ପର୍ଥ: ଦୀପାବଳି ପାଇଁ ସାରା ଦେଶରେ ପ୍ରସ୍ତୁତି ଚାଲିଛି । ପ୍ରଶଂସକମାନେ ଆଶା କରିଥିଲେ, ଟିମ୍ ଇଣ୍ଡିଆ ପ୍ରଥମ ଓଡିଆଇରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବ ଏବଂ ଦେଶକୁ ବିଜୟର ଉପହାର ଦେବ । କିନ୍ତୁ ଦୁର୍ଭାଗ୍ୟବଶତଃ ତାହା ହୋଇପାରିଲା ନାହିଁ। ପର୍ଥରେ ଖେଳାଯାଇଥିବା ପ୍ରଥମ ଓଡିଆଇରେ ଅଷ୍ଟ୍ରେଲିଆ ଭାରତକୁ ୭ ୱିକେଟରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପାଇଁ ଅଧିନାୟକ ମିଚେଲ ମାର୍ଶ ୪୬ ରନର ନଟ୍ ଆଉଟ୍ ଇନିଂସ ଖେଳିଥିଲେ। ମଝିରେ ମଝିରେ ବର୍ଷା ଯୋଗୁଁ ମ୍ୟାଚ୍ ୨୬ ଓଭରକୁ ହ୍ରାସ କରାଯାଇଥିଲା। 

ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିଆ ୨୬ ଓଭରରେ ୯ ୱିକେଟ୍ ହରାଇ ୧୩୬ ରନ୍ କରିଥିଲା । କିନ୍ତୁ ଅଷ୍ଟ୍ରେଲିଆକୁ ଡିଏଲ୍ଏସ୍ ପାଇଁ ୧୩୧ ରନ୍ ଟାର୍ଗେଟ ଦିଆଯାଇଥିଲା । ଏହି ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୨୧.୧ ଓଭରରେ ମାତ୍ର ୩ ୱିକେଟ୍ ହରାଇ ହାସଲ କରିନେଇଛି । ୨୨୩ ଦିନ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଟିମ୍ ଇଣ୍ଡିଆକୁ ଫେରିଥିଲେ ।  କିନ୍ତୁ ରୋହିତ-କୋହଲି ଭଲ ପ୍ରଦର୍ଶନ କରିପାରିନଥିଲେ । 

 ଚଳିତ ବର୍ଷ ଓଡିଆଇରେ ଭାରତର ଏହା ପ୍ରଥମ ପରାଜୟ। ଏହା ଭାରତର ବିଜୟ ଧାରାରେ ବ୍ରେକ ଲଗାଇଛି। ଲଗାତାର ୮ଟି ବିଜୟ ପରେ ଟିମ୍ ଇଣ୍ଡିଆ ଦିନିକିଆ ମ୍ୟାଚ୍ ହାରିଛି। ବ୍ୟାଟିଂ ବିଫଳତା ପରେ, ଭାରତୀୟ ବୋଲରମାନେ ମଧ୍ୟ ଭଲ ପ୍ରଦର୍ଶନ କରିପାରି ନଥିଲେ । ୧୩୧ ରନର ଟାର୍ଗେଟକୁ ପିଛା କରି ଅଷ୍ଟ୍ରେଲିଆର ଆରମ୍ଭ ଖରାପ ହୋଇଥିଲା। ୫ଟି ବଲ୍‌ରେ ଦୁଇଟି ଚୌକା ମାରିବା ପରେ ଅର୍ଶଦୀପ ସିଂହଙ୍କ ଦ୍ୱାରା ଟ୍ରାଭିସ୍ ହେଡ୍ ଆଉଟ୍ ହୋଇଥିଲେ। ତା’ପରେ ମାଥ୍ୟୁ ସର୍ଟ  ମାତ୍ର ୮ ରନ କରି ବିଦାୟ ନେଇଥିଲେ। କିନ୍ତୁ ଅଧିନାୟକ ମିଚେଲ୍ ମାର୍ଶ ଦ୍ରୁତ ବେଗରେ ସ୍କୋର କରିଚାଲିଥିଲେ। 

