱାସ କରିବା ଠିକ୍ ନୁହେଁ।
ଶରୀରକୁ ସପୋର୍ଟ କରିବା, ଗତିଶୀଳ ହେବା ଏବଂ ସହଜରେ ଦୈନନ୍ଦିନ କାର୍ଯ୍ୟ କରିବା ପାଇଁ ମଜବୁତ ହାଡ଼ ଅତ୍ୟନ୍ତ ଜରୁରୀ। ଯଦି ସଠିକ ସମୟ ମଧ୍ୟରେ ହାଡ଼ର ଯତ୍ନ ନିଆ ନଯାଏ, ତେବେ ପରବର୍ତ୍ତୀ ଜୀବନରେ ଏହା ଭାଙ୍ଗିବା ଏବଂ ଅନ୍ୟାନ୍ୟ ସମସ୍ୟାର ଆଶଙ୍କା ବଢ଼ାଇ ପାରେ। ତେଣୁ, ଆରମ୍ଭରୁ ହାଡ଼ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ।
ଆସନ୍ତୁ ଜାଣିବା, କେଉଁ ଅଭ୍ୟାସଗୁଡ଼ିକ ହାଡ଼କୁ ଦୁର୍ବଳ କରି ପାରେ, ମଜବୁତ ହାଡ଼ ପାଇଁ କ’ଣ ସତର୍କତା ଅବଲମ୍ବନ କରିବା ଉଚିତ ଏବଂ ହାଡ଼ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ କେଉଁ ଖାଦ୍ୟକୁ ଲାଭଦାୟକ ବୋଲି ବିବେଚନା କରାଯାଏ।
କ୍ୟାଲସିୟମର ଅଭାବ ବ୍ୟତୀତ, ଅନ୍ୟ କେଉଁ ଅଭ୍ୟାସ ହାଡ଼କୁ ଦୁର୍ବଳ କରି ପାରେ ?
ମାୟୋ କ୍ଲିନିକ୍ ଅନୁଯାୟୀ, କେବଳ କ୍ୟାଲସିୟମ ଅଭାବ ଯୋଗୁଁ ହାଡ଼ ଦୁର୍ବଳ ହୁଏ ନାହିଁ। ଦୀର୍ଘ ସମୟ ଧରି ଶାରୀରିକ କାର୍ଯ୍ୟକଳାପ କିମ୍ବା ବ୍ୟାୟାମର ଅଭାବ ମଧ୍ୟ ହାଡ଼କୁ ଦୁର୍ବଳ କରି ପାରେ। ଧୂମପାନ ଏବଂ ଅତ୍ୟଧିକ ମଦ୍ୟପାନ ହାଡ଼ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇ ପାରେ। ପର୍ଯ୍ୟାପ୍ତ ଭିଟାମିନ୍ ଡି ଅଭାବରେ କ୍ୟାଲସିୟମର ଅପର୍ଯ୍ୟାପ୍ତ ବ୍ୟବହାର ମଧ୍ୟ ହୋଇପାରେ, ଯାହା ହାଡ଼କୁ ପ୍ରଭାବିତ କରିପାରେ।
ଏହା ବ୍ୟତୀତ, ଖୁବ କମ୍ ଓଜନ କିମ୍ବା ଦୀର୍ଘ ସମୟ ଧରି ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ମଧ୍ୟ ହାଡ଼କୁ ଦୁର୍ବଳ କରି ପାରେ। ବୟସ ସହିତ ହାଡ଼ର ଡେନସିଟି ସ୍ୱାଭାବିକ ଭାବରେ ହ୍ରାସ ପାଏ, ତେଣୁ ଏହି ସମୟରେ ବିଶେଷ ଯତ୍ନ ଆବଶ୍ୟକ। କିଛି ରୋଗ ଏବଂ ଦୀର୍ଘକାଳୀନ ଔଷଧ ମଧ୍ୟ ହାଡ଼କୁ ଦୁର୍ବଳ କରି ପାରେ। ତେଣୁ, ସୁସ୍ଥ ହାଡ଼ ବଜାୟ ରଖିବା ପାଇଁ, କେବଳ କ୍ୟାଲସିୟମ ଉପରେ ନୁହେଁ, ବରଂ ଆପଣଙ୍କର ପୂରା ଜୀବନଶୈଳୀ ଉପରେ ଧ୍ୟାନ ଦେବା ନିହାତି ଜରୁରୀ।
ମଜବୁତ ହାଡ଼ ପାଇଁ କେଉଁ ଅଭ୍ୟାସ ଗ୍ରହଣ କରିବା ଉଚିତ?
