ଭୁବନେଶ୍ୱର, ୨୭/୦୪ : ଠିକାରେ ଚାଲିଛି ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । ୯୦ ପ୍ରତିଶତ ପଦବି ଖାଲିପଡ଼ିଛି । ସବୁ ଚାପ ଏବେ ଫାର୍ମାସୀ ଅଫିସରଙ୍କ ଉପରେ । ନର୍ସିଂ ଅଫିସର, ସପୋର୍ଟିଂ ଷ୍ଟାଫ୍ ନଥିବାରୁ ସମସ୍ୟା ସହୁଛନ୍ତି ଫାର୍ମାସୀ ଅଫିସର । ବାରମ୍ବାର ଦାବି ହେଉଛି, ତୁରନ୍ତ କର୍ମଚାରୀ ଦିଅ । ଯେଉଁମାନେ ଠିକାରେ ଅଛନ୍ତି, ସେମାନଙ୍କୁ ନିୟମିତ କରିବାକୁ ବି ଦାବି ରହୁଛି । ହେଲେ ସରକାର ନିଦାବିଷ୍ଣୁ ପାଲଟିଛନ୍ତି । ଏବେ ଏହି ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ରୋଗୀ ଆସୁଛନ୍ତି ସତ, ହେଲେ ନିରାଶରେ ଫେରୁଛନ୍ତି । ଠିକାରେ ଚାଲିଥିବାରୁ ରୋଗୀମାନେ ଏହା ଉପରେ ଭରସା କରୁନାହାନ୍ତି ।
ରାଜ୍ୟରେ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଭଳି ସହରରେ ମୋଟ ୧୦୨୯ଟି ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରହିଛି । ଏହି ସ୍ୱାସ୍ଥ୍ୟାନୁଷ୍ଠାନରେ ଆଶ୍ଚର୍ଯ୍ୟଜନକ ଭାବରେ ୧୮୯୪୫ଟି ନର୍ସିଂ ଅଫିସର, ୨୬୪୪ ଫାର୍ମାସୀ ଅଫିସର, ୧୨୮୩ ମେଡିକାଲ ଲ୍ୟାବ୍ ଟେକ୍ନିସିଆନ୍ ଓ ଆକାଉଣ୍ଟାଣ୍ଟ, ଡାଟା ଏଣ୍ଟ୍ରି ଅପରେଟର ନାହାନ୍ତି । ମାତ୍ର ୧୦୦୦ ଫାର୍ମାସୀ ଅଫିସର, ନର୍ସିଂ ଅଫିସର ଓ ସପୋର୍ଟିଂ ଷ୍ଟାଫ୍ ନେଇ ହସ୍ପିଟାଲ ଚାଲିଛି । ଯେଉଁଠି ପ୍ରତିଦିନ ୧୫୦ ରୋଗୀ ଡାକ୍ତରଙ୍କୁ ଦେଖାଇବାକୁ ଆସୁଛନ୍ତି, ସେଠାରେ ମାତ୍ର ଜଣେ ସେମାନଙ୍କ ଦେଖାଶୁଣା କରୁଛି । ସେଥିପାଇଁ ବିଭିନ୍ନ ସମୟରେ ରୋଗୀମାନେ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଥାନ୍ତି । ପୂର୍ବରୁ ଏଠାରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ଓ ଏଲଟି(ଲ୍ୟାବ ଟେକ୍ନିସିଆନ) ଙ୍କ ପଦବିକୁ ଉଚ୍ଛେଦ କରାଯାଇଥିଲା । ଏହି ପଦବି ଯିବା ପରେ ଏବେ ନର୍ସିଂ ଅଫିସର ଓ ଫାମାର୍ସି ଅଫିସରଙ୍କ ଉପରେ ରୋଗୀ ସେବା ସହ ଅନ୍ୟ ପରିଚାଳନା ଚାପ ପଡ଼ୁଛି । ଯାହାକୁ ନେଇ ଅର୍ବାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଏମ୍ପ୍ଲଇଜ୍ ଆସୋସିଏସନ ଗଭୀର ଚିନ୍ତା ପ୍ରକାଶ କରିଛି ।
ଆସୋସିଏସନର ସଭାପତି ସତ୍ୟରଞ୍ଜନ ବେହେରା କହିଛନ୍ତି, ନିର୍ବାଚନ, ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା, ଆଭା କ୍ରିଏଟ, ଇ-ସଞ୍ଜିବନୀ, ପୁରୀ ରଥଯାତ୍ରା ବେଳେ ସରକାର ଆମକୁ ନିୟୋଜିତ କରୁଛନ୍ତି । ସ୍ୱାସ୍ଥ୍ୟ ଶିବିର ବି ଆମେ କରୁଛୁ । ହେଲେ ଆମକୁ ରାଜ୍ୟ ସରକାର ନିୟମିତ କରୁନାହାନ୍ତି । ତୁରନ୍ତ ସମସ୍ତ ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରନ୍ତୁ ନଚେତ୍ ଜାତୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚଏମ୍) ପ୍ରକଳ୍ପ ଅଧୀନରେ ରଖନ୍ତୁ, ପଦବି ସଂଖ୍ୟା ପୂରଣ କରନ୍ତୁ ବୋଲି ଦାବି ହୋଇଛି । ଯଦି ସରକାର ଦାବି ନମାନିବେ, ଆମେ କାମ ବନ୍ଦ କରିଦେବୁ ବୋଲି ଆସୋସିଏସନର କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏନେଇ ଆସୋସିଏସନ୍ ପକ୍ଷରୁ ଏକ ଛଅ ଜଣିଆ କମିଟି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସାଂସଦ ମଧ୍ୟ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି, ତୁରନ୍ତ ଏହି ହସ୍ପିଟାଲ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଦେବାକୁ ନିବେଦନ କରିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- Street Light Problem : ଜଳୁନି ଷ୍ଟ୍ରିଟ୍ ଲାଇଟ୍, ଅନ୍ଧାରରେ ଅଧା ଭୁବନେଶ୍ଵର, ୬ ମାସ ହେଲା ଅଙ୍କ କଷୁଛନ୍ତି ଏନ୍ର୍ଜି ଅଡିଟର...