ଭୁବନେଶ୍ୱର,୩୧/୦୫ ବର୍ଷ ପରେ ବର୍ଷ ଗଡ଼ି ଚାଲିଛି । ବର୍ଷାଋତୁରେ ବୃକ୍ଷରୋପଣ ସମୟ ଆସି ଚାଲିଯାଉଛି । ହେଲେ ଐତିହ୍ୟର କ୍ଷେତ୍ର ଏକାମ୍ରରେ ବଜ୍ରପାତ ପ୍ରତିରୋଧୀ ତାଳଗଛ ଲଗାଇବାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ(ଏଏସ୍ଆଇ)କୁ ବେଳ ନାହିଁ । ଏଣେ ଐତିହ୍ୟ ପ୍ରତି ଚଡ଼କ ଭୟ ବଢ଼ିବାରେ ଲାଗିଛି ।

ଏକାମ୍ର କ୍ଷେତ୍ରର ସିଂହଭାଗ ଐତିହ୍ୟ ସଂରକ୍ଷଣ ଦାୟିତ୍ୱ ଏଏସ୍ଆଇ ଅଧୀନରେ ରହିଛି । ବିଭାଗର ଚରମ ଅବହେଳା କାରଣରୁ ପ୍ରତିବର୍ଷ ଅନେକ ମୂଲ୍ୟବାନ ଐତିହ୍ୟ ପ୍ରାକୃତିକ ଦୁର୍ବିପାକରେ ପ୍ରଭାବିତ ହେଉଛି । ଏନେଇ ଗତବର୍ଷ ଏଏସ୍ଆଇକୁ ଇନ୍ଟାକର ରାଜ୍ୟ ଆବାହକ ଡ.ବିଶ୍ୱଜିତ ମହାନ୍ତି ଏକ ପତ୍ର ଲେଖି କ୍ଷୋଭ ପ୍ରକାଶ କରିଥିଲେ । ୨୦୨୩ରେ ଅନ୍ୟତମ ଆବାହକ ଅନୀଲ ଧୀର ଚିଠି ଲେଖି ଜଣାଇଥିଲେ ଯେ ବଜ୍ରପାତରୁ ସୁରକ୍ଷା ନିମନ୍ତେ ଏକାମ୍ର କ୍ଷେତ୍ରରେ ବ୍ୟାପକ ତାଳ, ଖଜୁରୀ ଓ ଗୁଆ ଆଦି ଗଛ ଲଗାଇବା ଆବଶ୍ୟକ ।

ଏଏସ୍ଆଇ କର୍ତ୍ତୃପକ୍ଷ ମଧ୍ୟ ତାଳଗଛ ଲଗାଇବାକୁ ସହମତ ହୋଇଥିଲେ । କିନ୍ତୁ ଏଯାଏ ଗୋଟିଏ ବି ବୃକ୍ଷରୋପଣ ହୋଇନାହିଁ । ଆଉ ମାତ୍ର ମାସକ ପରେ ବର୍ଷା ଋତୁ । ଏବେ କାଳବୈଶାଖୀ ବର୍ଷା ବି ହେଉଛି । ତଥାପି ଏଏସ୍ଆଇ ଏବଂ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ କର୍ତ୍ତୃପକ୍ଷ ନିଘୋଡ଼ ନିଦ୍ରାରେ ଶୋଇଛନ୍ତି । ଏ ସମ୍ପର୍କରେ ଏକାମ୍ର ଜନଜାଗରଣ ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକ କହିଛନ୍ତି, ଏକାମ୍ର କ୍ଷେତ୍ରରେ ଐତିହ୍ୟ ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ସେମିତି କିଛି କାର୍ଯ୍ୟ କରୁନାହାନ୍ତି । ନିୟମିତ ବ୍ୟବଧାନରେ ସମସ୍ତ ଐତିହ୍ୟକୁ ବୁଲି ସୁରକ୍ଷା ଯାଞ୍ଚ କରିବା କଥା । ତାହା ତ କରୁନାହାନ୍ତି, ଅତିରିକ୍ତ କାମକୁ କିଏ ପଚାରେ ।

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୮ ରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଏଏସଆଇ ଦ୍ୱାରା ସ୍ଥାପନ କରାଯାଇଥିବା ବିଜୁଳି ପ୍ରତିରୋଧ ବ୍ୟବସ୍ଥା କାମ ନ କରିବାରୁ ସମସ୍ତ ସିସି କ୍ୟାମେରା, ଦୁଇ ଇନ୍ଭର୍ଟର, ବିଦ୍ୟୁତ ବଲ୍ବ ଓ ସର୍କିଟ୍ ପୋଡ଼ି ନଷ୍ଟ ହୋଇଯାଇଥିଲା । ଶ୍ରଦ୍ଧାଳୁ ଓ ସେବାୟତଙ୍କୁ ବିଦ୍ୟୁତ ଝଟ୍କା ଲାଗିଥିଲା ବୋଲି ସେବାୟତମାନେ ଅଭିଯୋଗ କରିଥିଲେ । ଗତ ୩ ବର୍ଷ ମଧ୍ୟରେ ବଜ୍ରପାତ ଯୋଗୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ ୨ଥର କ୍ଷତି ପହଞ୍ଚିଛି । ସମାନ କାରଣରୁ ୨୦୨୩ ଜୁଲାଇରେ ରାମେଶ୍ୱର ମନ୍ଦିର ଦଧିନଉତି ମଧ୍ୟ ଖଣ୍ଡ ଖଣ୍ଡ ହୋଇ ଖସି ପଡ଼ିଥିଲା । ଗତ ୧୦ ବର୍ଷରେ ରାଜ୍ୟର ପ୍ରାୟ ୫୦୦ରୁ ଅଧିକ ମନ୍ଦିରକୁ ବଜ୍ରାଘାତର ପ୍ରଭାବ ପଡ଼ିଛି ବୋଲି ଇନ୍ଟାକ୍ ପକ୍ଷରୁ ସୂଚନା ମିଳିଛି । ମୁଖ୍ୟତଃ ପରିବର୍ତ୍ତିତ ପାଣିପାଗ କାରଣରୁ ଏପରି ଘଟଣା ବଢ଼ିବାରେ ଲାଗିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ଅଧିକ ପଢ଼ନ୍ତୁ :-  Rath Khala: ଗୟଳ ଓ ଚେସିସ୍ କଣ୍ଟା ତିଆରି ଶେଷ, ଦଣ୍ଡା ଫ୍ରେମ୍ ଖୋଲା ଚାଲିଛି...