ଗୁରୁଗ୍ରାମ: ହରିୟାଣାରେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଚିକିତ୍ସା ସେବା ପ୍ରଦାନ କରୁଥିବା ପ୍ରାୟ ୬୫୦ଟି ଘରୋଇ ହସ୍ପିଟାଲ ରାଜ୍ୟ ସରକାରଙ୍କ ନିକଟରୁ ବକେୟା ଅର୍ଥ ପ୍ରାୟ ୪୯୦ କୋଟି ଟଙ୍କା ନ ମିଳିବା ଯୋଗୁ ଅଗଷ୍ଟ ୭ ତାରିଖରୁ ଏହି ଯୋଜନା ଅଧୀନରେ ଚିକିତ୍ସା ସେବା ବନ୍ଦ ରଖିଛନ୍ତି। ଇଣ୍ଡିଆନ ମେଡିକାଲ ଆସୋସିଏସନ (IMA) ହରିୟାଣା ଶାଖା ଦାବି କରିଛି ଯେ ସରକାର ଦୀର୍ଘ ଦିନ ଧରି ହସ୍ପିଟାଲଗୁଡ଼ିକର ବକେୟା ଅର୍ଥ ପରିଶୋଧ କରିନାହାନ୍ତି। ଯାହା ହସ୍ପିଟାଲଗୁଡ଼ିକ ଉପରେ ଆର୍ଥିକ ଚାପ ସୃଷ୍ଟି କରିଛି। ଏହା ଫଳରେ ବର୍ତ୍ତମାନ ପ୍ରାୟ ୧.୫ କୋଟି ଲାଭାର୍ଥୀ ମାଗଣା ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି।
ଏନେଇ IMA ହରିୟାଣା ଶାଖାର ସଭାପତି ଡା. ମହାବୀର ଜୈନ କହିଛନ୍ତି ଯେ ମାର୍ଚ୍ଚ ମାସ ପରଠାରୁ ହସ୍ପିଟାଲଗୁଡ଼ିକ ମାତ୍ର ୧୦-୧୫% ବକେୟା ଅର୍ଥ ପାଇଛନ୍ତି। ଯାହା ଛୋଟ ହସ୍ପିଟାଲଗୁଡ଼ିକର ପରିଚାଳନା ପାଇଁ କଷ୍ଟକର ହୋଇପଡିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଆୟୁଷ୍ମାନ ଭାରତ ଯୋଜନା ପ୍ରଧାନମନ୍ତ୍ରୀଙ୍କ ଏକ ମହାନ ଦୃଷ୍ଟିକୋଣ, କିନ୍ତୁ ବକେୟା ଅର୍ଥ ଓ ଅନୁଚିତ କାଟ ଯୋଗୁ ଏହା ଅଚଳ ହେବାରେ ଲାଗିଛି।" IMA ଏକ ସ୍ପଷ୍ଟ ଓ ସମୟୋପଯୋଗୀ ଅର୍ଥ ପରିଶୋଧ ପ୍ରଣାଳୀ ଏବଂ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଯୋଜନା ପାଇଁ ୨,୫୦୦ କୋଟି ଟଙ୍କାର ବଜେଟ ବଣ୍ଟନ ଦାବି କରିଛି।
ରାଜ୍ୟ ସରକାର ପକ୍ଷରୁ ଆୟୁଷ୍ମାନ ଭାରତ ହରିୟାଣା ସ୍ୱାସ୍ଥ୍ୟ ସୁରକ୍ଷା ପ୍ରାଧିକରଣ (ABHHPA) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଙ୍ଗୀତା ତେତାରୱାଲ କହିଛନ୍ତି ଯେ ଅଗଷ୍ଟ ୫ ତାରିଖ ପରଠାରୁ ପ୍ରାୟ ୨୫୦ କୋଟି ଟଙ୍କା ବକେୟା ଅର୍ଥ ପରିଶୋଧ କରାଯାଇଛି। ଏବଂ ଅଗଷ୍ଟ ୨୩ ତାରିଖରେ ଆଉ ୨୯୧ କୋଟି ଟଙ୍କା ପ୍ରାପ୍ତ ହୋଇଛି, ଯାହା ଶୀଘ୍ର ବଣ୍ଟନ କରାଯିବ। ସେ ଦାବି କରିଛନ୍ତି ଯେ ଚିକିତ୍ସା ବନ୍ଦ ହେବାର କୌଣସି ପ୍ରଭାବ ପଡ଼ିନାହିଁ ଏବଂ ଦାବି ସଂଖ୍ୟା ବୃଦ୍ଧି ପାଇଛି।
