ନବରଙ୍ଗପୁର, ୧୭/୭: ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା । ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଓଡ଼ିଶା ବନ୍ଦ ପାଳନ । ଏହାର ପ୍ରଭାବ ନବରଙ୍ଗପୁର ଜିଲ୍ଲାରେ ପଡ଼ିଛି । ନବରଙ୍ଗପୁର ଓ ଉମରକୋଟ ସହର ସମେତ ଜିଲ୍ଲାର ୧୦ଟି ବ୍ଲକରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ନବରଙ୍ଗପୁର ସହର ମଧ୍ୟ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥକୁ କଂଗ୍ରେସ କର୍ମୀଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି ।
ଅନ୍ୟପଟେ ନବରଙ୍ଗପୁର ସହରର ଚାଉଁରିଆଗୁଡ଼ା ଛକ, ମାଝୀଗୁଡ଼ା ଛକଠାରେ କଂଗ୍ରେସ ଦଳର କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି । ସହର ମଧ୍ୟ ଦେଇ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି । ରାସ୍ତାର ଉଭୟ ପାର୍ଶ୍ଵରେ ଅଟକିଛି ଶହ ଶହ ସଂଖ୍ୟାରେ ଗାଡ଼ି । ଫଳରେ ସାଧାରଣ ଜନତା ହଇରାଣ ହେଉଥିବା ଦେଖିବାକୁ ମିଳିଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଜରୁରୀ ସେବା ବ୍ୟତୀତ ବାକି ସବୁ କାରବାର ଉପରେ ବନ୍ଦର ପ୍ରଭାବ ପଡ଼ିଛି ।