ନୂଆଦିଲ୍ଲୀ,୨୩/୧୦: ଶୀତ ଋତୁ ଆସିବା ସହିତ, ରାମ ଲାଲାଙ୍କ ଦର୍ଶନ ସମୟ ମଧ୍ୟ ପରିବର୍ତ୍ତନ ହୋଇଛି। ଦର୍ଶନ ସମୟ ଅଧ ଘଣ୍ଟା ହ୍ରାସ କରାଯାଇଛି। ଆଜିଠାରୁ ଉତ୍ତର ପ୍ରଦେଶର ଅଯୋଧ୍ୟାର ରାମ ମନ୍ଦିରରେ ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ରାମ ଲାଲାଙ୍କ ଦର୍ଶନ କରିପାରିବେ। ରାମ ଲାଲାଙ୍କ ଆରତିର ସମୟ ମଧ୍ୟ ପରିବର୍ତ୍ତନ ହୋଇଛି। ଆରତି ଏବଂ ନୈବେଦ୍ୟ ପାଇଁ ଅପରାହ୍ନରେ ମନ୍ଦିର ଦ୍ୱାର ଗୋଟିଏ ଘଣ୍ଟା ପାଇଁ ବନ୍ଦ ରହିବ।
ଟ୍ରଷ୍ଟ ରାମ ଲାଲାଙ୍କ ଦର୍ଶନ ପାଇଁ ଏକ ନୂତନ ସମୟସାରଣୀ ମଧ୍ୟ ପ୍ରକାଶ କରିଛି। ପୂର୍ବରୁ ଭୋର ୪ଟାରେ ହେଉଥିବା ରାମ ଲାଲାଙ୍କ ମଙ୍ଗଳ ଆରତି ଏବେ ସକାଳ ୪ଟା ୩୦ରେ ଅନୁଷ୍ଠିତ ହେବ। ଏହା ସହିତ ରାମ ଲାଲାଙ୍କ ଶୃଙ୍ଗାର ଆରତି ଏବେ ସକାଳ ୬ଟା ପରିବର୍ତ୍ତେ ସକାଳ ୬ଟା ୩୦ରେ ଅନୁଷ୍ଠିତ ହେବ। ପୂର୍ବରୁ ସକାଳ ୬ଟା୩୦ରେ ଆରମ୍ଭ ହେଉଥିବା ଦର୍ଶନ ଏବେ ସକାଳ ୭ଟାରେ ଆରମ୍ଭ ହେବ। ଏହା ପରେ, ଭୋଗ ଆରତି ମଧ୍ୟାହ୍ନ ୧୨ଟାରେ ଆରମ୍ଭ ହେବ। ସେହିପରି ଡି-୧ରୁ ଭକ୍ତଙ୍କ ପ୍ରବେଶ ଦିନ ୧୨ ଟା୩୦ରେ ବନ୍ଦ ହୋଇଯିବ । ୧୨ଟା ୩୦ରୁ ୧ଟା ପର୍ଯ୍ୟନ୍ତ ଦ୍ୱାର ବନ୍ଦ ରହିବ। ପୁନଃ ଦର୍ଶନ ଅପରାହ୍ନ ୧ଟାରୁ ଆରମ୍ଭ ହେବ ଏବଂ ଡି-୧ରୁ ପ୍ରବେଶ ରାତି ୯ଟା ରେ ବନ୍ଦ ହେବ। ସେହିପରି ଦର୍ଶନ ରାତି ୯ଟା ୧୫ ରେ ଶେଷ ହେବ। ତା’ପରେ ରାତି ୯ଟା ୩୦ରେ ଶୟନ ଆରତୀ ପରେ ଦ୍ୱାର ବନ୍ଦ ହୋଇଯିବ। ଡି-୧ ହେଉଛି ମୁଖ୍ୟ ପ୍ରବେଶ ପଥ ଯାହା ଦେଇ ସାଧାରଣ ଭକ୍ତମାନେ ଅଯୋଧ୍ୟାର ଶ୍ରୀ ରାମ ଜନ୍ମଭୂମି ମନ୍ଦିର ପରିସରରେ ରାମ ଲାଲାଙ୍କ ଦର୍ଶନ ପାଇଁ ପ୍ରବେଶ କରନ୍ତି। ଡି-୧କୁ ଜନ୍ମଭୂମି ପଥ କୁହାଯାଏ। ଅଯୋଧ୍ୟାର ରାମ ମନ୍ଦିରର ଚାରୋଟି ମୁଖ୍ୟ ରାସ୍ତାକୁ ସୁରକ୍ଷା ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଡି-୧ , ଡି-୨ , ଡି-୩ ଏବଂ ଡି-୪ ଭାବରେ ନାମିତ କରାଯାଇଛି। ଏଥିମଧ୍ୟରୁ ଡି-୧ ହେଉଛି ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ପାଇଁ ମନ୍ଦିରରେ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ପଥ। ଅବଶିଷ୍ଟ ରାସ୍ତାଗୁଡ଼ିକ ବିଶେଷ ଅତିଥି ଦର୍ଶନ କିମ୍ବା ସେବା ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ।