କଟକ,୧୮/୧୧: ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ସ୍ୱଚ୍ଛ ବାଲିଯାତ୍ରା ଯୋଜନା ଏବେ ପ୍ରହସନ ପାଲଟିଛି । ବ୍ୟୟବହୁଳ ଟେଣ୍ଡର୍ ନିର୍ଦ୍ଦିଷ୍ଟ ସଂସ୍ଥା ହାତରେ ଟେକି ନିଜ ଦାୟିତ୍ୱ ସାରିଦେଇଥିବା ବେଳେ ତଳ ପଡ଼ିଆଠୁ ଉପର ପଡ଼ିଆ ଆବର୍ଜନାରେ ଭର୍ତ୍ତି ହୋଇପଡିଥିବାବେଳେ ଓ ଦୁର୍ଗନ୍ଧରେ ଫାଟି ପଡୁଛି । ରାସ୍ତା କଡ଼ରେ ଆବର୍ଜନା ଗଦା ହେବା ସହିତ ପାଣି କାଦୁଅରେ ଦୁର୍ଗନ୍ଧ ଲୋକଙ୍କ ପାଇଁ ଅସହ୍ୟ ହୋଇପଡିଛି । ଏସବୁ ମଧ୍ୟରେ ଦୈନିକ ୩ ଓଳି ସଫେଇ ପାଇଁ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ଏବେ ପାଣିରେ ପଡ଼ିଥିବା ମନେ ହେଉଛି । ପରିମଳକୁ ନେଇ ଲୋକମାନେ ବିରକ୍ତି ପ୍ରକାଶ କରିଛନ୍ତି । ଏପଟେ ଦାୟିତ୍ୱରେ ଥିବା ଠିକା ସଂସ୍ଥା ବଦଳରେ ପରିମଳ ତଦାରଖ ଆଳରେ ୱାର୍ଡ ଛାଡି ଆସି ପଡ଼ିଆରେ ବୁଲୁଛନ୍ତି ସିଏମ୍ସି ଏମ୍ପିଏଚ୍ଏସ୍ ।
ଗତ ଦୁଇ ବର୍ଷ ହେବ ସିଏମ୍ସି ପରିମଳ ପରିଚାଳନା ଦାୟିତ୍ୱ ତୁଲାଉଥିଲା । ଦୁଇ ବର୍ଷ ବାଲିଯାତ୍ରା ପାଇଁ ପାଖାପାଖି ୫୦ ଲକ୍ଷ ଟଙ୍କାର କାର୍ଯ୍ୟକୁ ବିନା ଟେଣ୍ଡର୍ରେ ଜାଗୃତିକୁ ଦେଇଥିଲେ । କିନ୍ତୁ ଠିକ୍ ଭାବେ ସଫେଇ ନ ହେବା ସହିତ ବାଲିଯାତ୍ରା ପରେ ନିନ୍ଦା ମୁଣ୍ଡାଇଥିଲା ସିଏମ୍ସି । ଏହାପରେ ଏ ବର୍ଷ ଦୁଇ ଗୁଣା ଦରରେ ପାଖାପାଖି ୫୧ ଲକ୍ଷ ଟେଣ୍ଡର୍ କରି ଉକ୍ତ ସଂସ୍ଥାକୁ ପୁଣି ଡାକିକି ଦାୟିତ୍ୱ ଦେଇଥିଲା । ଏଥିରେ ଅନେକ ପ୍ରକାରର ଚୁକ୍ତି ସହିତ ୩ ଓଳି ସଫେଇ କରିବା ପାଇଁ ଦୈନିକ ୬ ଶହରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ ପାଇଁ ନିଷ୍ପତ୍ତି ହୋଇଥିଲା ।
କିନ୍ତୁ ସେସବୁ ଏବେ ଏକ ପ୍ରକାରର ପ୍ରହସନ ପାଲଟିଛି । ଦିନ ଦ୍ୱିପହର ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆବର୍ଜନା ଗଦା ହୋଇ ରହୁଥିଲାବେଳେ ସଂଧ୍ୟା ବେଳେ ପଡ଼ିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଯାଉଛି । ତଳ ପଡ଼ିଆ ତୁଳନାରେ ଉପର ପଡ଼ିଆରେ ସାଂଘାତିକ ଅବସ୍ଥା ଦେଖିବାକୁ ମିଳିଛି । ଏହାବାଦ୍ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସିଏମ୍ସି ଓ ୱାଟ୍କୋ ଶୌଚାଳୟ କରିଥିଲାବେଳେ ତାହାର ରକ୍ଷଣାବେକ୍ଷଣ ଅଭାବରୁ ବାଲିଯାତ୍ରାର ଦୁଇ ଦିନରେ ତାହାକୁ ବ୍ୟବହାର କରିବା ତ ଦୂର କଥା ପଶିବାକୁ ଲୋକମାନେ ନାକ ଟେକୁଛନ୍ତି । ଯାହା ପ୍ରଶାସନର ପରିମଳ ପରିଚାଳନାରେ ବିଫଳତା ପଦାରେ ପଡିଛି।