ଦୁବାଇ,୨୬/୦୯: ଚଳିତ ଏସିଆ କପ୍ ସୁପର-୪ ରାଉଣ୍ଡ୍ର ଅନ୍ତିମ ଲିଗ୍ ମ୍ୟାଚ୍ରେ ଶୁକ୍ରବାର ଭାରତ ଓ ଶ୍ରୀଲଙ୍କା ପରସ୍ପରକୁ ଭେଟିବେ । ଭାରତ ପୂର୍ବରୁ ଫାଇନାଲ୍ରେ ପ୍ରବେଶ କରି ସାରିଛି ଓ ଶ୍ରୀଲଙ୍କା ଫାଇନାଲ୍ ଦୌଡ଼ରୁ ବାଦ ପଡ଼ି ସାରିଛି । ତେଣୁ ଏହି ମ୍ୟାଚ୍ କୌଣସି ଗୁରୁତ୍ୱ ରଖୁନାହିଁ । କେବଳ କିଛି ବ୍ୟକ୍ତିଗତ ରେକର୍ଡ ମ୍ୟାଚ୍ର ରୋମାଞ୍ଚ ବଢ଼ାଇବା ଆଶା କରାଯାଉଛି । ଶ୍ରୀଲଙ୍କା ବିଦାୟ ନେବା ପୂର୍ବରୁ ଭାରତକୁ ହରାଇ ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରିବ । ଭାରତ ଫାଇନାଲ୍ ପୂର୍ବରୁ ବଳକା ଖେଳାଳିମାନଙ୍କୁ ସୁଯୋଗ ଦେବାର ଯଥେଷ୍ଟ ସମ୍ଭାବନା ରହିଛି ।
ଏହି ମ୍ୟାଚ୍ରେ ଭାରତର ପଲା ଭାରି । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ମ୍ୟାଚ୍ରୁ ଭାରତ ୪ଟି ମ୍ୟାଚ୍ ଜିତିଛି । ଅବଶ୍ୟ ୧୪ମାସ ପରେ ଉଭୟ ଦଳ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଚଳିତ ଏସିଆ କପ୍ରେ ମଧ୍ୟ ଭାରତୀୟ ଦଳର ଆଧିପତ୍ୟ ଜାରି ରହିଛି । ତେଣୁ ଏହି ମ୍ୟାଚ୍ର ଫଳାଫଳକୁ ନେଇ ପୂର୍ବାନୁମାନ କରିବା କଷ୍ଟକର ନୁହେଁ।
ଶ୍ରୀଲଙ୍କା ପ୍ରାଥମିକ ରାଉଣ୍ଡ୍ରେ ୩ଟି ମ୍ୟାଚ ଜିତି ଫାଇନାଲ୍ର ପ୍ରମୁଖ ଦାବିଦାର ରୂପେ ଗଣା ହେଉଥିଲା । ମାତ୍ର ସୁପର-୪ ରାଉଣ୍ଡ୍ରେ କ୍ରମାନ୍ୱୟରେ ୨ଟି ମ୍ୟାଚ୍ ହାରି ଫାଇନାଲ୍ ଦୌଡ଼ରୁ ବାଦ ପଡ଼ିଥିଲା । ଓପନର ପଥୁମ ନିଶଙ୍କା ହଠାତ୍ ଫର୍ମ ହରାଇବା ଶ୍ରୀଲଙ୍କା ପରାଜୟର ପ୍ରମୁଖ କାରଣ ସାଜିଥିଲା । ମଧ୍ୟକ୍ରମ ବ୍ୟାଟରମାନେ ଦୁବାଇର ମନ୍ଥର ପିଚରେ ରନ ସଂଗ୍ରହ କରିବାର ଉପାୟ ପାଇ ନଥିଲେ ।
ଫାଇନାଲ ଦୌଡ଼ରୁ ବାଦ ପଡ଼ି ସାରିଥିବାରୁ ଶୁକ୍ରବାର ଶ୍ରୀଲଙ୍କା ବିନା ଚାପରେ ଖେଳିବ । କୁଶଲ ମେଣ୍ଡିସ, ନିଶଙ୍କା ଓ ୱାନିଣ୍ଡୁ ହସରଙ୍ଗାଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବ । ଭାରତ ଏକାଦଶରେ ପରିବର୍ତ୍ତନ କରିପାରେ । ଏପର୍ଯ୍ୟନ୍ତ ସୁଯୋଗ ପାଇ ନଥିବା ଜିତେଶ ଶର୍ମାଙ୍କୁ ଏକାଦଶରେ ସ୍ଥାନ ମିଳିବା ଆଶା କରାଯାଉଛି । ସେହିପରି ପ୍ରମୁଖ ପେସ୍ ବୋଲର ଯଶପ୍ରୀତ ବୁମରାଙ୍କୁ ମଧ୍ୟ ବିଶ୍ରାମ ମିଳିବା ସମ୍ଭାବନା ରହିଛି ।
ଦୁବାଇର ମନ୍ଥର ପିଚ୍ରେ ବ୍ୟାଟିଂ କ୍ରମରେ ପରିବର୍ତ୍ତନ କରିବା ଭାରି ପଡ଼ିପାରେ । ଏଠାରେ ମଧ୍ୟ ଓଭରଗୁଡ଼ିକରେ ରନ୍ ସଂଗ୍ରହ କଷ୍ଟକର ହେଉଛି । ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ସମ୍ପ୍ରତି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ମାତ୍ର ଶୁକ୍ରବାର କୁଲଦୀପ ଯାଦବ ଶ୍ରେଷ୍ଠ ପ୍ରଦର୍ଶନ କରିବା ଆଶା କରାଯାଉଛି ।
ଦୁବାଇର ମନ୍ଥର ପିଚ୍ରେ ମଧ୍ୟ ଓଭରଗୁଡ଼ିକରେ ଦ୍ରୁତ ରନ ସଂଗ୍ରହ କରିବା କଷ୍ଟକର ହେଉଛି । ସ୍ପିନରମାନେ ପିଚ୍ର ଭରପୁର ଫାଇଦା ଉଠାଉଛନ୍ତି । ମାତ୍ର ପ୍ରାରମ୍ଭରୁ ପିଚ୍ ପେସ୍ ବୋଲରଙ୍କୁ ସହାୟତା କରୁଛି । ପାୱାର ପ୍ଲେ ଓଭରଗୁଡ଼ିକରେ ପେସ୍ ବୋଲର ଘାତକ ସାବ୍ୟସ୍ତ ହେବେ । ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ
ଭାରତ: ଅଭିଷେକ ଶର୍ମା, ଶୁଭମନ ଗିଲ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ସଞ୍ଜୁ ସାମସନ/ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା/ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ ।
ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁଶଲ ମେଣ୍ଡିସ, କୁଶଲ ପେରେରା, ଚରିଥ ଆଶାଲଙ୍କା (ଅଧିନାୟକ), କାମିଣ୍ଡୁ ମେଣ୍ଡିସ, ଡାସୁନ ଶଣକା, ୱାନିଣ୍ଡୁ ହସରଙ୍ଗା, ଚାମିକା କରୁଣାରତ୍ନେ, ଦୁଷ୍ମନ୍ତ ଚାମୀରା, ମହୀଶ ତୀକ୍ଷଣା, ନୂଆନ ତୁଷାରା ।