ନୂଆଦିଲ୍ଲୀ,୨୬।୧୧: ଅଯୋଧ୍ୟା ରାମ ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଧ୍ବଜାରୋହଣକୁ ପାକିସ୍ତାନର ବିରୋଧ। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହିଛି, ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଚାପ ପକାଇବାକୁ ଏହା ଏକ ଚେଷ୍ଟା। ଏନେଇ ପାକିସ୍ତାନ ଜାତିସଂଘର ଦ୍ବାରସ୍ତ ହୋଇଛି। ଭାରତରେ ସଂଖ୍ୟାଲଘୁଙ୍କ ଧାର୍ମିକ ଏବଂ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବାକୁ ଦାବି ରଖିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ, ଈର୍ଷାରେ ଆନ୍ତର୍ଜାତୀୟ ସମୁଦାୟକୁ ଭାରତରେ ଇସଲାମୋଫୋବିଆ, ହେଟ୍ ସ୍ପିଚ୍ ଏବଂ ଭିଡ ହିଂସା ପ୍ରତି ପ୍ରତି ଧ୍ୟାନ ଦେବାକୁ ନିବେଦନ କରିଛି। ଭାରତ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳି ନାହିଁ।
ଭାରତୀୟ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅଣଦେଖା କରି, ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ କହିଛି, ବାବ୍ରି ମସଜିଦ ଏକ ଶହ ଶହ ବର୍ଷ ପୁରୁଣା, ଐତିହାସିକ ସ୍ଥାନ ଥିଲା। କେବଳ ସେତିକି ନୁହେଁ ୬ ଡିସେମ୍ବର ୧୯୯୨ ର ଘଟଣାବଳୀକୁ ମଧ୍ୟ ପାକିସ୍ତାନ ଆଲୋଚନା କରିଛି। ପାକିସ୍ତାନ କହିଛି ଯେ ବାବ୍ରି ମସଜିଦ ଥିବା ସ୍ଥାନକୁ ଭାଙ୍ଗି ଦିଆଗଲା। ସେହି ଭୂମିରେ ରାମ ମନ୍ଦିର ନିର୍ମାଣ କରିବାକୁ ଅନୁମତି ଦିଆଗଲା। ଏପରିକି ବାବ୍ରି ମସଜିଦ୍ ଭାଙ୍ଗିଥିବା ଅଭିଯୁକ୍ତଙ୍କୁ ଭାରତୀୟ କୋର୍ଟ ଦୋଷମୁକ୍ତ କରିବା ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବର ଏକ ଜ୍ୱଳନ୍ତ ଉଦାହରଣ।
ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦିଆଯାଉଥିବା ଦେଶ ପାକିସ୍ତାନ ନିଜ କଥା ଭୁଲି ଏବେ ଭାରତ ଉପରେ ଭେଦଭାବ ଅଭିଯୋଗ କରିଛି। କେବଳ ସେତିକି ନୁହେଁ ବାବ୍ରି ମସଜିଦର ଇତିହାସକୁ ନେଇ ପୁଣି ଥରେ ବିବାଦ ଉଠାଇଛି ପାକିସ୍ତାନ। ଭାରତ ଉପରେ ମୁସଲମାନଙ୍କ ସାଂସ୍କୃତିକ ଏବଂ ଧାର୍ମିକ ଐତିହ୍ୟକୁ ଦୁର୍ବଳ କରୁଥିବା ଅଭିଯୋଗ କରିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ସବୁଥର ଭଳି ପରି ଏଥର ମଧ୍ୟ ମିଛର ସାହାରା ନେଇଛି। ଜାତିସଂଘରେ ପାକିସ୍ତାନ କହିଛି, ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଚାପ ଏବଂ ହିନ୍ଦୁତ୍ୱ ଚିନ୍ତାଧାରାର ପ୍ରଭାବ ବଢିଛି। ଅନ୍ତର୍ଜାତୀୟ ସମୁଦାୟକୁ ଏହାର ସମାଧାନ ପାଇଁ ନିବେଦନ କରିଛି ପାକିସ୍ତାନ। ଭାରତର ଇସଲାମିକ ଐତିହ୍ୟକୁ ସଂରକ୍ଷଣ କରିବା ସହ ସମସ୍ତ ସଂଖ୍ୟାଲଘୁଙ୍କ ଧାର୍ମିକ ଏବଂ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବାକୁ ଜାତିସଂଘକୁ ଅନୁରୋଧ କରିଛି।