ନୂଆଦିଲ୍ଲୀ,୦୪/୦୩: ରାମ ଭକ୍ତଙ୍କ ପାଇଁ ଖୁସି ଖବର । ଅଯୋଧ୍ୟା ରାମ ମନ୍ଦିରରେ ଦର୍ଶନ ସମୟ ବୃଦ୍ଧି କରାଯାଇଛି।  ଏଣିକି ଅଯୋଧ୍ୟାର ରାମ ମନ୍ଦିର ସକାଳ ୭ଟା ପରିବର୍ତ୍ତେ ସକାଳ ୬ଟାରେ ଅର୍ଥାତ ଗୋଟିଏ ଘଣ୍ଟା ପୂର୍ବରୁ ଖୋଲିବ। ମନ୍ଦିର ଟ୍ରଷ୍ଟର ମିଡିଆ ସେଣ୍ଟର ପକ୍ଷରୁ ଦିଆଯାଇଥିବା ସୂଚନାରେ ରାମ ମନ୍ଦିରର ନୂତନ କାର୍ଯ୍ୟସୂଚୀ ବିଷୟରେ ସୂଚନା ଦିଆଯାଇଛି। ଯେଉଁଥିରେ ସଂଶୋଧିତ ଆରତୀ ସମୟ ଏବଂ ରାମ ମନ୍ଦିର ଦର୍ଶନର ସମୟ ଅନ୍ତର୍ଭୁକ୍ତ । ଯାହା ଗତକାଲି ଅର୍ଥାତ ସୋମବାର ଠାରୁ କାର୍ଯ୍ୟକାରୀ ହୋଇଛି।


ରାମ ମନ୍ଦିରର ସଂଶୋଧିତ କାର୍ଯ୍ୟସୂଚୀ ଅନୁସାରେ , ଶ୍ରୃଙ୍ଗାର ଆରତୀ ପରେ ଭକ୍ତମାନେ ସକାଳ ୬ ଟା ୩୦ ରୁ ୧୧ ଟା ୫୦ ମିନିଟ ପର୍ଯ୍ୟନ୍ତ ମନ୍ଦିରରେ ପ୍ରବେଶ କରିପାରିବେ। ଏହା ପରେ ରାଜଭୋଗ ଆରତୀ ପାଇଁ ମନ୍ଦିର ମଧ୍ୟାହ୍ନ ୧୨ଟାରେ ବନ୍ଦ ହେବ । ଦର୍ଶନ ସମୟ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ ଟା ୫୦ ମିନିଟ ପର୍ଯ୍ୟନ୍ତ ପୁନର୍ବାର ଆରମ୍ଭ ହେବ ।  ତା’ପରେ ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆରତୀ ହେବ। ପ୍ରକାଶ ଥାଉକି,  ରାମ ମନ୍ଦିରରେ ରାମଲାଲାଙ୍କ ଅଭିଷେକ ହେବା ପରଠାରୁ ଅଯୋଧ୍ୟାରେ ଭକ୍ତମାନଙ୍କର  ଭିଡ଼ ଦେଖିବାକୁ ମିଳୁଛି।  ପର୍ବପର୍ବାଣୀରେ ଭକ୍ତଙ୍କ ଭିଡ଼ ଆଗରେ ସହରର ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ ବିଫଳ ହେଉଛି। ଯଦିଓ ରାମ ମନ୍ଦିର ନିର୍ମାଣ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ, ତଥାପି ଭକ୍ତଙ୍କ ସଂଖ୍ୟାରେ କୌଣସି ହ୍ରାସ ହୋଇନାହିଁ। 

ଏହା ମଧ୍ୟ ପଢନ୍ତୁ- ସର୍ତ୍ତ ସହ ଶୋ’ କରିବେ ରଣବୀର ଆହ୍ଲାବାଦିଆ, ଅନୁମତି ଦେଲେ ସୁପ୍ରିମକୋର୍ଟ

ରାମ ମନ୍ଦିର ନିର୍ମାଣ ସମ୍ପର୍କରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଅଯୋଧ୍ୟା ଧାମ ଟ୍ରଷ୍ଟର ସାଧାରଣ ସମ୍ପାଦକ ଏବଂ ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ଉପାଧ୍ୟକ୍ଷ ଚମ୍ପତ ରାୟ କହିଛନ୍ତି ଯେ, ଅକ୍ଟୋବର ସୁଦ୍ଧା ମନ୍ଦିରର ବହୁତ କାମ ସମାପ୍ତ ହେବ। ପୂର୍ବରୁ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଥିଲେ ଯେ, ରାମ ମନ୍ଦିର ପରିସରରେ ୨୦ ଏକର ଜମିରେ ଏକ ଉଦ୍ୟାନ ବିକଶିତ କରାଯିବ।  ମନ୍ଦିରର ଭୂତଳ, ପ୍ରଥମ ମହଲା ଏବଂ ଦ୍ୱିତୀୟ ମହଲା ଭିତରେ ମୂର୍ତ୍ତି ଖୋଦନ କାର୍ଯ୍ୟ ଚାଲିଛି ଯାହା ମାର୍ଚ୍ଚ ସୁଦ୍ଧା ଶେଷ ହେବ। ମାର୍ଚ୍ଚ ସୁଦ୍ଧା, ପ୍ରଥମ ମହଲାରେ ରାମ ଦରବାର ସ୍ଥାପନ, ଦ୍ୱିତୀୟ ମହଲାର ଗର୍ଭଗୃହରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ରାମାୟଣର ସଂଗ୍ରହ ସୁନିଶ୍ଚିତ କରାଯିବ।