ସିଡ୍‌ନୀ,୨୯/୧୧: ଅଷ୍ଟ୍ରେଲିଆରେ ୧୬  ବର୍ଷରୁ କମ୍‌ ବୟସର ପିଲାମାନଙ୍କ ପାଇଁ ସୋସିଆଲ  ମିଡିଆ ବ୍ୟବହାର ଉପରେ କଟକଣା ଲାଗୁ କରାଯିବ ।  ଏଥିପାଇଁ ଅଷ୍ଟ୍ରେଲିଆ ସରକାର ଆଇନ ଆଣିଛନ୍ତି ।  ଏଭଳି ଏକ ଆଇନକୁ ନେଇ ଦେଶରେ ଅନେକ  ଦିନ ହେଲା ବିତର୍କ ଲାଗି ରହିଥିଲା । ଶେଷରେ ସଂସଦରେ ବିଲ୍‌ ଗୃହୀତ ହୋଇଛି । 

ଗୁରୁବାର ସିନେଟରେ  ବହୁମତ ୩୭-୧୯ରେ ବିଲ୍‌ ପାସ ହୋଇଛି । ପୂର୍ବରୁ  ପ୍ରତିନିଧି ସଭାରେ ୧୦୩-୧୩ ବହୁମତରେ ବିଲ୍‌ ପାସ୍‌ ହୋଇଥିଲା । ଆଇନରେ ରହିଥିବା ପ୍ରାବଧାନ ଅନୁସାରେ  ଦେଶରେ ୧୬ ବର୍ଷରୁ କମ୍‌ ବୟସର ପିଲାମାନେ ଆଉ  ଫେସବୁକ, ଏକ୍ସ (ଟୁଇଟର), ଇନଷ୍ଟାଗ୍ରାମ, ଟିକଟକ,  ସ୍ନାପଚାଟ, ରେଡିଟ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ  ବ୍ୟବହାର କରିପାରିବେ ନାହିଁ । ୧୬ ବର୍ଷରୁ କମ୍‌  ବୟସର ପିଲାମାନେ ସୋସିଆଲ ମିଡିଆ ଆକାଉଣ୍ଟ  ଖୋଲିବା ଉପରେ ପ୍ରତିବନ୍ଧକ ଲାଗୁ ହେବ । ଯଦି  ସୋସିଆଲ ମିଡିଆ କମ୍ପାନି ଏହି ଆଇନ୍‌ରେ ଖିଲାପ  କରେ ତେବେ ତା ଉପରେ ୫ କୋଟି ଅଷ୍ଟ୍ରେଲୀୟ  ଡଲାର ଅର୍ଥାତ ୨୭୫ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ । 

ଆସନ୍ତା ଜାନୁଆରୀ ପହିଲାରୁ ଏହା ଲାଗୁ ହେବ । ଏଭଳି ଆଇନ ଆଣିବାରେ ଅଷ୍ଟ୍ରେଲିଆ ବିଶ୍ୱରେ  ପ୍ରଥମ ଦେଶ । ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଦଣ୍ଡରୁ  ରିହାତି ଦେବା ସହ ପ୍ରାବଧାନ ଲାଗୁ କରିବାର ତରିକା  ଉପରେ ବିଚାର କରିବା ଏବଂ ତାକୁ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ୧ ବର୍ଷର ଗ୍ରେସ୍‌ ପିରିୟଡ  ରହିବ । ସେହିଭଳି ବ୍ୟବହାରକାରୀଙ୍କ ଗୋପନୀୟତା  ଓ ବ୍ୟକ୍ତିଗତ ସୁରକ୍ଷାକୁ ନେଇ ମଧ୍ୟ ଆଇନରେ ବ୍ୟବସ୍ଥା  କରାଯାଇଛି । ସେଥିରେ କୁହାଯାଇଛି କି କୌଣସି  ବ୍ୟବହାରକାରୀଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମ କମ୍ପାନିମାନେ ନିଜର ଗୋପନୀୟ ଦସ୍ତାବିଜ, ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ କୌଣସି ପ୍ରମାଣପତ୍ର ଦେବାକୁ  ବାଧ୍ୟ କରାଯାଇପାରିବ ନାହିଁ।