ନୂଆଦିଲ୍ଲୀ : ଆମେରିକା - ଇରାନ ମଧ୍ୟରେ ଅସ୍ତ୍ରବିରତି ସତ୍ତ୍ୱେ ଉଭୟ ଦେଶ ମଧ୍ୟରେ ତିକ୍ତ ବାକ୍ ଯୁଦ୍ଧ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ଚେତାବନୀର କିଛି ଘଣ୍ଟା ପରେ, ଇରାନର ଉପ-ରାଷ୍ଟ୍ରପତି ଇସ୍ମାଇଲ୍ ସାଘାବ୍ ଏସଫାହାନି ଉପସାଗରୀୟ (ଗଲ୍ଫ) ଦେଶଗୁଡ଼ିକୁ ଏକ ଆଶ୍ଚର୍ଯ୍ୟକର ଧମକ ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ଏସଫାହାନି କହିଛନ୍ତି ଯେ, ଯଦି କୌଣସି ଅବରୋଧ କିମ୍ବା ଆକ୍ରମଣ ଯୋଗୁଁ ତୈଳ କୂପ ସମେତ ଆମର ଭିତ୍ତିଭୂମି ନଷ୍ଟ ହୁଏ, ତେବେ ଆମେ ଗ୍ୟାରେଣ୍ଟି ଦେଉଛୁ ଯେ, ଆକ୍ରମଣକାରୀଙ୍କୁ ସମର୍ଥନ କରୁଥିବା ଦେଶଗୁଡ଼ିକର ଭିତ୍ତିଭୂମି ଚାରିଗୁଣ ଅଧିକ ନଷ୍ଟ କରିଦେବୁ। ସେ ସ୍ପଷ୍ଟ ଭାବେ ଲେଖିଛନ୍ତି ଯେ, ଆମର ଗଣିତ ଅଲଗା - ୧ ତୈଳ କୂପ = ୪ଟି ତୈଳ କୂପ।

କଣ କହି ଥିଲେ ଡୋନାଲ୍ଡ ଟ୍ରମ୍ପ?

ଏହାପୂର୍ବରୁ ରବିବାର ଦିନ ରାଷ୍ଟ୍ରପତି ଟ୍ରମ୍ପ ତେହେରାନକୁ କଡ଼ା ଚେତାବନୀ ଦେଇ କହିଥିଲେ ଯେ, ଯଦି ଇରାନ ଯୁଦ୍ଧ ସମାପ୍ତ କରିବା ପାଇଁ ଅସ୍ତ୍ରବିରତିରେ ସହମତ ନହୁଏ, ତେବେ ଆମେରିକା ତା’ର ତୈଳ ପାଇପ ଲାଇନଗୁଡ଼ିକୁ ଉଡ଼ାଇ ଦେବ। 'ଫକ୍ସ ନ୍ୟୁଜ୍' ସହ କଥାବାର୍ତ୍ତା ବେଳେ ଟ୍ରମ୍ପ କହିଥିଲେ ଯେ, ଯଦି ଇରାନ ତୈଳ ରପ୍ତାନି କରିବାରେ ଅସମର୍ଥ ହୁଏ, ତେବେ ଯାନ୍ତ୍ରିକ ତ୍ରୁଟି ଏବଂ ପ୍ରାକୃତିକ କାରଣରୁ ପାଇପ ଲାଇନଗୁଡ଼ିକ ଅଚଳ ହୋଇଯିବ।

ଅନ୍ୟପଟେ , ଏହି ସମୟରେ ଉଭୟ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ଆଲୋଚନା ବର୍ତ୍ତମାନ ଠପ୍ ହୋଇ ଯାଇଛି। ହେଲେ, ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଅରାଘଚୀ ସୋମବାର ସକାଳେ ରୁଷର ସେଣ୍ଟ ପିଟର୍ସବର୍ଗରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ପୂର୍ବରୁ ଅରାଘଚୀ ଇସଲାମାବାଦ ଏବଂ ମସ୍କଟକୁ ଗସ୍ତ କରି ସାରିଛନ୍ତି।

ପାକିସ୍ତାନ ଉପରେ ବର୍ଷିଲା ଇରାନ :

