ନୂଆଦିଲ୍ଲୀ: ଆସାମର ଦିମା ହସାଓ ଜିଲ୍ଲାର ୨୬ ବର୍ଷୀୟ ରସ୍ମିତା ହୋଜାଇଙ୍କ ମୃତଦେହ ଉତ୍ତରାଖଣ୍ଡର ପାଉଡ଼ି ଗଡ଼ୱାଲ ଜିଲ୍ଲାରେ ଏକ ନଦୀ କୂଳରୁ ଉଦ୍ଧାର ହୋଇଛି। ରସ୍ମିତା ଜୁନ ୫ ତାରିଖରେ ଦିଲ୍ଲୀରେ ରେଳ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ଦେବା ପାଇଁ ଆସିଥିଲେ ଏବଂ ସେହି ଦିନ ହିଁ ସେ ନିଖୋଜ ହୋଇ ଯାଇଥିଲେ।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ରସ୍ମିତା ପରୀକ୍ଷା ପରେ ଦୁଇ ପୁରୁଷ ସାଙ୍ଗ ହରିୟାଣାର ହେମନ୍ତ ଶର୍ମା (ତାଙ୍କ ପୂର୍ବତନ ସହପାଠୀ) ଏବଂ ହରିୟାଣାର ରୋହତକର ପଙ୍କଜ କୋକରଙ୍କ ସହ ଉତ୍ତରାଖଣ୍ଡର ଋଷିକେଶ ଅଭିମୁଖେ ଯାତ୍ରା କରିଥିଲେ। ଏହି ଦୁଇ ବ୍ୟକ୍ତି ଶିବପୁରୀ ଥାନାରେ ରସ୍ମିତାଙ୍କ ନିଖୋଜ ହେବା ନେଇ ରିପୋର୍ଟ କରିଥିଲେ ଏବଂ ଦାବି କରିଥିଲେ ଯେ ସେ ନଦୀରେ ଭାସି ଯାଇଛନ୍ତି। ବର୍ତ୍ତମାନ ଏହି ଦୁଇଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ମୁଙ୍କିରେଟି ଥାନାର ଏସଏଚଓ ପ୍ରଦୀପ ଚୌହାନ କହିଛନ୍ତି ଯେ ପୁଲିସ ଆତ୍ମହତ୍ୟାର ସମ୍ଭାବନାକୁ ମଧ୍ୟ ବିଚାର କରୁଛି। କିନ୍ତୁ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ ରିପୋର୍ଟର ଅପେକ୍ଷା କରାଯାଉଛି। ହରିଦ୍ୱାର ପୁଲିସ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳ (ଏସଡିଆରଏଫ) ସହାୟତାରେ ନଦୀରେ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛି।
ଦିମା ହସାଓର ମୁଖ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ (ସିଇଏମ) ଦେବଲାଲ ଗୋର୍ଲୋସା ଏକ ଫେସବୁକ ପୋଷ୍ଟରେ ଏହି ଦୁଃଖଦ ଘଟଣାକୁ ନିଶ୍ଚିତ କରିଛନ୍ତି। ସେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ଉତ୍ତରାଖଣ୍ଡ ପୁଲିସଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି। ଗୋର୍ଲୋସା ଏହି ଘଟଣାରେ ଜଡ଼ିତ ଦୁଇ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।
ରସ୍ମିତାଙ୍କ ପରିବାର ଜୁନ ୬ ତାରିଖରେ ହାଫ୍ଲଙ୍ଗ ଥାନାରେ ଏକ ନିଖୋଜ ଅଭିଯୋଗ ଦାୟର କରିଥିଲେ। ତାଙ୍କ ମାଆ ସୋଲମୋଦୀ ହୋଜାଇଙ୍କୁ ଜୁନ ୭ ତାରିଖ ସକାଳେ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା, ଯାହା ଘଟଣାକୁ ଆହୁରି ରହସ୍ୟମୟ କରିଛି।
ଏହି ଘଟଣା ଆସାମର ସୋନଟିଲା ହୋଜାଇ ଗାଁରେ ଶୋକର ଛାୟା ଖେଳାଇ ଦେଇଛି। ପରିବାର ଓ ସ୍ଥାନୀୟ ଲୋକେ ନ୍ୟାୟ ପାଇଁ ଦାବି କରୁଛନ୍ତି। ପୁଲିସ ଘଟଣାର ସମସ୍ତ ଦିଗକୁ ବିଚାରକୁ ନେବା ସହ ଏହି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଏହି ଘଟଣାର ଅଧିକ ତଥ୍ୟ ପାଇଁ ପୋଷ୍ଟମର୍ଟମ ରିପୋର୍ଟ ଆସିବା ଯାଏ ଅପେକ୍ଷା କରାଯାଇଛି ବୋଲି ଉତ୍ତରାଖଣ୍ଡ ପୋଲିସ ସୂଚନା ଦେଇଛି।