କଟକ,୨୯/୦୬: ବିବାଦରେ  ଥିବା ଚୌଦ୍ୱାର ଜେଲ୍‌ର ଅଧୀକ୍ଷକ ସୁଜିତ ରାଉଳଙ୍କୁ କେବଳ ଦୁଇ ବିହାରୀ କଏଦୀ ଫେରାର୍‌ ହେବା ଘଟଣାରେ ଘଣ୍ଟ ଘୋଡ଼ାଯାଇନି । ରେକର୍ଡ କହୁଛି ଶ୍ରୀ ରାଉଳ ଭଦ୍ରକ କାରାଗାରରେ ଜେଲର୍‌ ଥିବା ବେଳେ ତାଙ୍କ ବିରୋଧରେ ଆର୍ଥିକ  ଅନିୟମିତତା ଅଭିଯୋଗ ଆସିଥିଲା । କ୍ୟାଣ୍ଟିନ୍‌ ଅର୍ଥ ହଡ଼ପ କରିଥିବା ତଦନ୍ତ  ବେଳେ ଜଣାପଡ଼ିଲା । ମାତ୍ର ଏତେସବୁ  ପରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଲାନି । ବରଂ କିଛି ମାସ ପରେ ତାଙ୍କୁ ଅଧୀକ୍ଷକ ଭାବେ ପଦୋନ୍ନତି ମିଳିଲା । ଏହି  କ୍ରମରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଚୌଦ୍ୱାର ସର୍କଲ୍‌ ଜେଲ୍‌ର ଅଧୀକ୍ଷକ କରାଗଲା । ସେ  ଯୋଗ ଦେବା ପରଠୁ ତାଙ୍କ ବିରୋଧରେ ମାଳମାଳ ଅଭିଯୋଗ ଆସିବା ସତ୍ତେ୍ୱ ଜେଲ୍‌ ବିଭାଗ ଶ୍ରୀ ରାଉଳଙ୍କ ଉପରେ ଅହେତୁକ ଅନୁକମ୍ପା ଦେଖାଇ ଚାଲିଛି କାହିଁକି ସେ ପ୍ରଶ୍ନ  ଏବେ ଖୋଦ୍‌ ବିଭାଗରେ ଘୂରି ବୁଲୁଛି ।  

୨୦୨୨ ମସିହାରେ ସୁଜିତ ରାଉଳ  ଭଦ୍ରକ କାରାଗାରରେ ଜେଲର୍‌ ଭାବେ  କାମ କରୁଥିଲେ । ଏହି ସମୟରେ ଜେଲ୍‌ର  କ୍ୟାଣ୍ଟିନ୍‌ ପାଇଁ ହେଉଥିବା ଖର୍ଚ୍ଚରେ ଦୁର୍ନୀତି  ହୋଇଥିବା ନେଇ ଅଭିଯୋଗ ଆସିଥିଲା ।  ସେ କ୍ୟାଣ୍ଟିନ୍‌ ଟଙ୍କା ହେରଫେର୍‌ କରିଛନ୍ତି  ବୋଲି ସଙ୍ଗିନ ଅଭିଯୋଗ ହେଲା । ବିଭାଗୀୟ  ଖୋଳତାଡ଼ରେ ସତ୍ୟତା ଥିବା ଜାଣିବା ପରେ  ଶ୍ରୀ ରାଉଳଙ୍କଠାରୁ ଡିଡିଓ ଚାର୍ଜ ବା ଆର୍ଥିକ  କାରବାରର କ୍ଷମତା କାଢ଼ି ନିଆଯାଇଥିଲା ।  ପରେ ଏନେଇ ବିଭାଗ ପକ୍ଷରୁ ତଦନ୍ତ  ହୋଇଥିଲା । ଯାହା ଶ୍ରୀ ରାଉଳଙ୍କ ଚାକିରି  କାଳରେ ଏକ ଦାଗ ଲଗାଇଥିଲା । ମାତ୍ର ଶ୍ରୀ  ରାଉଳ ଜେଲ୍‌ ବିଭାଗ ଉପରେ ରଖିଥିବା  ଦବ୍‌ଦବା ବଳରେ ସବୁ ଦାଗ ହଟାଇଦେଲେ ।  