ମିଚେଲ ମାର୍ଶ ୫୨ ବଲ୍ ରୁ ୨ଟି ଚୌକା ଏବଂ ତିନୋଟି ଛକା ସହାୟତାରେ ୪୬ ରନ୍ ର ଅପରାଜିତ ଇନିଂସ ଖେଳିଥିଲେ। ଜୋଶ ଫିଲିପ୍ ମଧ୍ୟ ୨୯ ବଲ୍ ରୁ ୩ଟି ଚୌକା ଏବଂ ଦୁଇଟି ଛକା ସହାୟତାରେ ୩୭ ରନ୍ କରିଥିଲେ। ଶେଷରେ ଡେବ୍ୟୁଟାଣ୍ଟ ମ୍ୟାଟ୍ ରେନଶା ୧୨୪ ବଲ୍ ରୁ ଗୋଟିଏ ଛକା ଏବଂ ଗୋଟିଏ ଚୌକା ସହାୟତାରେ ୨୧ ରନ୍ କରି ଅପରାଜିତ ରହିଥିଲେ।  

୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଘରୋଇ ଦଳ ନୂତନ ବଲ୍ ସହିତ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ରୋହିତ ଶର୍ମା ୧୪ ବଲରୁ ଗୋଟିଏ ଚୌକା ସହ ୮ ରନ୍ କରି ଆଉଟ୍ ହୋଇଥିଲେ। ନୂଆ ଅଧିନାୟକ ଶୁଭମନ ଗିଲ ତାଙ୍କର ପ୍ରଥମ ମ୍ୟାଛରେ ୧୮ ବଲରୁ ମାତ୍ର ୧୦ ରନ୍ କରିପାରିଥିଲେ।  ଏହି ସମୟରେ ବିରାଟ କୋହଲି  ନିଜର ଖାତା ଖୋଲିପାରି ନଥିଲେ। ଉପ-ଅଧିନାୟକ ଶ୍ରେୟସ ଆୟର ମଧ୍ୟ ଭଲ ପ୍ରଦର୍ଶନ କରିପାରି ନଥିଲେ। ଆୟର ୧୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଜୋଶ ହାଜେଲଉଡ୍ ରୋହିତ ଏବଂ ଆୟରଙ୍କୁ ଆଉଟ୍ କରିଥିଲେ । ମିଚେଲ ଷ୍ଟାର୍କ କୋହଲିଙ୍କୁ ଆଉଟ୍ କରିଥିଲେ।

ଭାରତ ୧୩.୨ ଓଭରରେ ମାତ୍ର ୪୫ ରନରେ ୪ଟି ବଡ଼ ୱିକେଟ ହରାଇଥିଲା। ଏହା ପରେ କେଏଲ ରାହୁଲ ଏବଂ ଅକ୍ଷର ପଟେଲ ଟିମ୍ ଇଣ୍ଡିଆର ସମ୍ମାନ ରକ୍ଷା କରିଥିଲେ। ଅକ୍ଷର ପଟେଲ ୩୮ ବଲରୁ ତିନୋଟି ଚୌକା ସହିତ ୩୧ ରନ କରିଥିଲେ। ରାହୁଲ ମାତ୍ର ୩୧ ବଲରୁ ଦୁଇଟି ଚୌକା ଏବଂ ଦୁଇଟି ଛକା ସହିତ ୩୮ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ସପ୍ତମ ନମ୍ବରରେ ବ୍ୟାଟିଂ କରୁଥିବା ୱାଶିଂଟନ ସୁନ୍ଦର ୧୦ ବଲରୁ ଗୋଟିଏ ଚୌକା ସହିତ ୧୦ ରନ କରିଥିଲେ। ଶେଷରେ, ନୀତିଶ ରେଡ୍ଡୀ ୧୧ ବଲରୁ ଦୁଇଟି ଛକା ସହିତ ୧୯ ରନ କରି ଅପରାଜିତ ଥିଲେ । ଫଳରେ ଦଳୀୟ ସ୍କୋର ୧୩୦ ଅତିକ୍ରମ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ କୁନହେମାନ, ମିଚେଲ ଓୱେନ ଏବଂ ଜୋଶ ହାଜେଲଉଡ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ମିଚେଲ ଷ୍ଟାର୍କ ଏବଂ ନାଥନ ଏଲିସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।