ନୂଆଦିଲ୍ଲୀ ୨୨/୧୧: ଏକ ଅଜବ କଳାକୃତି ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ  ହୋଇଛି । କାନ୍ଥରେ ଟେପ୍‌ ଦ୍ୱାରା ସଂଲଗ୍ନ ଏକ କଦଳୀ  କଳାକୃତି ନ୍ୟୁୟର୍କ ସ୍ଥିତ ସୋଥ୍‌ବାଏଜ୍‌ ନିଲାମ ଗୃହରେ  ବିକ୍ରି ହୋଇଛି । ଜାଣି ଆଶ୍ଚର୍ଯ୍ୟ ହେବେ, ୬୨ ଲକ୍ଷ  ଡଲାରରେ ଏହା ନିଲାମ ହୋଇଛି । ପୂର୍ବ ଆକଳନଠୁ  ଏହା ୪ ଗୁଣ ଅଧିକ । ଇଟାଲିର ମରିଜିଓ କ୍ୟାଟେଲାନ୍‌  ଏହାକୁ ପ୍ରସ୍ତୁତ କରିଛନ୍ତି । 

ସୋଥ୍‌ବାଏଜ୍‌ ଅନୁସାରେ, ଚୀନ୍‌ର କ୍ରିପ୍ଟୋକରେନ୍ସି  ଉଦ୍ୟୋଗୀ ଜଷ୍ଟିନ୍‌ ସନ୍‌ ଗତ ବୁଧବାର ଅନ୍ୟ  ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପଛରେ ପକାଇ ଇଟାଲିର ଏହି  ଭିଜୁଆଲ ଆର୍ଟିଷ୍ଟ୍‌ଙ୍କ ମଜାଦାର କଳାକୃତିକୁ କିଣିଛନ୍ତି । ସେ  କହିଛନ୍ତି, ଏହି ନିଆରା କଳାତ୍ମକ ଅନୁଭବର ଅଂଶ ଭାବେ  ଆଗାମି ଦିନରେ ମୁଁ ଏହି କଦଳୀକୁ ଖାଇବି । ଟେପ୍‌ରେ  ସଂଲଗ୍ନ ଏହି କଦଳୀକୁ ଅଦ୍ୟାବଧି ବିକ୍ରି ହୋଇଥିବା  ସବୁଠୁ ମହଙ୍ଗା ଫଳ ବୋଲି କୁହାଯାଉଛି । ଏହାକୁ ମାତ୍ର  ୦.୩୫ ଡଲାରରେ କିଣାଯାଇଥିଲା । 

୨୦୧୯ ମସିହାରେ ପ୍ରଥମେ ଏହି ମଜାଦାର କଳାକୃତିର  ଉନ୍ମୋଚନ ହୋଇଥିଲା । ରାତାରାତି ଏହା ଚର୍ଚ୍ଚାର ବିଷୟ  ହୋଇଥିଲା । ଏ ପ୍ରକାର ଉତ୍ତେଜକ କଳା ବିତର୍କର କାରଣ  ମଧ୍ୟ ହୋଇଥିଲା । ଏଇଟି ସମଗ୍ର ବିଶ୍ୱରେ ଭ୍ରମଣ କରିଛି ।  ପଚିଯିବା ପରେ କଦଳୀକୁ କିପରି ବଦଳାଯିବ ଏବଂ ତା’  ସ୍ଥାନରେ ଆଉ ଏକ କଦଳୀ କେମିତି ଟେପ୍‌ ଦ୍ୱାରା ସଂଲଗ୍ନ  କରାଯିବ, ତା’ର ନିର୍ଦ୍ଦେଶାବଳୀ ମଧ୍ୟ ଏଥିରେ ରହିଛି ।  ଏହି କଳାକୃତି କଦଳୀକୁ ଦୁଇଥର ଖିଆଯାଇଛି । ୨୦୨୩  ମସିହାରେ ସିଓଲ ସ୍ଥିତ ଲିୟମ୍‌ ମ୍ୟୁଜିୟମ୍‌ ଅଫ୍‌ ଆର୍ଟରେ  କଳାକୃତି ପ୍ରଦର୍ଶନ ସମୟରେ ଦକ୍ଷିଣ କୋରିଆର ଜଣେ  କଳା ଛାତ୍ର ଏହି କଦଳୀକୁ ଖାଇଥିଲେ । ଟେପ୍‌ର ଚିହ୍ନ  ଅନୁସାରେ ସେହି ସ୍ଥାନରେ ଆଉ ଏକ କଦଳୀ ସ୍ଥାନୀତ  କରାଯାଇଥିଲା । ଏହାର ୪ ବର୍ଷ ପୂର୍ବରୁ ମିଆମିର ଆର୍ଟ  ବାସେଲରେ ଏହି କଳାକୃତି ୧୨୦,୦୦୦ ଡଲାରରେ ବିକ୍ରି  ହେବା ପରେ ଜଣେ କଳାକାର କାନ୍ଥରେ ମରାଯାଇଥିବା  କଦଳୀକୁ ଆଣି ଖାଇଥିଲେ । ତୁରନ୍ତ ଏହା ସ୍ଥାନରେ ଆଉ  ଏକ କଦଳୀକୁ ଟେପ୍‌ରେ ମରାଯାଇଥିଲା । ତେବେ, ଏ  ନେଇ କାହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ।