ଓଟାୱା,୨୮/୦୪: କାନାଡାର ଭାଙ୍କୋଭରରେ ଜନଗହଳିପୂର୍ଣ୍ଣ ବଜାରରେ ଅନିୟନ୍ତ୍ରିତ ହୋଇ ଏକ କାର୍ ଲୋକଙ୍କ ଉପରେ ମାଡ଼ିଯାଇଛି । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ସ୍ଥାନୀୟ ସମୟ ଗତକାଲି ରାତି ୮ଟା (ଭାରତୀୟ ସମୟ ଆଜି ସକାଳ ୮ଟା ୩୦)ରେ ଏହି ଦୁର୍ଘଟଣା ଘଟିଛି ।
ପୁଲିସର ସୂଚନା ଅନୁସାରେ ଇଷ୍ଟ ୪୧ ଆଭେନ୍ୟୁ ଓ ଫ୍ରାଜର ଷ୍ଟ୍ରିଟ ମଧ୍ୟରେ ଲାପୁ ଲାପୁ ଡେ ବ୍ଲକ ପାର୍ଟି ଚାଲିଥିଲା । ଏହି ପାର୍ଟିରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ କଳା ରଙ୍ଗର କାର୍ ହଠାତ୍ ଲୋକଙ୍କ ଉପରେ ମାଡ଼ି ଯାଇଥିଲା ।
ସୂଚନା ମିଳିବା ପରେ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଛି । କାର୍କୁ ଜବତ କରାଯିବା ସହ ଡ୍ରାଇଭରକୁ ଗିରଫ କରାଯାଇଛି । ତାଙ୍କ ପରିଚୟ ଜଣାପଡିନାହିଁ । ସେ ଏସୀୟ ନାଗରିକ ବୋଲି କୁହାଯାଉଛି । କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି ସୋସିଆଲ ମିଡିଆରେ ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ ବୋଲି ବର୍ଣ୍ଣନା କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।