ନୂଆଦିଲ୍ଲୀ, ୨।୧: ବେଲୁଚିସ୍ତାନରୁ ଭାରତକୁ ଖୋଲା ଚିଠି ଆସିଛି । ପାକିସ୍ତାନର ବେଲୁଚିସ୍ତାନର ନିର୍ବାସିତ ବାଲୁଚ୍ ନେତା ମୀର ୟାର ବାଲୁଚ୍ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ମୀର ୟାର ବାଲୁଚ୍ ଭାରତ ଏବଂ ବେଲୁଚିସ୍ତାନ ମଧ୍ୟରେ ଐତିହାସିକ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି ଏବଂ ସହଯୋଗ ବୃଦ୍ଧି ପାଇଁ ନିବେଦନ କରିଛନ୍ତି । ବେଲୁଚିସ୍ତାନର ୬ କୋଟି ନାଗରିକଙ୍କ ପକ୍ଷରୁ ସେ ଭାରତର ୧୪୦ କୋଟି ଲୋକଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

ଭାରତ ସହିତ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ସମ୍ପର୍କର ଉଲ୍ଲେଖ କରିଛନ୍ତି ବାଲୁଚ୍ ନେତା:

ଏହି ଚିଠିରେ ମୀର ୟାର ବାଲୁଚ୍ ଭାରତ ଏବଂ ବେଲୁଚିସ୍ତାନ ମଧ୍ୟରେ ଐତିହାସିକ, ସାଂସ୍କୃତିକ, ଧାର୍ମିକ ଏବଂ ବାଣିଜ୍ୟିକ ସମ୍ପର୍କର ଉଲ୍ଲେଖ କରିଛନ୍ତି । ସେ ଭାରତକୁ ପାକିସ୍ତାନକୁ ମୂଳରୁ ଉପାଡ଼ି ଦେବାକୁ ମଧ୍ୟ ଦାବି କରିଛନ୍ତି । ବାଲୁଚ୍ ନେତା କହିଛନ୍ତି ଯେ, ଏହି ମାମଲାରେ ବେଲୁଚିସ୍ତାନର ପ୍ରତ୍ୟେକ ନାଗରିକ ଭାରତ ସହିତ ଅଛନ୍ତି । ଚିଠିରେ ବାଲୁଚ୍ ନେତା ଲେଖିଛନ୍ତି, ହିଙ୍ଗଲାଜ୍ ମାତା ମନ୍ଦିର ଭଳି ପବିତ୍ର ସ୍ଥାନ ଆମର ସହଭାଗୀ ଐତିହ୍ୟର ପ୍ରତୀକ ।

​​​​​​​

ଅପରେସନ ସିନ୍ଦୁର ପାଇଁ ମୋଦିଙ୍କ ପ୍ରଶଂସା:

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଅପରେସନ ସିନ୍ଦୁର ପାଇଁ ମୋଦିଙ୍କ ପ୍ରଶଂସା କଲେ ବାଲୁଚ୍ ନେତା । ଅପରେସନ ସିନ୍ଦୂର ଭଳି ସାହସିକ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୋଦିଙ୍କୁ ପ୍ରଶଂସା କରିଥିଲେ । ସେ ଲେଖିଛନ୍ତି, "ଗତ ୬୯ ବର୍ଷ ଧରି ବେଲୁଚିସ୍ତାନର ଲୋକମାନେ ପାକିସ୍ତାନର ଅତ୍ୟାଚାର ସହି ଆସୁଛନ୍ତି । ବର୍ତ୍ତମାନ ଏହି ଗମ୍ଭୀର ସମସ୍ୟାକୁ ମୂଳପୋଛ କରି ଆମ ଦେଶର ସାର୍ବଭୌମତ୍ୱ ସୁନିଶ୍ଚିତ କରିବାର ସମୟ ଆସିଛି ।" ଚିଠିରେ ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ମେଣ୍ଟ ଉପରେ ଚିନ୍ତା ପ୍ରକାଶ କରି କହିଛନ୍ତି ଯେ, ଯଦି ବେଲୁଚିସ୍ତାନର ସ୍ୱାଧୀନ ସେନାକୁ ଶୀଘ୍ର ସୁଦୃଢ଼ କରାନଯାଏ, ତେବେ ଚୀନ୍ ସେଠାରେ ନିଜର ସୈନ୍ୟ ମୁତୟନ କରିପାରେ । ବେଲୁଚିସ୍ତାନରେ ଚୀନ୍ ସୈନ୍ୟଙ୍କ ଉପସ୍ଥିତି ଭବିଷ୍ୟତରେ ଭାରତ ଏବଂ ବେଲୁଚିସ୍ତାନ ଉଭୟ ଦେଶ ପାଇଁ ବିପଦ ଆଣିପାରେ ।