ଭୁବନେଶ୍ୱର, ୨୭/୦୪ : ତପବୋନ ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଜଳୁନି । ରାସ୍ତା ଅନ୍ଧକାର । ଆର୍ମି ହସ୍ପିଟାଲ ରାସ୍ତାରେ ଫାଳେ ଲାଇଟ୍ ଜଳିଲେ ଆର ଫାଳ ଅନ୍ଧାର । ନାକାଗେଟ୍ ସାମ୍ନାରେ ସମାନ ଅବସ୍ଥା । କିନ୍ତୁ ପଞ୍ଚଶଖାନଗର ଭିତରେ ଲାଇଟ୍ ଦିନରେ ଜଳୁଛି । ରାଜଧାନୀ ଭୁବନେଶ୍ୱର ଷ୍ଟ୍ରିଟ୍ ଲାଇଟ୍ ଅବସ୍ଥା ଏମିତି । ଲାଇଟ୍ ଅଡିଟ୍ କରିବାକୁ ୬ ମାସ ହେଲାଣି ଏନ୍ର୍ଜି ଅଡିଟର ନିଯୁକ୍ତି ହୋଇଛନ୍ତି। ହେଲେ ତାଙ୍କ ଅଙ୍କ ଏ ପର୍ଯ୍ୟନ୍ତ ଛିଣ୍ଡୁନି। ରାଜଧାନୀବାସୀଙ୍କୁ ଗୁଣାତ୍ମକ ଆଲୋକ ଯୋଗାଇ ଦେବାକୁ ବିଏମ୍ସି ତହବିଲ୍ରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ପ୍ରତିଦିନ ନୂଆ ଲାଇଟ୍ ବି ଲାଗୁଛି। ହେଲେ ଏହି ସେବା ବାସ୍ତବରେ ଲୋକେ କେମିତି ପାଉଛନ୍ତି, ତାହା ଜାଣିଲେ ଆପଣଙ୍କ ମୁଣ୍ଡ ଘୂରେଇ ପକାଇବ।
ରାଜଧାନୀ ଭୁବନେଶ୍ୱରର ମୁଖ୍ୟ ରାସ୍ତାକୁ ଛାଡ଼ିଲେ ଅନ୍ୟ ସବୁଠି ଷ୍ଟ୍ରିଟ୍ ଲାଇଟ୍ ଖରାପ । ଅଧିକାଂଶ ସ୍ଥାନରେ ଲାଇଟ୍ ମରାମତି କରାଯାଉନି । ଲୋକେ ଅଭିଯୋଗ କଲେ ମଧ୍ୟ ଏହାକୁ ଅଧିକାରୀମାନେ ଶୁଣୁନାହାନ୍ତି । ଜାତୀୟ ରାଜପଥରେ ବି ସାମନ ସ୍ଥିତି । ଲାଇଟ୍ ଫାଳେ ଜଳୁନି । ଆଉ କେଉଁଠି ମିଞ୍ଜିମିଞ୍ଜି ହୋଇ ଜଳୁଛି । ଯାହାକୁ ସେଇ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି । ପୋଖରୀପୁଟରେ ଗଛ ଆଢୁଆଳରେ ଲାଇଟ ରହୁଛି । ରାସ୍ତା ଦିଶୁନି । ଖଣ୍ଡଗିରିରେ ଲାଇଟ୍ ଲିଭାଇ ଦିଆଯାଉଛି । ରାସ୍ତାରେ ଉପରେ ବସ୍ ରହୁଛି ଦେଖାଯାଉନି । ଦୁର୍ଘଟଣା ଘଟିବା ଥୟ । ବିଏମ୍ସି ପକ୍ଷରୁ ୬୭ଟି ୱାର୍ଡ ସମେତ ସବୁ ମୁଖ୍ୟ ରାସ୍ତା ଏବଂ ଶାଖା ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଲାଗିଛି । ଏହି ସବୁ ଷ୍ଟ୍ରିଟ୍ଲାଇଟ୍ ପାଇଁ ମାସିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଘରୋଇ କମ୍ପାନି ହାତକୁ ବିନା ହିସାବରେ ଏହି ଟଙ୍କା ଗଣି ଦିଆଯାଉଛି । ଏନେଇ ବାରମ୍ବାର ଖବର ପ୍ରକାଶ ପରେ ବିଏମ୍ସି ପକ୍ଷରୁ ଏନ୍ର୍ଜି ଅଡିଟର ନିଯୁକ୍ତି କରାଯାଇଛି । ୬ ମାସ ହେଲାଣି ନିଯୁକ୍ତି ସତ୍ତ୍ଵେ ଏ ପର୍ଯ୍ୟନ୍ତ ରିପୋର୍ଟ ଆସିଲା ନାହିଁ ।
ଖାଲି ଏତିକି ନୁହେଁ, ନିମ୍ନମାନର ଏଲ୍ଇଡି ଲାଇଟ୍ ଏବଂ ଉପକରଣ ବ୍ୟବହାର ଯୋଗୁଁ ଷ୍ଟ୍ରିଟ୍ ଲାଇଟ୍ ଅନେକବାର ଖରାପ ହେଉଛି । ଫଳରେ ବାରମ୍ବାର ଅଭିଯୋଗ ସତ୍ତ୍ଵେ ସହର ଅନ୍ଧାର ରହୁଛି । ଲାଇଟ୍ ଉପକରଣର ମାନ ନିର୍ଦ୍ଧାରଣ ପାଇଁ ଏଗ୍ରିମେଣ୍ଟରେ ପ୍ରତି ୬ ମାସରେ ବ୍ୟବଧାନରେ ଖୁଣ୍ଟରେ ଲାଗିଥିବା ଲାଇଟ୍ଗୁଡିକୁ ଖୋଲି ଏହାର ଯାଞ୍ଚ ହେବାର ଆବଶ୍ୟକ ରହିଛି । ଟେଣ୍ଡର ନେଇଥିବା କମ୍ପାନି ଉପସ୍ଥିତିରେ ଲକ୍ସ ଲେଭଲ ମେଜରମେଣ୍ଟ(ଏଲ୍ଏଲ୍ଆଇ) ପରୀକ୍ଷା ଏନର୍ଜି ଅଡିଟରଙ୍କ ଉପସ୍ଥିତିରେ ହେବାର ଆବଶ୍ୟକତା ରହିଛି । କିନ୍ତୁ ଏହା ମଧ୍ୟ ଠିକ୍ ଭାବରେ କରାଯାଉନି । ବିଦ୍ୟୁତ୍ ବିଭାଗର ପୂର୍ବତନ ବରିଷ୍ଠ ଅଧିକାରୀଙ୍କ କହିବା କଥା । ଯେଉଁ ସବୁ ଏଲ୍ଇଡି ଲାଇଟ୍ ଲାଗୁଛି, ତାର ଅବଦ୍ଧି ୩୦ ହଜାର ଘଣ୍ଟା । ହେଲେ ଲାଇଟ୍ ଦିନ ବେଳା ଜଳୁଛି । ତେଣୁ ବହୁ ଜଲ୍ଦି ଲାଇଟ୍ ଖରାପ ହୋଇ ଯାଉଛି । ତେଣୁ ଏସବୁକୁ ପ୍ରଥମେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଦିନରେ କିଭଳି ଷ୍ଟ୍ରିଟ୍ ଲାଇଟ୍ ସ୍ୱୟଂକ୍ରିୟ ଭାବେ ବନ୍ଦ ହେବ ତାହାର ବନ୍ଦୋବସ୍ତ କରାଯିବା ଦରକାର ।
ଏହି ଖବରଟିକୁ ପଢନ୍ତୁ- Bhubaneswar drainage issue : ଏପ୍ରିଲ ସରିଲା, କେବେ ହେବ ଡ୍ରେନ୍ ସଫେଇ କାମ, ବର୍ଷାକୁ ଅପେକ୍ଷା କରିଛି କି ବିଏମ୍ସି ?