ନୂଆଦିଲ୍ଲୀ: ଦୁବାଇରେ ଗତ ସେପ୍ଟେମ୍ୱର ୨୧ ତାରିଖରେ ଏସିଆ କପ ସୁପର ଫୋର ଖେଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ପାକିସ୍ତାନ ଖେଳାଳିଙ୍କ ଅଶୋଭନୀୟ ଆଚରଣ ଓଲଟା ସେମାନଙ୍କ ଉପରେ ମହଙ୍ଗା ପଡିଛି। ଏହି ହାଇ ଭୋଲ୍ଟେଜ୍ ଖେଳରେ ପାକିସ୍ତାନର ଦ୍ରୁତ ବୋଲର ହାରିସ ରଉଫ ବିଭିନ୍ନ ଅଶୋଭନୀୟ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିଥିଲେ। ଯେଉଁଥିପାଇଁ ତାଙ୍କ ମ୍ୟାଚ୍ ପାଉଣାରୁ ୩୦ ପ୍ରତିଶତ କାଟିବାକୁ ନିର୍ଦ୍ଦେଶ ଜାରି ହୋଇଥିବା ସୂଚନା ମିଳିଛି।
ଜଣେ ଭାରତୀୟ ବ୍ୟଟମ୍ୟାନଙ୍କୁ ଆଉଟ କରିବା ପରେ ରଉଫ ପ୍ଲେନ କ୍ରାସ ହେଉଥିବା ଦେଖାଇ ପାଭିଲିୟନରେ ବସିଥିବା ଦର୍ଶକଙ୍କୁ ଛିଗୁଲାଇଥିଲେ। ଯେଉଁଥିପାଇଁ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ(ICC)ର ମ୍ୟାଚ୍ ରେଫରି ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିଲେ। ରଉଫଙ୍କ ଏହି ଆଚରଣ ଖେଳର ନିୟମକୁ ବିରୋଧ କରୁଛି ବୋଲି ସେ ନିଜ ଅଭୋଯୋଗରେ ଦର୍ଶାଇଥିଲେ।
ଏନେଇ ICC ଏହି ମାମଲାର ଯାଞ୍ଚ କରିଥିଲା। ଯେଉଁଥିରେ ପାକିସ୍ତାନ ଦଳର ଉଭୟ ଖେଳାଳି ଯଥା ରଉଫ ଓ ଓପନର ସାହିବଜାଦା ଫରହାନଙ୍କୁ ଦୋଷି ସାବ୍ୟସ୍ତ କରାଯାଇଥିଲା। ଉଭୟେ ICCର ଆଚରଣ ସଂହିତା ଭାଗ ୧କୁ ଉଲଘଂନ କରିଥିବା ଜଣାପଡିଥିଲା। ଏଥିପାଇଁ ରାଉଫଙ୍କୁ ଆର୍ଥିକ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିଥିବାବେଳେ, ଫରହାନଙ୍କୁ ଅର୍ଦ୍ଧଶତକ ପୂରଣ କରିବା ପରେ ବନ୍ଧୁକ ପରି ବ୍ୟାଟ୍ ଦେଖାଇବା ପାଇଁ ଆଧିକାରୀକ ସ୍ତରରେ ଚେତାବନି ଦିଆଯାଇଛି।
ଆପଣଙ୍କୁ ଜଣାଇରଖୁ ଯେ, ଏହି ମ୍ୟାଚରେ ଫରହାନ ମୋଟ୍ ୪୫ ବଲରୁ ୫୮ ରନ୍ ସଂଗ୍ରହ କରିଥିଲେ। ନିଜ ଅର୍ଦ୍ଧଶତକ ପରେ ଫରହାନ ନିଜ ବ୍ୟଟକୁ ବନ୍ଧୁକ ଆକାରରେ ଧରି ସେଲିବ୍ରେସନ କରିଥିଲେ। ତେବେ ଏହି ମ୍ୟାଚକୁ ପରେ ଭାରତ ୬ ୱିକେଟ ବ୍ୟବଧାନରେ ଜିତି ନେଇଥିଲା। ICC, ଫରହାନଙ୍କ ଏହି ବନ୍ଧୁକ ସେଲିବ୍ରେସନକୁ ନିନ୍ଦା କରିବା ସହ ଏପରି ଆଚରଣ ଖେଳରେ ବ୍ୟାଘାତ ସୃଷ୍ଟି କରିପାରେ ବୋଲି କହିଥିଲା।
ICCର ଆଚରଣ ସଂହିତା ଭାଗ ୧କୁ ଉଲଂଘନ କଲେ ଖେଳାଳିଙ୍କ ପାଉଣାର ୫୦ ପ୍ରତିଶତ ଯାଏ ଫାଇନର ବ୍ୟବସ୍ଥା ଥିବା ବେଳେ ଗୋଟିଏ କି ଦୁଇଟି ଡିମେରିଡ ପଏଣ୍ଟ ଦିଆଯାଇଥାଏ। କେତେକ କ୍ଷେତ୍ରରେ ଖେଳାଳିଙ୍କ ଉପରେ ଆର୍ଥିକ ପେନାଲ୍ଟି ନଲଗାଇ କେବଳ ଚେତାବନି ଦିଆଯାଇଥାଏ।