କଟକ,୨୬/୦୧: ବାଙ୍କୀ ମାଲବିହାରପୁରରେ ପିକ୍ଅପ ଭ୍ୟାନ ଓଲଟି ଛାତ୍ର ମୃତ ଘଟଣା। ଜିଲ୍ଲାପାଳ ସ୍ତରୀୟ ତଦନ୍ତ ନିର୍ଦେଶ ଦେଲେ ରାଜ୍ୟ ସରକାର। ଏଥିସହ ସମ୍ପୃକ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ମୃତ ଛାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ ଲକ୍ଷ ଏବଂ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ଅର୍ଥରାଶି ଦେବାକୁ ସରକାରୀ ଭାବେ ଘୋଷଣା କରାଯାଇଛି। ଅନ୍ୟପଟେ ଆହତ ଛାତ୍ର ଛାତ୍ରୀଙ୍କ ଲାଗି ମଧ୍ୟ ୩୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ତେବେ ଏଭଳି ଅଘଟଣର ଟିକ ନିକ ଭାବେ ତଦନ୍ତ କରାଯିବ ଏବଂ ପ୍ରତ୍ୟେକ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି।
ଏହା ମଧ୍ୟ ପଢନ୍ତୁ-ପରେଡ଼୍ ଗ୍ରାଉଣ୍ଡକୁ ଯିବା ବେଳେ ଓଲଟିଲା ପିକ୍ଅପ ଭ୍ୟାନ; ଜଣେ ଛାତ୍ର ମୃତ, ୨୦ ରୁ ଉର୍ଦ୍ଧ୍ବ ଆହତ
ତେଣେ କଟକ ଏସପି ମଧ୍ୟ କହିଛନ୍ତିକି, ପୁରା ଘଟଣାର ତଦନ୍ତ ହେବ ଏବଂ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ପାଇଁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଏକ ପିକଅପ ଭ୍ୟାନ ଯୋଗେ ନିଆଯାଉଥିଲା । ହେଲେ ମାଳବିହାର ପୁର ନିକଟରେ ଘଟିଥିଲା ଏହି ଦୁର୍ଘଟଣା। ଦୁର୍ଘଟଣା ସ୍ଥଳରେ ଦଶମ ଶ୍ରେଣୀ ଛାତ୍ର ସୌମ୍ୟ ରଞ୍ଜନ ବେହେରାଙ୍କର ମୃତ୍ୟୁ ବରଣ କରିଛନ୍ତି। ମୋଟ ୨୩ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୧୨ ଜଣ ଏସ ସି ବି ମେଡ଼ିକାଲକୁ ଆସିଥିଲେ, ସେମାନଙ୍କ ଭିତରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।