କାନ୍ବେରା ୦୮/୧୧:୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ନିଷିଦ୍ଧ କରିବାକୁ ଯାଉଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ସରକାର ଏ ସଂକ୍ରାନ୍ତରେ ସଂସଦରେ ଏକ ବିଲ୍ ଆଗତ କରିବାକୁ ଯାଉଛନ୍ତି । ପ୍ରସ୍ତାବ ଗୃହୀତ ହେବାର ୧୨ ମାସ ପରେ ଏହା ଆଇନରେ ପରିଣତ ହେବ । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲ୍ବାନିଜ୍ କହିଛନ୍ତି, ଟେକ୍ କମ୍ପାନିଗୁଡ଼ିକ ସମ୍ବେଦନଶୀଳ ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବାକୁ ବିଫଳ ହୋଇଛନ୍ତି । ପିଲାଙ୍କ ଉପରେ ସୋସିଆଲ ମିଡିଆ ବେଶ୍ ନକାରାତ୍ମକ ପ୍ରଭାବ ପକାଉଛି । ତେଣୁ ସେମାନଙ୍କୁ ଏଥିରୁ ବିରତ ରଖିବାକୁ ହେବ । ପିଲାଙ୍କ ଅଭିଭାବକଙ୍କ ପାଇଁ ଏହି ଆଇନ ଉଦ୍ଦିଷ୍ଟ । ମାତାପିତାଙ୍କ ଅନୁମତିରେ ବି ୧୬ ବର୍ଷ ବୟସରୁ କମ୍ ପିଲାମାନେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ । ଆଇନ ନ ମାନିଲେ ଅଭିଭାବକଙ୍କୁ ଜରିମାନା ଦେବାକୁ ପଡ଼ିପାରେ ।
ଆଲ୍ବାନିଜ୍ ଆହୁରି କହିଥିଲେ,ଅଧିକାଂଶ ସମୟରେ ମୋ ସିଷ୍ଟମରେ ଏପରି ଅନେକ ନୋଟିଫିକେସନ ଆସୁଛି ଯାହାକୁ ମୁଁ ଦେଖିବାକୁ ଚାହୁଁନାହିଁ । ଛୋଟ ପିଲା ସୋସିଆଲ ମିଡିଆ ବ୍ୟବହାର କରିବା ବେଳେ ମଧ୍ୟ ସେମାନେ ଦେଖିବା ଉଚିତ ନ ଥିବା ବିଷୟବସ୍ତୁ ସେମାନଙ୍କ ସାମ୍ନାକୁ ଆସୁଛି । କିଶୋରୀମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି । ବିଶେଷକରି ଅଷ୍ଟ୍ରେଲିଆରେ ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍ବୁକ, ଇନ୍ଷ୍ଟାଗ୍ରାମ ପ୍ରଚଳିତ ଥିବାବେଳେ ଚୀନ୍ର ଟିକ୍ଟକ୍ ଆପ୍ ମଧ୍ୟ ବ୍ୟବହାର ହେଉଛି । ଏଥିସହ ଆଲ୍ଫାବେଟ୍ର ୟୁଟ୍ୟୁବ୍, ଏଲନ୍ ମସ୍କଙ୍କ ଏକ୍ସକୁ ମଧ୍ୟ ବ୍ୟାନ୍ ତାଲିକାରେ ରଖାଯାଇପାରେ ।
ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆ ସରକାର ଏହି ବ୍ୟାନ୍ କାର୍ଯ୍ୟକାରୀ କରିବା ଲାଗି ସୋସିଆଲ ମିଡିଆ ଜାଏଣ୍ଟମାନଙ୍କୁ ୧ ବର୍ଷ ସମୟ ଦେଇପାରନ୍ତି । କେବଳ ଅଷ୍ଟ୍ରେଲିଆ ନୁହେଁ, କମ୍ ବୟସର ପିଲାଙ୍କ ଉପରେ ନକାରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ପୂର୍ବରୁ ମଧ୍ୟ କେତେକ ଦେଶ ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ରୋକ ଲଗାଇବାକୁ ପଦକ୍ଷେପ ନେବାକୁ କହିଛନ୍ତି । ଗତ ବର୍ଷ ଫ୍ରାନ୍ସ ୧୫ ବର୍ଷରୁ କମ୍ ବୟସର ପିଲାଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ବ୍ୟାନ୍ ଲଗାଇବାକୁ ପ୍ରସ୍ତାବ ରଖିଥିଲା । ଆମେରିକା ମଧ୍ୟ ୧୩ ବର୍ଷରୁ କମ୍ ବୟସର ପିଲା ସୋସିଆଲ ମିଡିଆ ବ୍ୟବହାର କରିବାକୁ ହେଲେ ଅଭିଭାବକଙ୍କ ଅନୁମତି ପାଇଁ ପରାମର୍ଶ ଦେଇଛି ।