• ଆମେରିକୀୟ କିଣୁଥିବା ଅଧା ସାମଗ୍ରୀ ଏସିଆରୁ ଆସିଥାଏ
  • ଯୁଦ୍ଧ ଯୋଗୁ ତେଲ, ଗ୍ୟାସ ସହ ଆଲୁମିନିୟମ, ପ୍ଲାଷ୍ଟିକ, ରବର ଯୋଗାଣ ଠପ୍
  • ଏସୀୟ କାରଖାନାଗୁଡ଼ିକରେ ଉତ୍ପାଦନ ବ୍ୟାହତ

ନୂଆଦିଲ୍ଲୀ : ଗ୍ୟାସ ଷ୍ଟେସନଗୁଡ଼ିକରେ ଇନ୍ଧନ ପାଇଁ ଭିଡ଼ । ହସ୍ପିଟାଲରେ ମେଡିକାଲ ଉପକରଣ ଅଭାବ । ପ୍ଲାଷ୍ଟିକ ଅଭାବ ଯୋଗୁ ପ୍ୟାକେଜିଂ ଶିଳ୍ପ ହନ୍ତସନ୍ତ । ଅନ୍ୟାନ୍ୟ କଞ୍ଚାମାଲ ନ ଥିବାରୁ କାରଖାନାଗୁଡ଼ିକରେ ଉତ୍ପାଦନ ଠପ । ଏସବୁ ଚିତ୍ର ଏବେ ଦେଖିବାକୁ ମିଳୁଛି ଏସିଆରେ । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଯୋଗାଣ ସମସ୍ୟାରୁ ଏଭଳି ଅବସ୍ଥା । ତେବେ ଏସବୁ ପରିସ୍ଥିତି ଯୁଦ୍ଧର ସ୍ରଷ୍ଟା ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ପାଲଟିପାରେ କାଳ । କାରଣ ଆମେରିକୀୟମାନେ କିଣୁଥିବା ପ୍ରାୟ ଅଧା ସାମଗ୍ରୀ ଏସିଆରୁ ଆସିଥାଏ । ଯଦି ଏସିଆରେ କାରଖାନାଗୁଡ଼ିକ ଯୋଗାଣ ଅଭାବ ଦେଇ ଗତି କରୁଛନ୍ତି, ଆମେରିକୀୟମାନେ ଏହାର ପ୍ରଭାବରୁ କିପରି ବା ବର୍ତ୍ତିବେ । ଯଦି ହୋର୍ମୁଜ ମାର୍ଗ ଅଧିକ ଦିନ ଧରି ବନ୍ଦ ରୁହେ, ଆମେରିକା ପାଇଁ ପରିସ୍ଥିତି ଭୟଙ୍କର ହେବ । ସମସ୍ୟା ଏଭଳି ଉତ୍କଟ ହେବ, ଯାହାକି ବିଶ୍ୱର ଅନ୍ୟ କୌଣସି ପ୍ରାନ୍ତରେ ଅନୁଭବ ହୋଇ ନ ପାରେ । ବିଶେଷଜ୍ଞଙ୍କ ମତରେ, ଯୁଦ୍ଧ ଯୋଗୁ ଆମେରିକା ଉପରେ ପ୍ରଭାବ ଆଶା ବାହାରେ ରହିବ ।

