ମୁମ୍ବାଇ,୧୪/୧୦: ବାବା ସିଦ୍ଦିକିଙ୍କ ହତ୍ୟା ମାମଲାରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ମୁମ୍ବାଇ ପୋଲିସ କ୍ରମାଗତ ଭାବେ ଅନ୍ୟମାନଙ୍କୁ ଖୋଜୁଛି। ପୋଲିସ ଏହି ମାମଲାର ତଦନ୍ତ କରୁଛି। ଗିରଫ ଅଭିଯୁକ୍ତର କ୍ରାଇମବ୍ରାଞ୍ଚ ଅନୁସନ୍ଧାନ କରିବା ସହିତ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଦ୍ୱାରା ହତ୍ୟା ଦାବିର ସତ୍ୟତା ମଧ୍ୟ ଅନୁସନ୍ଧାନ କରାଯାଉଛି।
ଅନେକ ପ୍ରଶ୍ନକୁ ନେଇ ପୋଲିସ ଉତ୍ତର ଖୋଜୁଛି, କିନ୍ତୁ ଏସବୁ ବ୍ୟତୀତ ଦେଶର ଆର୍ଥିକ ରାଜଧାନୀ ଭାବରେ ଜଣାଶୁଣା ମୁମ୍ବାଇରେ ହୋଇଥିବା ଏହି ହାଇ ପ୍ରୋଫାଇଲ୍ ଘଟଣା ପରେ ଏକ ବଡ଼ ପ୍ରଶ୍ନ ଉଠିଛି କି ତିନି ଦଶନ୍ଧି ପରେ, ମୁମ୍ବାଇରେ ଅଣ୍ଡରୱାର୍ଲ୍ଡର ପ୍ରଭାବ ପୁଣି ଫେରିଲା କି? ଏହି ପ୍ରଶ୍ନଟି ଏଥିପାଇଁ ଉଠୁଛି କାରଣ ... ମୁମ୍ବାଇରେ ଜଣେ ହାଇ-ପ୍ରୋଫାଇଲ୍ ନେତାଙ୍କ ହତ୍ୟା ମାମଲା, ଯାହା ସମଗ୍ର ରାଜ୍ୟକୁ ଚକିତ କରିଦେଇଛି. ଏହା ଗତ ତିନି ଦଶନ୍ଧି ମଧ୍ୟରେ କେବେ ହୋଇନଥିଲା।
୭୦ ଦଶକରେ ହୋଇଥିଲା ଅଣ୍ଡରଓ୍ବାର୍ଲ୍ଡ ଏଣ୍ଟ୍ରି:
ନବେ ଦଶକରେ ମୁମ୍ବାଇର ଭାବମୂର୍ତ୍ତି ସ୍ୱପ୍ନର ସହର ପରି ଥିଲା, କିନ୍ତୁ ମୁମ୍ବାଇର ଏହି ପ୍ରତିଛବିକୁ ସମ୍ପୁର୍ଣ୍ଣ ଭାବେ ମଳିନ ପକାଇଥିଲା ଅଣ୍ଡରୱାର୍ଲ୍ଡ । ଆତଙ୍କବାଦର ଏପରି ରାଜତ୍ୱ ଥିଲା ଯେ ମାଇଲ ଦୂରରେ ରହୁଥିବା ଲୋକମାନେ ମଧ୍ୟ ମୁମ୍ବାଇ ଯିବାକୁ ଭୟ କରୁଥିଲେ ଏବଂ ସତୁରି ଦଶକରେ ଆତଙ୍କବାଦର ଏହି ଅଧ୍ୟାୟ ଆରମ୍ଭ ହୋଇଥିଲା। ସେହି ସମୟରେ, ଏପରି ଜଣେ ବ୍ୟକ୍ତି ଥିଲେ ଯାହାଙ୍କ ନାଁ ବଡ଼ ମାଫିଆମାନଙ୍କୁ ମଧ୍ୟ କମ୍ପିତ କରିଥିଲା। ସେ କେବେ ବନ୍ଧୁକ ଉଠାଇ ନଥିଲେ। କଦାପି କେଉଁଠି ଗୁଳି ଚଳାଇ ନାହାଁନ୍ତି। କଦାପି ହତ୍ୟା କରିନାହାଁନ୍ତି, କିନ୍ତୁ ମୁମ୍ବାଇର ସବୁଠୁ ବଡ଼ ଡନ୍ ହୋଇଥିଲେ। ସେହି ବ୍ୟକ୍ତିଙ୍କ ନାମ ସୁଲତାନ ମିର୍ଜା .. ଓରଫ୍ ହାଜି ମସ୍ତାନ୍।
