ନୂଆଦିଲ୍ଲୀ,୧୬/୧୦: ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ନଗରୀକୁ ନୂଆ ପରିଚୟ ମିଳିବାକୁ ଯାଉଛି । ଏଠାରେ ବିଶ୍ୱର ପ୍ରଥମ ରାମାୟଣ ମହମ ସଂଗ୍ରହାଳୟ ପ୍ରସ୍ତୁତ ହୋଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିପୋତ୍ସବ ସମାରୋହ ଅବସରରେ ଏହାକୁ ଉଦ୍ଘାଟନ କରିବେ । ଚୌଦହ କୋସୀ ପରିକ୍ରମା ମାର୍ଗରେ କାଶୀରାମ କଲୋନି ସାମ୍ନାରେ ନିର୍ମିତ ଏହି ମ୍ୟୁଜିୟମ୍ ଭକ୍ତଙ୍କ ପାଇଁ ଆସ୍ଥାର କେନ୍ଦ୍ର ହୋଇଛି । ପ୍ରାୟ ୯୮୫୦ ବର୍ଗ ଫୁଟରେ ବିସ୍ତୃତ ଏହି ବିଶାଳ ସଂଗ୍ରହାଳୟ ନିର୍ମାଣରେ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଠାରେ ଶ୍ରୀରାମ, ସୀତା, ଲକ୍ଷ୍ମଣ, ହନୁମାନ, ରାବଣ, ବିଭୀଷଣଙ୍କ ସମେତ ରାମାୟଣର ୫୦ ପ୍ରମୁଖ ଚରିତ୍ରଙ୍କର ମହମ ମୂର୍ତ୍ତି ସ୍ଥାପନ ହୋଇଛି । ଏଗୁଡ଼ିକ ଏତେ ଜୀବନ୍ତ ହୋଇଛି ଯେ ଦର୍ଶକ ତ୍ରେତୟା ଯୁଗରେ ପହଞ୍ଚିଥିବା ଅନୁଭବ କରିବେ । ସଂଗ୍ରହାଳୟରେ ଥରକେ ୧୦୦ ଲୋକ ପ୍ରବେଶ କରିପାରିବେ ।
ଦକ୍ଷିଣ ଭାରତୀୟ ବାସ୍ତୁ ଶୈଳୀରେ ନିର୍ମିତ ଏହି ଦୁଇ ମହଲାବିଶିଷ୍ଟ ଭବନର ତଳ ମହଲାରେ ରାମଲଲ୍ଲାଙ୍କ ବାଲ୍ୟ ରୂପଠୁ ସୀତା ସ୍ୱୟମ୍ବର ପର୍ଯ୍ୟନ୍ତର ଝଲକ୍ ରହିଛି । ପ୍ରଥମ ମହଲାରେ ବନବାସ, ଲଙ୍କା ଦହନ ଓ ରାମ-ରାବଣ ଯୁଦ୍ଧର ଦୃଶ୍ୟ ରହିଛି । ପ୍ରତ୍ୟେକ ମୂର୍ତ୍ତି ପାଇଁ ଭିନ୍ନ ଭିନ୍ନ ଆଲୋକ ବ୍ୟବସ୍ଥା ହୋଇଛି । କେରଳର ପ୍ରସିଦ୍ଧ ସୁନୀଲ ୱାକ୍ସ ମ୍ୟୁଜିୟମ୍ କମ୍ପାନି ଏହି ମ୍ୟୁଜିୟମ୍ ନିର୍ମାଣ କରିଛି । ବାହାରେ ପାର୍କିଂ, କଫି ହାଉସ୍ ଓ ଜଳଖିଆ ଜୋନ୍ର ବ୍ୟବସ୍ଥା ହୋଇଛି । ଯୋଜନା ଅନୁସାରେ, ମ୍ୟୁଜିୟମ୍ର ଆୟର ୧୨ ପ୍ରତିଶତ ନଗର ନିଗମକୁ ଯିବ । ସୁରକ୍ଷା ପାଇଁ ସିସିଟିଭି ଓ ଅଗ୍ନି ପ୍ରଶମନ ପ୍ରଣାଳୀର ବ୍ୟବସ୍ଥା ହୋଇଛି । ଅଯୋଧ୍ୟାର ଏହି ମ୍ୟୁଜିୟମ୍ ଧାର୍ମିକ ପର୍ଯ୍ୟଟନକୁ ନୂଆ ଦିଗ ଦେବ ଏବଂ ସହର ବିକାଶରେ ମାଇଲଖୁଣ୍ଟ ପ୍ରମାଣିତ ହେବ ।