କିଛି ବର୍ଷ ପରେ ତାଙ୍କୁ ଅଧୀକ୍ଷକ ପଦବିକୁ  ପଦୋନ୍ନତି ମିଳିଲା । ଏମିତିକି ହେରଫେର୍‌  କରିଥିବା ଟଙ୍କା କଥା ବିଭାଗ ପୂରା ଭୁଲିଗଲା ।  ପରେ ସେ ରାଜ୍ୟର ସର୍ବବୃହତ ମଣ୍ଡଳ  କାରାଗାର ଚୌଦ୍ୱାର ଜେଲ୍‌ର ଦାୟିତ୍ୱ  ନେଲେ । ଏହା ପରେ ବି ଏକାଧିକ  ବିଷୟରେ ଶ୍ରୀ ରାଉଳ ବିବାଦକୁ ଆସି  ଚୌଦ୍ୱାର ଜେଲ୍‌ ଅଧୀକ୍ଷକ ଭାବେ ଦାୟିତ୍ୱ  ତୁଲାଉଛନ୍ତି । ଏମିତିକି ତାଙ୍କ ବିରୋଧରେ  ଥାନାରେ ରେକର୍ଡ ଜାଲିଆତି ଭଳି ସଙ୍ଗିନ  ଅଭିଯୋଗ ହେବା ଓ ସେହି ମାମଲାରେ  ହାଇକୋର୍ଟରୁ ଆଗୁଆ ଜାମିନ ନେବା ପରେ  ବି ଜେଲ୍‌ ବିଭାଗ ତାଙ୍କ ଉପରେ କୌଣସି  ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରୁନି । ଗଲା  କିଛି ଦିନ ପୂର୍ବରୁ ଡି’ ବ୍ରଦର୍ସ ସହଯୋଗୀ  ଲିଟୁଆ ଓରଫ ଭରତ ବେହେରା ଜେଲ୍‌  କ୍ୟାମ୍ପସ୍‌ ଭିତରକୁ ତାର ଥର୍‌ ଗାଡ଼ି ନେବା  ବିଷୟ ଜଣାପଡ଼ ିବା ପରେ ଅଧୀକ୍ଷକଙ୍କୁ  ଜେଲ୍‌ ବିଭାଗ ପକ୍ଷରୁ କେହି ବି କୈଫିୟତ  ମାଗିନାହାନ୍ତି । ବରିଷ୍ଠ ଅଧିକାରୀମାନେ  ତାଙ୍କୁ ଘଣ୍ଟ ଘୋଡ଼ାଇ ରଖିଛନ୍ତି । ଜେଲ୍‌  ଭାଙ୍ଗି ଦୁଇ ବିହାରୀ କଏଦୀ ଫେରାର୍‌  ଘଟଣାରେ ହେଉ ବା ଜଣେ ବିଚାରାଧୀନ  ବନ୍ଦୀଙ୍କ ସୁନା ଅଳଙ୍କାର ଗାଏବ ଘଟଣାରେ  ହେଉ ସବୁ ଘଟଣାରେ ତାଙ୍କ ବିରୋଧରେ  ଉଠିଥିବା ଅଭିଯୋଗକୁ ଚାପି ଦିଆଯାଇଛି ।  ତାଙ୍କ ଉପରେ ଜେଲ୍‌ ବିଭାଗର ଏତେ  ଅନୁକମ୍ପା କାହିଁକି ତାହା ଏବେ ପ୍ରଶ୍ନବାଚୀ  ସୃଷ୍ଟି କରିଛି । ଅଭିଯୋଗ ସମ୍ପର୍କରେ ଶ୍ରୀ  ରାଉଳଙ୍କ ପ୍ରତିକ୍ରିୟା ପାଇଁ ତାଙ୍କୁ ବହୁବାର  ଫୋନ୍‌ କରାଯାଇଥିଲେ ମଧ୍ୟ ସେ ଫୋନ୍‌  ନଉଠାଇବାରୁ ତାଙ୍କ ମତାମତ ମିଳିପାରିନି ।