ଭୁବନେଶ୍ୱର, ୧୫/୦୫: ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ୬ ଦିନରେ ପହଞ୍ଚିଛି । ହେଲେ ଏପର୍ଯ୍ୟନ୍ତ ଗାଡ଼ି ଡାଲାରେ ଥିବା ଅଭିଯୁକ୍ତମାନେ କିଏ ସେମାନଙ୍କୁ କ୍ରାଇମ୍‌ବ୍ରାଞ୍ଚ ଖୋଜୁଛି । ସୌମ୍ୟଙ୍କ ହାତ ଗୋଡ଼ ବାନ୍ଧି ଗାଡ଼ି ଡାଲାରେ ଡାକ୍ତରଖାନାକୁ ନେଉଥିବା ଲୋକମାନେ ମୁଖ୍ୟ ଅଭିଯୁକ୍ତ ବୋଲି ପରିବାର ଲୋକ କହୁଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଗୁରୁବାର ଜଣଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା କଟକ ସଦର ଥାନା ଗଙ୍ଗେଶ୍ୱରଗଡ଼ ଗାଁର ରଞ୍ଜିତ ପାତ୍ର ଓରଫ ଚିନୁ । ଏହି ଗିରଫଦାରୀ ସମସ୍ତଙ୍କୁ ଚିକିତ କରିଛି । ଅନ୍ୟପକ୍ଷରେ ଯେଉଁ ଗାଡ଼ିରେ ସୌମ୍ୟଙ୍କୁ ଗୁରୁତର ଅବସ୍ଥା ନିଆଯାଇଥିଲା ଉକ୍ତ ଗାଡ଼ି ଚାଳକଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏପର୍ଯ୍ୟନ୍ତ ଜେରା କରିନାହିଁ । ଗାଡ଼ିରେ କେତେ ଜଣ ଥିଲେ, ସେମାନଙ୍କ ମଧ୍ୟରୁ କେଉଁମାନେ ଗାଡ଼ି ଡାଲାରେ ସୌମ୍ୟ ମୁଣ୍ଡକୁ ଛେଚୁଥିଲେ ସେନେଇ କ୍ରାଇମ୍ ବ୍ରାଞ୍ଚ କିଛି ତଥ୍ୟ ସଂଗ୍ରହ କରିନାହିଁ ।

୭ ତାରିଖ ଦିନ ଯାହା ସବୁ ଘଟିଲା ସେ ସବୁର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଲା । ସୌମ୍ୟଙ୍କୁ ମୁହଁ ଓ ମୁଣ୍ଡକୁ ଗୋଇଠା ମାରିବା, ଶରୀରକୁ ବାଉଁଶରେ ପିଟିବା, ହାତଗୋଡ଼ ବନ୍ଧା ଅବସ୍ଥାରେ ବହ୍ଲାରେ ଘୋଷାଡ଼ି ନେବା ଓ ଗାଡ଼ି ଡାଲାରେ ମେଡିକାଲ୍ ନେବା ବେଳେ ମୁଣ୍ଡକୁ ଛେଚିବା ପର୍ଯ୍ୟନ୍ତ ସବୁର ଦୃଶ୍ୟର ଭାଇରାଲ୍ ଭିଡିଓ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି । ହସ୍ପିଟାଲ୍ ନେବା ବେଳେ ସୌମ୍ୟ ବଞ୍ଚିଥିଲେ । ହେଲେ ହସ୍ପିଟାଲ୍ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରୁ ଡାକ୍ତରଖାନାକୁ ଯିବା ବାଟରେ ଏମିତି କ’ଣ ଘଟିଥିଲା ଯେ ସୌମ୍ୟଙ୍କର ମୃତ୍ୟୁ ହୋଇଥିଲା । ତେଣୁ ସେତେବେଳେ ସୌମ୍ୟଙ୍କ ସହିତ ଥିବା ବ୍ୟକ୍ତି ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ପରିବାର ଲୋକେ ଅଭିଯୋଗ କରୁଛନ୍ତି । ହେଲେ କ୍ରାଇମ୍‌ବ୍ରାଞ୍ଚ ଆଜି ଚିନୁକୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇ ଏକ ପ୍ରେସ୍ ବିଜ୍ଞାପ୍ତି ଜାରି କରିଛି । ଏମିତି ସେ ବାଉଁଶ ଆକ୍ରମଣ କରିଥିବା କଥା କ୍ରାଇମ୍‌ବ୍ରାଞ୍ଚ ଉଲ୍ଲେଖ କରିଛି ।