ପ୍ୟାଙ୍କ୍ଚର ଲଗାଉଥିବା ଲୋକ ହୋଇଗଲା ଡନ୍:
୧୯୩୪ ମସିହାରେ ହାଜି ମସ୍ତାନର ବାପା ମୁମ୍ବାଇ ଅର୍ଥାତ୍ ସେତେବେଳର ବମ୍ବେକୁ ଆସିଥିଲେ। ହାଜି ମସ୍ତାନର ବାପା କ୍ରାଫୋର୍ଡ ମାର୍କେଟରେ ଏକ ପଙ୍କ୍ଚର ଦୋକାନ ଖୋଲିଥିଲେ। ହାଜି ମସ୍ତାନ ମଧ୍ୟ ତାଙ୍କ ବାପାଙ୍କ ସହ ଦୋକାନରେ ବସିବା ଆରମ୍ଭ କରିଥିଲା। ଏହାରି ଭିତରେ ବମ୍ବେର ବନ୍ଦର ସମୃଦ୍ଧ ହୋଇଥିଲା। ବହୁ ସାମଗ୍ରୀ ବିଦେଶରୁ ଆସୁଥିଲା। ମସ୍ତାନକୁ ବନ୍ଦରରେ ଗୋଟିଏ କୁଲିର ଚାକିରି ମିଳିଥିଲା। ତାଙ୍କୁ କୁଲି କୁହାଯାଉଥିଲା, କିନ୍ତୁ ତାଙ୍କର ପ୍ରକୃତ ବ୍ୟବସାୟ ଚୋରା ଚାଲାଣ ହେଉଥିଲା। ବନ୍ଦରରୁ ଘଣ୍ଟା, ୱାକମ୍ୟାନ୍, ରେଡିଓ ଏବଂ ଅନ୍ୟାନ୍ୟ ଜିନିଷ ଚୋରା ଚାଲାଣ ଆରମ୍ଭ କଲା। ତା’ପରେ ଧୀରେ ଧୀରେ ସେ ଚୋରା ଚାଲାଣ ଜଗତରୁ ଦୁଷ୍କର୍ମ ଓ ଅପରାଧର ଦୁନିଆକୁ ଚାଲିଆସିଲା। ୧୯୭୦ ସୁଦ୍ଧା, ସମଗ୍ର ବମ୍ବେ ହାଜି ମସ୍ତାନଙ୍କୁ ଜାଣିସାରିଥିଲା।
ହାଜିମସ୍ତାନ ପରେ ଡନ୍ ପାଲଟିଗଲା ଦାଉଦ ଇବ୍ରାହିମ୍:
୧୯୭୫ ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ମସ୍ତାନ ପରି ଅନେକ ଡନ୍କୁ ଜେଲରେ ରଖାଗଲା। ଜେଲରୁ ମୁକୁଳିବା ପରେ ହାଜି ମସ୍ତାନ ରାଜନୀତିରେ ପ୍ରବେଶ କଲା। ଦଲିତ-ମୁସଲିମ ସୁରକ୍ଷ ମହାସଂଘ ନାମକ ଏକ ଦଳ ଗଠନ କରିଥିଲା। ୧୯୯୦ ରେ, ଏହାର ନାଁ 'ଭାରତୀୟ ସଂଖ୍ୟାଲଘୁ ମହାସଂଘ' ରେ ପରିବର୍ତ୍ତିତ ହେଲା। ଦଳ ବମ୍ବେ, କଲିକତା ଏବଂ ମାଡ୍ରାସରେ ନାଗରିକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା, କିନ୍ତୁ ସଫଳ ହୋଇପାରିଲା ନାହିଁ। ଏମିତି ଏକ ସମୟ ଆସିଲା ଯେତେବେଳେ ହାଜି ମସ୍ତାନ ବଲିଉଡରେ ଲୋକପ୍ରିୟ ହେବାକୁ ଲାଗିଲା ... ଚଳଚ୍ଚିତ୍ର ତାରକାମାନେ ତାର ପଦିଏ କଥାରେ ଉଠ୍ବସ୍ ହେଉଥିଲେ। ୧୯୯୪ ରେ ହୃଦଘାତରେ ହାଜି ମସ୍ତାନର ମୃତ୍ୟୁ ହୋଇଥିଲା। ହାଜି ମସ୍ତାନର ମୃତ୍ୟୁ ପରେ ତାର ଶିଷ୍ୟ ଦାଉଦ ଇବ୍ରାହିମ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ଉପରେ ରାଜୁତି କରିବା ଆରମ୍ଭ କଲେ।
୧୯୯୩ରେ ବିଶ୍ବ ଦେଖିଥିଲା ଅଣ୍ଡରଓ୍ବାର୍ଲ୍ଡର ଆତଙ୍କୀତ ଚେହେରା:
ଯଦିଓ ଦାଉଦ ଇବ୍ରାହିମର ଅପରାଧର କଳା ଚିଠା ୭୦ ଦଶକରୁ ଆରମ୍ଭ ହୋଇସାରିଥିଲା, ତଥାପି ୧୯୯୩ ରେ ଡାଉଦ୍ ଏବଂ ତାର ସହଯୋାଗୀଙ୍କ ଆତଙ୍କର ସବୁଠାରୁ ଭୟଙ୍କର ଚେହେରା ଦେଖିଥିଲା ତତ୍କାାଳୀନ ବମ୍ବେ। ୨୯ ମାର୍ଚ୍ଚ ୧୯୯୩, ମଧ୍ୟାହ୍ନ ୧.୩୦ ରେ, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ୨୯ ମହଲା କୋଠା ବିସ୍ଫୋରଣରେ କମ୍ପିତ ହୋଇଉଠିଲା। ଲୋକମାନେ କିଛି ଭାବିବା ଆଗରୁ ୪୫ ମିନିଟ ପରେ ମୁମ୍ବାଇରେ ଆଉ ଏକ ବିସ୍ଫୋରଣ ହୋଇଥିଲା। ଏହା ପରେ ମୁମ୍ବାଇରେ ଲଗାତାର ବିସ୍ଫୋରଣ ଆରମ୍ଭ ହୋଇଥିଲା। ଦୁଇ ଘଣ୍ଟା ମଧ୍ୟରେ ୧୨ ଟି ବିସ୍ଫୋରଣ ସାରା ମୁମ୍ବାଇକୁ ଦୋହଲାଇ ଦେଇଥିଲା।
ଏହି ବିସ୍ଫୋରଣ ଶିବସେନା ଭବନ, ଏୟାର ଇଣ୍ଡିଆ ବିଲ୍ଡିଂ, ପ୍ଳାଜା ସିନେମା ଏବଂ ଏୟାରପୋର୍ଟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ହୋଇଥିଲା। ଏହି ସିରିଅଲ ବମ୍ ବ୍ଳାଷ୍ଟରେ ୨୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୧୩ ଜଣ ଆହତ ହୋଇଥିଲେ। ତା’ପରେ ପ୍ରଥମ ଥର ପାଇଁ ଦେଶରେ ଆତଙ୍କବାଦୀ ଘଟଣାରେ ଆରଡିଏକ୍ସ ବ୍ୟବହୃତ ହୋଇଥିଲା। ଏହି ଆକ୍ରମଣରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ହାତ ଥିଲା। ଏହି ବିସ୍ଫୋରଣକୁ ଟାଇଗର ମେମନ୍ ଯୋଜନା କରିଥିଲା। ଆଜି ପର୍ଯ୍ୟନ୍ତ ଉଭୟଙ୍କୁ ଧରାଯାଇ ନାହିଁ। ୧୯୯୩ ମୁମ୍ବାଇ ବିସ୍ଫୋରଣ ପୂର୍ବରୁ ଡାଉଦ୍ ଇବ୍ରାହିମ୍ ଦୁବାଇରେ ରହି ମୁମ୍ବାଇର କଳା ବ୍ୟବସାୟ ଉପରେ ନଜର ରଖିୁଥିଲା। ଦାଉଦ ଫିଲ୍ମ ଦୁନିଆରେ ମଧ୍ୟ ପ୍ରବେଶ କରିଥିଲେ। ଡାଉଡ୍ ବର୍ତ୍ତମାନ ପାକିସ୍ତାନର କରାଚିରେ ରହି ଏହାର ଗ୍ୟାଙ୍ଗ ଅପରେଟ କରୁଛି ବୋଲି କୁହାଯାଉଛି।
ଗୁଲସନ୍ କୁମାରଙ୍କ ହତ୍ୟା ପରେ ଡରିଯାଇଥିଲା ବଲିଉଡ୍:
୧୨ ତାରିଖ ୧୯୯୭, ଦିନ ଥିଲା ମଙ୍ଗଳବାର। କ୍ୟାସେଟ୍ କିଙ୍ଗ ଗୁଲସନ କୁମାର, ତାଙ୍କ ଘରୁ ପୂଜା ଥାଳି ନେଇ ବାହାରକୁ ଆସିଥିଲେ। ପ୍ରାୟ ୧୦.୧୦ ସମୟରେ ଗୁଲସନ କୁମାର ଧଳା କୁର୍ତ୍ତା ଏବଂ ଧଳା ଚପଲ ପିନ୍ଧି ନିଜ ମାରୁନ ରଙ୍ଗର ମାରୁତି ଏଷ୍ଟତମ କାରରୁ ଓହ୍ଲାଇ ଶିବ ମନ୍ଦିରରେ ପୂଜା କରିବାକୁ ଯାଇଥିଲେ। ୧୦.୪୦ ରେ ଗୁଲସନ କୁମାର ମନ୍ଦିରରୁ ପୂଜା ସାରି ଯେତବେଳେ ତାଙ୍କ କାର ଆଡ଼କୁ ଆସୁଥିଲେ, ସେତେବେଳେ ସେ କିଛି ବୁଝିବା ଆଗରୁ ଆମ୍ବୁସରେ ବସିଥିବା ଦାଉଦର ଲୋକମାନେ ଗୁଲସନ୍ଙ୍କ ଉପରକୁ ଆକ୍ରମଣ କରିଥିଲେ। ଡାଉଦର ସୁଟରମାନେ ଗୁଲସନ କୁମାରଙ୍କ ଉପରେ ମୋଟ ୧୬ ଟି ଗୁଳି ଚଳାଇଥିଲେ। ସୂଚନା ପାଇବା ପରେ ପୋଲିସ ପହଞ୍ଚି ଗୁଲଶନ କୁମାରଙ୍କୁ ନେଇଥିଲା, କିନ୍ତୁ ସେତେବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ମୁମ୍ବାଇରେ ଅଣ୍ଡରୱାର୍ଲ୍ଡର ଭୟକୁ ପୁଣି ଥରେ ଉଜ୍ଜିବିତ କରିଥିଲା। ଏହା ଏକ ହାଇ ପ୍ରୋଫାଇଲ୍ ମାମଲା ହେତୁ, ଅନୁସନ୍ଧାନ ତୀବ୍ର ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଆଧାରରେ ଆକ୍ରମଣକାରୀଙ୍କ ପରିଚୟ ପ୍ରସ୍ତୁତ କରାଯାଇଥିଲା। ଦୁଇ ଦିନ ମଧ୍ୟରେ କ୍ରାଇମ ବ୍ରାଞ୍ଚ ୬ ଜଣଙ୍କୁ ଗିରଫ କରିଥିଲା .. ସମସ୍ତେ ଆବୁ ସାଲେମ ଗୋଷ୍ଠୀ ସହ ଜଡିତ ଥିଲେ। କହିରଖୁଛୁ ଯେ, ଅଣ୍ଡରଓ୍ବାର୍ଲଡ୍ରୁ ଗୁଲସନ କୁମାରଙ୍କୁ ଦୀର୍ଘ ସମୟ ଧରି ଧମକ ଆସୁଥିଲା।