ମଜବୁତ ହାଡ଼ ପାଇଁ ନିୟମିତ ଶାରୀରିକ କାର୍ଯ୍ୟକଳାପ ଅତ୍ୟନ୍ତ ଜରୁରୀ। ବିଶେଷକରି ଚାଲିବା, ସିଡ଼ି ଚଢ଼ିବା, ହାଲୁକା ଦୌଡ଼ିବା କିମ୍ବା ଓଜନ ଉଠାଇବା ଭଳି ବ୍ୟାୟାମ ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରି ପାରେ। ଧୂମପାନ ଏବଂ ଅତ୍ୟଧିକ ମଦ୍ୟପାନକୁ ଏଡ଼ାଇବା ଉଚିତ। ଶରୀରର ସ୍ୱାସ୍ଥ୍ୟକର ଓଜନ ବଜାୟ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ପର୍ଯ୍ୟାପ୍ତ ସୂର୍ଯ୍ୟକିରଣ ପାଇବା ଶରୀରକୁ ଭିଟାମିନ୍ ଡି ଉତ୍ପାଦନ କରିବାରେ ସାହାଯ୍ୟ କରେ, ଯାହା ହାଡ଼ ପାଇଁ ଅତ୍ୟାବଶ୍ୟକ ହୋଇଥାଏ। ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଏବଂ କୌଣସି ସମସ୍ୟାକୁ ଅଣଦେଖା ନକରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।
ଶରୀରର ହାଡ଼କୁ ସୁସ୍ଥ ରଖିବା ପାଇଁ କ୍ୟାଲସିୟମ ଓ ଭିଟାମିନ –ଡି ରେ ଭରପୂର ଭୋଜନକୁ ନିଜର ଡାଏଟରେ ସାମିଲ କରନ୍ତୁ। ଦୁଗ୍ଧ, ଦହି , ପନିର , ସବୁଜ ପତ୍ର ଥିବା ପରିବା , ବାଦାମା ଓ କ୍ୟଲସିୟମ ଯୁକ୍ତ ଅନ୍ୟାନ୍ୟ ଖାଦ୍ୟ ଜିନିଷ ଫଳପ୍ରଦ ହୋଇପାରେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ସପ୍ଲିମେଣ୍ଟ ନିଅନ୍ତୁ। ଏହା ସହ ସନ୍ତୁଳିତ ଭୋଜନ କରନ୍ତୁ। ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଏବଂ ଦୀର୍ଘ ସମୟ ଯାଏ ବସି ରହିବାର ଅଭ୍ୟାସରୁ ନିବୃତ୍ତ ରୁହନ୍ତୁ। ସୁସ୍ଥ ଜୀବନଶୈଳୀ ହାଡ଼କୁ ଦୀର୍ଘ ଦିନ ଯାଏ ମଜବୁତ ରଖିବାରେ ସାହାଯ୍ୟ ମିଳି ପାରେ।
ଆହୁରି ମଧ୍ୟ ପଢନ୍ତୁ : Homemade Neem Face Wash : ବିନା ଖର୍ଚ୍ଚରେ ବି ଚମକିବ ଚେହେରା , ଜାଣନ୍ତୁ ଏହାର ଉପାୟ