ଇରାନ ଯୁଦ୍ଧ ବିଶ୍ୱ ଆଲୁମିନିୟମ, ପ୍ଲାଷ୍ଟିକ ଏବଂ ବିଶେଷ କରି ରବର ଯୋଗାଣକୁ ଠପ୍ କରିଦେଇଛି । ବିଶ୍ୱର ମୋଟ ପଲିପ୍ରପ୍ଲିନ୍ର ପ୍ରାୟ ୨୫% ଏବଂ ପଲିଏଥ୍ଲିନ୍ର ୨୦% ମଧ୍ୟପ୍ରାଚ୍ୟ ଯୋଗାଇଥାଏ, ଯାହାକି ଦୁଇଟି ବହୁଳ ବ୍ୟବହାର ହେଉଥିବା ପ୍ଲାଷ୍ଟିକ । ବିଶ୍ୱର ମୋଟ ସଲ୍ଫରର ଏକ ତୃତୀୟାଂଶ ଏବଂ ସାରର ୧୫% ମଧ୍ୟପ୍ରାଚ୍ୟରୁ ଆସିଥାଏ । କେପିଏମ୍ଜି ଗ୍ଲୋବାଲ ମୁଖ୍ୟ(ତୈଳ ଏବଂ ଗ୍ୟାସ୍) ଆଞ୍ଜି ଗିଲ୍ଡି କୁହନ୍ତି,ଅଶୋଧିତ ତୈଳ, ଡିଜେଲ ଏବଂ ଗ୍ୟାସୋଲିନ୍ ଉପରେ ଯୁଦ୍ଧର ପ୍ରଭାବକୁ ନେଇ ବୃହତ୍ ମାତ୍ରାରେ ଚର୍ଚ୍ଚା ହେଉଛି । କିନ୍ତୁ ଫିଡ୍ଷ୍ଟକ୍ ଏବଂ ପେଟ୍ରୋକେମିକାଲ୍ସର ବି କମ୍ ଅଭାବ ସ୍ଥିତି ନାହିଁ । ଦକ୍ଷିଣ କୋରିଆର ୟିଓଚୁନ୍ ଏବଂ ସିଙ୍ଗାପୁରର ପିସିଏସ୍ ସମେତ ବଡ଼ ବଡ଼ ପେଟ୍ରୋକେମିକାଲ ଉତ୍ପାଦନକାରୀ ଏହାକୁ ଭୟଙ୍କର ପରିସ୍ଥିତି ଦର୍ଶାଇଲେଣି । ସେମାନେ ନିଜ ଗ୍ରାହକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବାରେ ଅକ୍ଷମ ହେଉଥିବା କ୍ୟାପିଟାଲ ଇକୋନୋମିକ୍ସର ମୁଖ୍ୟ ଉତ୍ତର ଆମେରିକୀୟ ଅର୍ଥନୀତିଜ୍ଞ ଷ୍ଟିଫେନ ବ୍ରାଉନ ପ୍ରକାଶ କରିଛନ୍ତି । ଅନ୍ୟ କମ୍ପାନିଗୁଡ଼ିକର କହିବାନୁସାରେ, ସେମାନେ ନିଜ ଉତ୍ପାଦଗୁଡ଼ିକ ପାଇଁ ପ୍ଲାଷ୍ଟିକ ପ୍ୟାକେଜିଂ ଅଭାବର ସାମ୍ନା କରୁଛନ୍ତି । ସମ୍ପ୍ରତି ଦେଖାଦେଇଥିବା ଯୋଗାଣ ଅଭାବ ସ୍ଥିତି ଏଯାବତ ସବୁଠୁ ଲମ୍ବା ବୋଲି କହିଛି ଏସ୍ ଆଣ୍ଡ୍ ପି ୫୦୦ର ବିଶ୍ୱ ଯୋଗାଣ ଅଭାବ ମାପକ । ୩ ବର୍ଷରେ ପ୍ରଥମ ଥର ପାଇଁ ଏଭଳି ହୋଇଥିବା ଏହା ପ୍ରକାଶ କରିଛି ।