କେଉଁ ଆଧାରରେ କ୍ରାଇମ୍‌ବ୍ରାଞ୍ଚ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ଘଟଣା ସ୍ଥଳରେ ଥିବା ପୁଲିସ କର୍ମଚାରୀମାନେ ଚିନୁକୁ ମୁଖ୍ୟ ଅଭିଯୁକ୍ତ ବୋଲି କହିଛନ୍ତି, ନା’ ସୌମ୍ୟଙ୍କ ସାଙ୍ଗ ଓମ୍ପ୍ରକାଶ? ଗିରଫ ହୋଇଥିବା ଚିନୁର ଘର ଘଟଣାସ୍ଥଳରୁ ବହୁ ଦୂର । ସେ ଉକ୍ତ ରାସ୍ତା ଦେଇ କେଉଁ ଆଡେ ଯାଉଥିଲା, ନାଁ ତାକୁ କେହି ଫୋନ୍ କରି ଘଟଣାସ୍ଥଳକୁ ଡାକିଥିଲା । ଏ ବିଷୟରେ କ୍ରାଇମ୍‌ବ୍ରାଞ୍ଚ କିଛି ସ୍ପଷ୍ଟ କରିନାହିଁ । ତେଣୁ ଏନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।

ଅଧିକ ପଢ଼ନ୍ତୁ :- Balianta Murder case : ଅସଜଡ଼ା ଭିତ୍ତିଭୂମି ପାଇଁ ଝୁଣ୍ଟୁଛି ତଦନ୍ତ, ସୌମ୍ୟ ହତ୍ୟା ମାମଲାରେ ପୁଲିସର ମାଳ ମାଳ ତ୍ରୁଟି ଧରିଲାଣି କ୍ରାଇମ୍ବ୍ରାଞ୍ଚ

ଚିନୁକୁ ମିଶାଇ ବର୍ତ୍ତମାନ ସୁଦ୍ଧା କ୍ରାଇମ୍‌ବ୍ରାଞ୍ଚ ୨ ଜଣଙ୍କୁ ଗିରଫ କରିଛି । ପୂର୍ବରୁ ବାଲିଅନ୍ତା ଥାନା ପୁଲିସ୍ ୧୧ ଜଣଙ୍କୁ ଗିରଫ କରିଥିଲା । ମୋଟ୍ ଗିରଫ ସଂଖ୍ୟ ୧୩ରେ ପହଞ୍ଚିଛି। ସେପଟେ କ୍ରାଇମ୍‌ବ୍ରାଞ୍ଚ ଟିମ୍ ପ୍ରଥମେ ଘଟଣାସ୍ଥଳରେ ଥିବା ଦୁଇ ଯୁବତୀ ଓ ସୌମ୍ୟଙ୍କ ସାଙ୍ଗ ଓମ୍‌ଙ୍କ ଜେରା କରିଛି । ହେଲେ ଏପର୍ଯ୍ୟନ୍ତ ଗଣ୍ଡଗୋଳର ସୂତ୍ରପାତ କେମିତି ହେଲା ତା’ର ସ୍ପଷ୍ଟ ଚିତ୍ର ପାଇପାରିନାହିଁ । ଉଭୟ ଅଭିଯୋଗକାରୀଙ୍କର ମଧ୍ୟରୁ କିଏ ସତ କହୁଛି ସେମାନଙ୍କର ମିଛଧରା ପରୀକ୍ଷା କରିବାକୁ ଯୋଜନା କରିଛି । ଆସନ୍ତା ସପ୍ତାହରେ ଏହି ପରୀକ୍ଷା କରାଯିବ । ଏଥିରୁ ସ୍ପଷ୍ଟ ହୋଇଯିବ କିଏ ସତ କହୁଛନ୍ତି ।