• ଆପଣଙ୍କ ଘରେ ଦର୍ପଣ ଠିକ୍ ଦିଗରେ ଲାଗିଛି କି ?
  • କେଉଁ ଦିଗରେ ଦର୍ପଣ ରଖିଲେ ବଢ଼ିବ ସୁଖ-ସମୃଦ୍ଧି ?
  • କେଉଁ ଦିଗରେ ଲଗାଇଲେ ବଢ଼ିପାରେ ସମସ୍ୟା ?

ବାସ୍ତୁଶାସ୍ତ୍ର ନିୟମର ଦର୍ପଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଘରେ ଦର୍ପଣ ଲଗାଇବା କେବଳ ସଜାବାଜ ପାଇଁ ନୁହେଁ, ବାସ୍ତୁ ଶାସ୍ତ୍ର ଅନୁସାରେ ଏହାର ସଠିକ୍ ସ୍ଥାନ ଘରର ସୁଖ-ଶାନ୍ତି, ପାରିବାରିକ ସମ୍ପର୍କ ଏବଂ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇପାରେ। ବାସ୍ତୁ ବିଶେଷଜ୍ଞଙ୍କ ମତରେ, ଭୁଲ ଦିଗରେ ଦର୍ପଣ ଲଗାଇଲେ ଘରେ କଳହ, ମାନସିକ ଅଶାନ୍ତି ଏବଂ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ।

କେଉଁ ଦିଗରେ ଦର୍ପଣ ଲଗାଇବା ଅଶୁଭ?

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ, ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଦିଗରେ ଦର୍ପଣ ଲଗାଇବାକୁ ଅଶୁଭ ବୋଲି ମନାଯାଏ। ଏହି ଦିଗରେ ଦର୍ପଣ ରହିଲେ ଘରର ସକାରାତ୍ମକ ଶକ୍ତିରେ ବାଧା ସୃଷ୍ଟି ହୋଇ ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ, କଳହ ଓ ମାନସିକ ଚାପ ବଢ଼ିପାରେ।

ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଉପରେ ପ୍ରଭାବ

ବାସ୍ତୁ ମତାନୁସାରେ ଭୁଲ ଦିଗରେ ଲଗାଯାଇଥିବା ଦର୍ପଣ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ଓ ମତଭେଦର କାରଣ ହୋଇପାରେ। ଏହା ପରିବାରରେ ଅଶାନ୍ତି ସୃଷ୍ଟି କରିବା ସହ ସମ୍ପର୍କରେ ଦୂରତା ବଢ଼ାଇପାରେ ବୋଲି ବିଶ୍ୱାସ ରହିଛି।

କେଉଁ ଦିଗରେ ଦର୍ପଣ ଲଗାଇବା ସବୁଠାରୁ ଶୁଭ?

ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର କିମ୍ବା ପୂର୍ବ ଦିଗରେ ଦର୍ପଣ ଲଗାଇବା ସବୁଠାରୁ ଶୁଭ ବୋଲି କୁହାଯାଏ। ଏହା ଘରେ ସକାରାତ୍ମକ ଶକ୍ତିର ପ୍ରବାହ ବଢ଼ାଇବା ସହ ଆର୍ଥିକ ଉନ୍ନତି, ବ୍ୟବସାୟରେ ସଫଳତା ଓ ପରିବାରରେ ସୁଖ-ଶାନ୍ତି ଆଣିଥାଏ ବୋଲି ବିଶ୍ୱାସ ରହିଛି।

କେଉଁ ଆକାରର ଦର୍ପଣ ବ୍ୟବହାର କରିବେ?

ବାସ୍ତୁ ବିଶେଷଜ୍ଞଙ୍କ ମତରେ ଘରେ ଆୟତାକାର କିମ୍ବା ବର୍ଗାକାର ଦର୍ପଣ ବ୍ୟବହାର କରିବା ଶୁଭ। ଗୋଲ ଦର୍ପଣ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଏ।

ଘରେ ଭଙ୍ଗା ଦର୍ପଣ କାହିଁକି ରଖିବେ ନାହିଁ?

ଭଙ୍ଗା କିମ୍ବା ଫାଟିଥିବା ଦର୍ପଣ ଘରେ ରଖିବାକୁ ବାସ୍ତୁ ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଛି। ବିଶ୍ୱାସ ରହିଛି ଯେ ଏଭଳି ଦର୍ପଣ ନକାରାତ୍ମକ ଶକ୍ତି ବଢ଼ାଇଥାଏ, ଯାହା ଆର୍ଥିକ କ୍ଷତି ଓ ପାରିବାରିକ ସମସ୍ୟାର କାରଣ ହୋଇପାରେ। ତେଣୁ ଭଙ୍ଗା ଦର୍ପଣକୁ ତୁରନ୍ତ ଘରରୁ ହଟାଇଦେବା ଉଚିତ।

ଅଧିକ ପଢ଼ନ୍ତୁ- Silent Killer Car: ପାର୍କିଂ କାରରେ AC ଚାଲୁ ରଖି ଶୋଇବା କେତେ ଘାତକ ? କାର୍ବନ ମନୋକ୍ସାଇଡକୁ ନେଇ ସତର୍କବାଣୀ