ହରାଭଙ୍ଗା,୧୦।୩ . ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳର ଏକାଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଠିକ୍ ଭାବେ ସେବା ମିଳୁନଥିବା ଅଭିଯୋଗ ହୋଇଛି। ବହୁ ସମୟରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ତାଲା ପଡି ରହୁଥିବାରୁ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ ନିରାଶ ହୋଇ ଫେରୁଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସରକାର ଗ୍ରାମୀଣ ଅଞ୍ଚଳର ଲୋକଙ୍କୁ ସହଜରେ ପ୍ରାଥମିକ ଚିକିତ୍ସା ସେବା ପହଞ୍ଚାଇବା ପାଇଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ଥାପନା କରିଥିବା ସତ୍ତ୍ୱେ ଅନେକ ସ୍ଥାନରେ କର୍ମଚାରୀ ନିୟମିତ ଉପସ୍ଥିତ ନ ଥିବା ଅଭିଯୋଗ ହୋଇଛି। ଫଳରେ ସାଧାରଣ ଜ୍ୱର, ସର୍ଦି, ଆଦି ରୋଗ ପାଇଁ ମଧ୍ୟ ଗ୍ରାମବାସୀଙ୍କୁ ହସ୍ପିଟାଲକୁ ଯିବାକୁ ପଡୁଛି। ବିଶେଷକରି ବୃଦ୍ଧ ଓ ଗର୍ଭବତୀ ମହିଳାମାନେ ଏଥିରେ ବହୁତ ସମସ୍ୟା ଭୋଗୁଛନ୍ତି।

ମୁଖ୍ୟତଃ ଛତ୍ରଙ୍ଗ, ରାମଗଡ ଠାରେ ଥିବା ଆରୋଗ୍ୟମରେ ନିର୍ଦ୍ଧାରିତ ସମୟରେ କେନ୍ଦ୍ର ଖୋଲା ନ ଥିବାରୁ ଜନ ସାଧାରଣ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ପରେ ନିରାଶ ହୋଇ ଫେରିବାକୁ ବାଧ୍ୟ ହେଉଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ କରି କଡା କାର୍ଯ୍ୟାନୁଷ୍ଠାନ ନେବା ସହିତ ସମୟମତେ ସେବା ସୁନିଶ୍ଚିତ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।