ନୂଆଦିଲ୍ଲୀ,୧୦।୧୧: ଦ୍ରୁତ ବୋଲରଙ୍କ ଦମଦାର ପ୍ରଦର୍ଶନ ପରେ ଅଷ୍ଟ୍ରେଲିଆରେ ଇତିହାସ ରଚିଛି ପାକିସ୍ତାନ ଟିମ୍। କଙ୍ଗାରୁ ବାହିନୀକୁ ନିଜ ମାଟିରେ ହରାଇଛି ପାକିସ୍ତାନ। ନସିମ ଶାହ ଓ ଶାହିନ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂ ପରେ ଦଳ ୨୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ନିଜ ମାଟିରେ ମାତ୍ ଦେଇଛି। ଶେଷଥର ପାଇଁ ଦଳ ୨୦୦୨ ମସିହାରେ ଅଷ୍ଟ୍ରେଲିଆକୁ ତା’ରି ମାଟିରେ ହରାଇ ଦିନିକିଆ ସିରିଜ ଜିତିଥିଲା। ଏବେ ମହମ୍ମଦ ରିଜୱାନଙ୍କ ଟିମ୍ ୨୨ ବର୍ଷ ପରେ ପାକିସ୍ତାନକୁ ୨-୧ରେ ହରାଇ ଦିନିକିଆ ସିରିଜ କବଜା କରିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୩୧.୫ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୪୦ ରନ କରିଥିଲା। ଏହି ଟାର୍ଗେଟକୁ ପାକିସ୍ତାନ ଦୁଇ ୱିକେଟ ହରାଇ ୨୬.୫ ଓଭରରେ ହାସଲ କରି ନେଇଛି। ଏଥିସହ ଦିନିକିଆ ସିରିଜକୁ ୨-୧ରେ କବଜା କରିଛି।
ଦିନିକିଆ ବିଶ୍ୱକପ ପରେ ବାବର ଆଜାମ କ୍ୟାପଟେନ୍ ପଦ ଛାଡ଼ିଥିଲେ।ତେବେ ନିକଟରେ ରିଜୱାନଙ୍କୁ ପାକିସ୍ତାନର କମାଣ ଦିଆଯାଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ସେ ଦଳର ନେତୃତ୍ବ ନେଇଥିଲେ। ପ୍ରଥମ ସିରିଜରେ ହିଁ ସେ ପାକିସ୍ତାନକୁ ଐତିହାସିକ ବିଜୟ ଭେଟି ଦେଇଛନ୍ତି। ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍କୁ ଘରୋଇ ଅଷ୍ଟ୍ରେଲିଆ ଜିତି ନେଇଥିଲା। କିନ୍ତୁ ଦ୍ୱିତୀୟ ଦିନିକିଆରେ ପାକିସ୍ତାନ କମବ୍ୟାକ କରିଥିଲା। ସିରିଜ ୧-୧ ସ୍ଥିତିରେ ଥିବା ବେଳେ ରବିବାର ପର୍ଥରେ ଦୁଇ ଦେଶ ମୁହାଁମୁହିଁ ହୋଇଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ପାକିସ୍ତାନ ଜିତି ଏହି ଇତିହାସ ସୃଷ୍ଟି କରିଛି।
ଘରୋଇ ଟିମର ନିଜର ୫ ଷ୍ଟାର ଖେଳାଳିଙ୍କୁ ବିଶ୍ରାମ ଦେଇଥିଲା। ଏମାନଙ୍କ ମଧ୍ୟରେ ଅଧିନାୟକ ପାଟ କମିନ୍ସ ମଧ୍ୟ ରହିଥିଲେ। ତାଙ୍କ ବ୍ୟତୀତ ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ଜୋଶ ହେଜେଲଉଡ ଓ ମାର୍ନସ ଲାବୁଶେନ ମଧ୍ୟ ନଜର ଆସିଥିଲେ। ଅଷ୍ଟ୍ରେଲିଆର ନେତୃତ୍ବ ନେଇଥିଲେ ଜୋଶ ଇଙ୍ଗଲିସ।