ଗୁଲସନ୍ଙ୍କ ମୃତ୍ୟୁ ପରେ ଅଣ୍ଡରଓ୍ବାର୍ଲ୍ଡ ଡନ୍ଙ୍କୁ ସଫା କରିିଥିଲା ପୁଲିସ:
ଗୁଲଶନ କୁମାରଙ୍କ ହତ୍ୟା ପରେ ମୁମ୍ବାଇ ପୋଲିସ ଅଣ୍ଡରୱାର୍ଲ୍ଡର ମେରୁଦଣ୍ଡ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲା। ଅପରାଧୀଙ୍କୁ ହଟାଇବା ପାଇଁ ଏମ୍ସିଓସିଏ ପରି ଏକ ଆଇନ ପ୍ରସ୍ତୁତ କରାଯାଇଥିଲା। ସ୍ଥାନୀୟ ପୋଲିସ ସହିତ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଆଇବି, ଆର୍ଏ, ସିବିଆଇର ସମନ୍ୱୟ ବୃଦ୍ଧି ପାଇଲା। ଏନକାଉଣ୍ଟର ଆରମ୍ଭ ହୋଇଥିଲା, ଯାହା ଅଣ୍ଡରୱାର୍ଲ୍ଡକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିଲା, କିନ୍ତୁ ବାବା ସିଦ୍ଦିକିଙ୍କ ହତ୍ୟା ପୁଣି ଥରେ ଅଣ୍ଡରୱାର୍ଲ୍ଡର ଅନୁପ୍ରବେଶକୁ ଅନୁଭବ କରାଇଛି।
ଯଦିଓ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ କେବଳ ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ ଏବଂ ୟୁପିର କେତେକ ଜିଲ୍ଲାରେ ସକ୍ରିୟ ଅଛନ୍ତି, କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ମୁମ୍ବାଇର ଅନେକ ଘଟଣାରେ ଏହି ଗୋଷ୍ଠୀର ନାଁ ଆସିଛି। ଲରେନ୍ସ ବିଷ୍ଣୋଇ ଲଗାତାର ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଉଛି। ଏହି ବର୍ଷ ତାର ଲୋକମାନେ ମଧ୍ୟ ସଲମାନ ଖାନଙ୍କ ଘର ଆଗରେ ଗୁଳି ଚଳାଇଥିଲେ। ଯଦିଓ ଏଥିରେ ସଲମାନଙ୍କର କୌଣସି କ୍ଷତି ହୋଇନଥିଲା। କୁହାଯାଉଛି ଯେ ଲରେନ୍ସ ନିଜେ ବାବା ସିଦ୍ଦିକିଙ୍କ ଉପରେ ଆକ୍ରମଣ କରିଥିଲା। ଏହି ଘଟଣା ପରେ ବିଷ୍ଣୋଇ ଗ୍ୟାଙ୍ଗ ମଧ୍ୟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ତେବେ ପୋଲିସ ତଦନ୍ତ ଜାରି ରଖିଛି।