ଏହି ଧର୍ମଘଟ ଯୋଗୁ ହରିୟାଣାରେ ଆୟୁଷ୍ମାନ ଭାରତ ଯୋଜନାରେ ନାମ ରହିଥିବା ୧.୮ କୋଟିରୁ ଅଧିକ ଲାଭାର୍ଥୀ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ଘରୋଇ ହସ୍ପିଟାଲ ରୋଗୀଙ୍କୁ ଫେରାଇ ଦେଉଛନ୍ତି ଏବଂ ସରକାରୀ ହସ୍ପିଟାଲଗୁଡ଼ିକ ଅତ୍ୟଧିକ ଭିଡ଼ ଯୋଗୁ ଧିରେଧିରେ ଚାପଗ୍ରସ୍ତ ହେବାରେ ଲାଗିଛି। ପାନିପତର ଜଣେ ରୋଗୀ ସୁନୀତା ଦେବୀ କହିଛନ୍ତି, "ଘରୋଇ ହସ୍ପିଟାଲ ଗୁଡିକ ଆୟୁଷ୍ମାନ କାର୍ଡରେ ଚିକିତ୍ସା ଦେବାକୁ ମନା କରିଦେଲେ। ଏବେ ଆମେ ଚିକିତ୍ସା ଖର୍ଚ୍ଚ କିପରି ବହନ କରିବୁ ଜାଣି ପାରିନାହୁଁ।"
ଏ ଖବର ପ୍ରଚାର ହେବା ପରେ ହରିୟାଣା ମୁଖ୍ୟମନ୍ତ୍ରୀ ନୟାବ ସିଂହ ସୈନୀ ଏକ କମିଟି ଗଠନ କରି ହସ୍ପିଟାଲଗୁଡ଼ିକର ଦାବି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଆରତୀ ରାଓ ଘରୋଇ ହସ୍ପିଟାଲଗୁଡ଼ିକୁ ଏତେ ଶୀଘ୍ର ଚିକିତ୍ସା ସେବା ବନ୍ଦ ନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, "ଆମେ IMA ସହ ଆଲୋଚନା କରୁଛୁ, କିନ୍ତୁ ଏକ ଦୁଃଖଦ ଘଟଣାକ୍ରମେ ହସ୍ପିଟାଲଗୁଡ଼ିକ ଏତେ ଶୀଘ୍ର ଚିକିତ୍ସା ବନ୍ଦ କରିଦେଲେ।"
IMA ହରିୟାଣା ଘୋଷଣା କରିଛି ଯେ ସମସ୍ତ ବକେୟା ଅର୍ଥ ପରିଶୋଧ ନ ହେବା ପର୍ଯ୍ୟନ୍ତ ଏହି ଧର୍ମଘଟ ଜାରି ରହିବ। ପାନିପତରେ IMA ସଦସ୍ୟମାନେ ଏକ ପ୍ରତିବାଦ ସଭାରେ କୁଶପୁତଳିକା ଦହନ କରି ସରକାରଙ୍କ ନିଷ୍କ୍ରିୟତା ବିରୁଦ୍ଧରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ରାଜ୍ୟ ସରକାର ଶୀଘ୍ର ଏହି ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଦୁଇ ପକ୍ଷ ମଧ୍ୟରେ ସ୍ଥିତି ଏପର୍ଯ୍ୟନ୍ତ ଯାଏଁ ଅସ୍ପଷ୍ଟ ରହିଛି।
ଏହି ସଙ୍କଟ ଯୋଗୁ ହରିୟାଣାରେ ଆୟୁଷ୍ମାନ ଭାରତ ଯୋଜନାର ଭବିଷ୍ୟତ ଅନିଶ୍ଚିତ ହୋଇପଡ଼ିଛି। ଏବଂ ଏହାର ସବୁଠାରୁ ବଡ଼ କ୍ଷତି ଗରିବ ଓ ଅସହାୟ ରୋଗୀମାନେ ଭୋଗୁଛନ୍ତି।