ଓଟାୱା,୨୮/୦୪: କାନାଡାର ଭାଙ୍କୋଭରରେ  ଜନଗହଳିପୂର୍ଣ୍ଣ ବଜାରରେ ଅନିୟନ୍ତ୍ରିତ ହୋଇ ଏକ  କାର୍‌ ଲୋକଙ୍କ ଉପରେ ମାଡ଼ିଯାଇଛି । ଏଥିରେ ୧୧  ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନେକ ଲୋକ  ଆହତ ହୋଇଛନ୍ତି । ସ୍ଥାନୀୟ ସମୟ ଗତକାଲି ରାତି  ୮ଟା (ଭାରତୀୟ ସମୟ ଆଜି ସକାଳ ୮ଟା ୩୦)ରେ  ଏହି ଦୁର୍ଘଟଣା ଘଟିଛି । 

ପୁଲିସର ସୂଚନା ଅନୁସାରେ ଇଷ୍ଟ ୪୧ ଆଭେନ୍ୟୁ ଓ ଫ୍ରାଜର ଷ୍ଟ୍ରିଟ ମଧ୍ୟରେ ଲାପୁ  ଲାପୁ ଡେ ବ୍ଲକ ପାର୍ଟି ଚାଲିଥିଲା । ଏହି ପାର୍ଟିରେ  ହଜାର ହଜାର ଲୋକ ଉପସ୍ଥିତ ଥିଲେ । ଏହି  ସମୟରେ ଦ୍ରୁତଗତିରେ ଆସୁଥିବା ଏକ କଳା ରଙ୍ଗର  କାର୍‌ ହଠାତ୍‌ ଲୋକଙ୍କ ଉପରେ ମାଡ଼ି ଯାଇଥିଲା ।  

ସୂଚନା ମିଳିବା ପରେ ପୁଲିସ ପହଞ୍ଚି ଆହତଙ୍କୁ  ଉଦ୍ଧାର କରି ହସ୍ପିଟାଲକୁ ପଠାଇଛି । କାର୍‌କୁ ଜବତ  କରାଯିବା ସହ ଡ୍ରାଇଭରକୁ ଗିରଫ କରାଯାଇଛି ।  ତାଙ୍କ ପରିଚୟ ଜଣାପଡିନାହିଁ । ସେ ଏସୀୟ ନାଗରିକ  ବୋଲି କୁହାଯାଉଛି । କାନାଡା ପ୍ରଧାନମନ୍ତ୍ରୀ ମାର୍କ  କାର୍ଣ୍ଣି ସୋସିଆଲ ମିଡିଆରେ ଏହି ଘଟଣାକୁ ଅତ୍ୟନ୍ତ  ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ ବୋଲି ବର୍ଣ୍ଣନା କରିଛନ୍ତି ।  ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇବା  ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।