କୋଣାର୍କ, ୦୬/୦୬: ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କଢ଼ା ନିମନ୍ତେ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ । ଖୁବଶୀଘ୍ର ସୂର୍ଯ୍ୟମନ୍ଦିରରୁ ବାଲି କଢ଼ା ଯିବ । ଏନେଇ ଶୁକ୍ରବାର ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଡ. ମିଲନ ଚାଓଲେ ଅନୁଧ୍ୟାନ କରିଛନ୍ତି । ଶନିବାର ଏଏସ୍ଆଇ ଡିଜି ସୂର୍ଯ୍ୟମନ୍ଦିର ପରିଦର୍ଶନ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି । ପୂର୍ବରୁ ଏକ ଉଚ୍ଚସ୍ତରୀୟ ବୈଷୟିକ ଟିମ ଅନୁଧ୍ୟାନ କରି ଫେରିଛନ୍ତି ।
ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢିବା ପାଇଁ ସୂର୍ଯ୍ୟମନ୍ଦିର ପଶ୍ଚିମ ଦିଗ ପ୍ରଥମ ପିଢ଼ରେ ଗର୍ଭଗୃହକୁ ଟନେଲ ନିର୍ମାଣ କାର୍ଯ୍ୟ ପୂର୍ବରୁ ମନ୍ଦିର କାନ୍ଥ ପଥରର ସ୍ଥିତି ଯାଞ୍ଚ କରାଯାଇଥିଲା । ମନ୍ଦିର ଗର୍ଭଗୃହ କାନ୍ଥର ଚଉଡା ମାପିବା ପାଇଁ ଉନ୍ନତ ଜ୍ଞାନ କୌଶଳ ବ୍ୟବହାର କରି ଡ୍ରିଲ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ୯ ମିଟର ପର୍ଯ୍ୟନ୍ତ ୬ମିଟର ଚଉଡାରେ ଓ ପୂର୍ବରୁ ହୋଇଥିବା ଛିଦ୍ର ଠାରୁ ୧.୨ମିଟର ବ୍ୟବଧାନରେ ୬ଇଞ୍ଚ ଗୋଲେଇର ୮ମିଟର କୋର୍ ଡ୍ରିଲ ହୋଇଛି । ଜିରୋ ଭାଇବ୍ରେଟର ମିଟର ଓ ଡାଇମଣ୍ଡ କଟର ସାହାଯ୍ୟରେ ଖନନ ହୋଇଥିଲା । ମନ୍ଦିର ପଥରର କୌଣସି କ୍ଷତି ନପହଞ୍ଚିବା ପାଇଁ ଡ୍ରିଲିଙ୍ଗ ପାଇଁ ଡାଇମଣ୍ଡ ଡ୍ରିଲ ମେସିନ ସହ ଜିରୋ ଭାଇବ୍ରେସନ ମେସିନର ବ୍ୟବହାର କରାଯାଇଥିଲା । ପରେ ଗର୍ଭଗୃହର ବାଲି ଓ ଡ୍ରିଲିଙ୍ଗ ସମୟରେ ପଥର ଗୁଣ୍ଡକୁ ସଂଗୃହୀତ କରାଯାଇ ଯାଞ୍ଚ ପାଇଁ ଆଇଆଇଟି ମାଡ୍ରାସ ପଠାଯାଇଥିଲା ।
ଅଧିକ ପଢ଼ନ୍ତୁ :- Board-Corporation Hiring : ବୋର୍ଡ ନିଗମ ନିଯୁକ୍ତି ନେଇ ଫିଟିଲା ବାଟ, ଜୁନ୍ ୩୦ ସୁଦ୍ଧା ୧୧୮୩ ଜଣଙ୍କୁ ନିଯୁକ୍ତି
ସୂଚନାଯୋଗ୍ୟ, ଗତ ୨୦୨୨ ସେପ୍ଟେମ୍ବର ୮ତାରିଖରେ ଏଏସ୍ଆଇ ଓ ବିଡିଆର ନିର୍ମାଣ ବିଭାଗ ସୂର୍ଯ୍ୟମନ୍ଦିର ଗର୍ଭଗୃହ ଦ୍ୱାର ନିକଟରେ ପୂଜାର୍ଚ୍ଚନା ସହିତ ହୋମଯଜ୍ଞ କରି ଶୁଭ ଦେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ ଲଗାଯାଇଥିଲା । ପରେ ଟନେଲ ଓ ଲିଫ୍ଟ ନିର୍ମାଣ ନିମନ୍ତେ ଫର୍ମାଟ ଓ ଲେଆଡଟ କାର୍ଯ୍ୟ ଆରମ୍ଭ ହାଇଥିଲା । ସେହିଭଳି ଦକ୍ଷିଣ ପାଶ୍ୱର୍ରେ ଲୁହା ବିମ ସାହାଯ୍ୟରେ ମନ୍ଦିର ଚୂଡାକୁ ପାହାଚ ନିର୍ମାଣ, ଉତ୍ତର ପଶ୍ଚିମ କୋଣରେ ମନ୍ଦିର ପାଦଦେଶରୁ ଚୂଡ଼ା ପର୍ଯ୍ୟନ୍ତ ଏକ ଲିଫ୍ଟ ଲଗାଯାଇଛି । ମନ୍ଦିର ଚୂଡ଼ାରୁ ଗର୍ଭଗୃହରେ ରହିଥିବା ବାଲି ଗୁଡିକୁ ମନ୍ଦିର ପାଦଦେଶକୁ ସୁରକ୍ଷିତ ଉପାୟରେ ପର୍ଯ୍ୟାୟକ୍ରମେ ବାହାର କରାଯିବ ।