ନିଜ ପାଇଁ ଗାତ ଖୋଳୁଛି ଆମେରିକା

ତେବେ ଏସବୁ ସମସ୍ୟାର ସ୍ରଷ୍ଟା ବା ଆମେରିକା ନିଜ ପାଇଁ ନିଜେ ଗାତ ଖୋଳୁଥିବା କୁହନ୍ତି ବିଶେଷଜ୍ଞ । ନିବେଶ ଷ୍ଟ୍ରାଟେଜିଷ୍ଟ ରୋସ୍ ମେଫିଲ୍ଡ କୁହନ୍ତି, ଆମେରିକା ନିଜେ ହୃଦୟଙ୍ଗମ କରିପାରୁନାହିଁ ଯେ, ଏହା ଯୁଦ୍ଧ ଯୋଗୁ ସୃଷ୍ଟି ହୋଇଥିବା ପ୍ରଭାବରୁ ଅଧିକ ପ୍ରଭାବିତ ହେବ । ଟାରିଫ୍ ଲାଗୁ କରିବା ସମୟରେ ଟ୍ରମ୍ପ ମାସ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲେ । କିନ୍ତୁ ଯୁଦ୍ଧ ଥିଲା ଆକସ୍ମିକ । କମ୍ପାନିଗୁଡ଼ିଙ୍କୁ ମିଳିଲା ହଠାତ୍ ଝଟ୍କା । କମ୍ ସମୟ ମଧ୍ୟରେ ସେମାନେ ପ୍ରଭାବକୁ ସାମ୍ନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିପାରିଲେ ନାହିଁ । ଯେଉଁ କମ୍ପାନିଗୁଡ଼ିକ ଏସୀୟ ସାମଗ୍ରୀଗୁଡ଼ିକ ଉପରେ ଅଧିକ ନିର୍ଭରଶୀଳ ସେମାନେ ବାଟବଣା । ହୋର୍ମୁଜ ବାଟ ଖୋଲିବାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଆମେରିକା ନିଜେ ତଳିତଳାନ୍ତ ହୋଇଯିବ ବୋଲି କୁହନ୍ତି ବିଶେଷଜ୍ଞ ।

କେପ୍ଲର ଆକଳନ ଅନୁସାରେ, ହୋର୍ମୁଜ ବନ୍ଦ ହେବା ଦ୍ୱାରା ତୈଳ ଯୋଗାଣ କ୍ଷତି ଏପ୍ରିଲ ଶେଷ ସୁଦ୍ଧା ମୋଟ ୭୦୦ ନିୟୁତ ବ୍ୟାରେଲରେ ପହଞ୍ଚିବ । ଏହି ତୈଳ ଅଭାବରୁ ଏସିଆ ବଡ଼ ମାତ୍ରାରେ ପ୍ରଭାବିତ ହେବ । ଏହା ପ୍ରଭାବରେ ଆମେରିକାରେ ସାମଗ୍ରୀ ଅଭାବ ସ୍ଥିତି ଅତି ମାତ୍ରାରେ ଭୟଙ୍କର ହୋଇଯିବ ବୋଲି ଗିଲ୍ଡି ପ୍ରକାଶ କରିଛନ୍ତି । କାରଣ ଆମେରିକୀୟ କିଣୁଥିବା ଅଧା ସାମଗ୍ରୀ ଏସିଆରୁ ଆସିଥାଏ । ଅନ୍ୟପକ୍ଷରେ, ବ୍ରାଉନ୍ ଆକଳନ କରିଛନ୍ତି ଯେ, ପ୍ଲାଷ୍ଟିକ ଅଭାବ ସମଗ୍ର ବିଶ୍ୱକୁ ବ୍ୟାପିବା ପାଇଁ ୩ ମାସ ଲାଗିବ । ସେହିଭଳି ଆଲୁମିନିୟମ ଅଭାବ ଯୋଗୁ ଅଟୋ ନିର୍ମାତା ଉତ୍ପାଦନ କମାଇବା ପାଇଁ ୪ ମାସ ଲାଗିବ । ଯଦି ହୋର୍ମୁଜ ଜଳ ମାର୍ଗ ଠିକ୍ ଭାବେ ନ ଖୋଲେ ତେବେ ବିଶ୍ୱ ବ୍ୟାପାର କ୍ଷେତ୍ରର ଏକ ବିକୃତ ଚିତ୍ରକୁ ଏଡ଼ାଇ ହେବ ନାହିଁ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଏହାସହ ପଢ଼ନ୍ତୁ : ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ପ୍ରଧାନ ଶିକ୍ଷକଙ୍କୁ ବାନ୍ଧିଲା ପୁଲିସ