ଅନ୍ୟପଟେ, ଇରାନ ସଂସଦର ମୁଖପାତ୍ର ଇବ୍ରାହିମ ରଜାଇ, ସୋମବାର ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଆଲୋଚନାରେ ପାକିସ୍ତାନର ମଧ୍ୟସ୍ଥିତାକୁ କଡ଼ା ସମାଲୋଚନା କରିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ମଧ୍ୟସ୍ଥିତା ପାଇଁ ପାକିସ୍ତାନର ଆବଶ୍ୟକୀୟ ବିଶ୍ୱସନୀୟ ନୁହେଁ। ସାଂସଦ ଜଣକ ଅଭିଯୋଗ କରିଛନ୍ତି ଯେ, ଇସଲାମାବାଦ ସର୍ବଦା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାର୍ଥକୁ ଧ୍ୟାନରେ ରଖିଥାଏ ଏବଂ ଆମେରିକୀୟଙ୍କ ଇଚ୍ଛା ବିରୁଦ୍ଧରେ ପଦେ ହେଲେ କଥା କୁହେ ନାହିଁ। ପାକିସ୍ତାନ ଆମର ଏକ ଭଲ ବନ୍ଧୁ ଏବଂ ପଡ଼ୋଶୀ ଦେଶ, କିନ୍ତୁ ଆଲୋଚନା ପାଇଁ ଏହା ଏକ ଉପଯୁକ୍ତ ମଧ୍ୟସ୍ଥି ନୁହେଁ। ଇରାନ ବିଶ୍ୱାସ କରେ ଯେ ଜଣେ ମଧ୍ୟସ୍ଥି ନିରପେକ୍ଷ ହେବା ଉଚିତ ଏବଂ ଉଭୟ ପକ୍ଷକୁ କଠୋର ସତ୍ୟ କହିବାକୁ ପ୍ରସ୍ତୁତ ରହିବା ଉଚିତ, ଯେଉଁଥିରେ ପାକିସ୍ତାନ ବିଫଳ ହୋଇଛି।

ଆହୁରି ମଧ୍ୟ ପଢନ୍ତୁ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଏସିଆରେ ଯୋଗାଣ ଠପ୍, ଝଟକାରୁ ବର୍ତ୍ତିବନି ଆମେରିକା

ଏପଟେ , ଇସ୍ରାଏଲ-ହିଜବୁଲ୍ଲା ମାମଲାରେ ମଧ୍ୟ ଉତ୍ତେଜନା ବୃଦ୍ଧି ପାଇଛି। ଉଭୟ ପକ୍ଷ ପରସ୍ପର ଉପରେ ଯୁଦ୍ଧବିରତି ଉଲ୍ଲଙ୍ଘନର ଅଭିଯୋଗ କରୁଛନ୍ତି। ଇସ୍ରାଏଲୀୟ ସେନା ଦକ୍ଷିଣୀ ଲେବନାନରେ ନିଜର ଜଣେ ସୈନିକଙ୍କ ଲଢେଇ ବେଳେ ମୃତ୍ୟୁ ସ୍ପଷ୍ଟ କରିଛି। ଅପ୍ରେଲର ମଧ୍ୟରୁ ଏହି କ୍ଷେତ୍ରରେ ଯୁଦ୍ଧବିରତି ଲାଗୁ ରହିଛି। ହିଜବୁଲ୍ଲା ଇସ୍ରାଏଲୀୟ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଅଭିଯୋଗକୁ ଦୃଢ ଖଣ୍ଡନ କରି କହିଛି , ଦକ୍ଷିଣ ଲେବାନନ ଓ ଉତ୍ତରୀ ଇସ୍ରାଏଲରେ ଇସ୍ରାଏଲୀୟ ଠିକଣା ଉପରେ ତାର ହମଲା ( ଯୁଦ୍ଧବିରତି ଘୋଷଣା ପର ଠାରୁ) ଇସ୍ରାଏଲ ଦ୍ୱାରା ନିରନ୍ତର କରାଯାଉ ଥିବା ଉଲ୍ଲଙ୍ଘନର ଜବାବ ଥିଲା।