ଢାକା, ୧୨/୦୩: ବାଂଲାଦେଶର ସେନାମୁଖ୍ୟ ୱାକର-ଉଜ୍‌-ଜମାନଙ୍କୁ  ଗାଦିଚ୍ୟୁତ କରି ତାଙ୍କ ସ୍ଥାନରେ କ୍ଷମତା ଦଖଲ କରିବାକୁ ଉଦ୍ୟମ ହୋଇଛି । ଏଭଳି ଉଦ୍ୟମ କରିଛନ୍ତି ସେନାର ଜଣେ  ବରିଷ୍ଠ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ  ଫୈଜୁର ରହମନ । ହେଲେ ତାଙ୍କର ଏହି ଉଦ୍ୟମ ସଫଳ ହୋଇନାହିଁ । ରହମନ ପାକିସ୍ତାନ ତଥା ଆତଙ୍କୀ ସଙ୍ଗଠନ ଜମାତ ଏ-ଇସ୍‌ଲାମୀର ଜଣେ ଦୃଢ଼ ସମର୍ଥକ ଭାବେ ଜଣାଶୁଣା ।

ସୂଚନା ଅନୁସାରେ  ବାଂଲାଦେଶରେ ଏବେ ରାଜନୈତିକ  ଅସ୍ଥିରତା ଲାଗି ରହିଥିବା ବେଳେ  ରହମନ ନିଜର ଶକ୍ତି ଦେଖାଇବାକୁ  ଚେଷ୍ଟା କରିଥିଲେ । ସେଥିପାଇଁ ସେ  ସେନା ମୁଖ୍ୟାଳୟରେ ଡିଭିଜନାଲ  କମାଣ୍ଡରଙ୍କ ଏକ ବୈଠକ ଡାକିଥିଲେ ।  କିନ୍ତୁ ଏକଥା ସେନାମୁଖ୍ୟ ୱାକର ଜାଣି  ନଥିଲେ । ବୈଠକରେ ସେନାମୁଖ୍ୟଙ୍କୁ  ବିରୋଧ ସହ ତାଙ୍କ ପ୍ରତି ସମର୍ଥନ ହାସଲ  କରିବା ଥିଲା ରହମନଙ୍କ ଉଦ୍ଦେଶ୍ୟ ।  ହେଲେ ବୈଠକକୁ ଅଧିକାଂଶ କମାଣ୍ଡର  ଆସିନଥିଲେ । ତେଣୁ ତାଙ୍କର ଏହି  ଉଦ୍ୟମ ସଫଳ ହୋଇନଥିଲା । ତଥାପି  ପ୍ରାୟ ୧୦ ଜଣ କମାଣ୍ଡର ରହମନଙ୍କୁ  ସମର୍ଥନ କରିଥିବା ସୂଚନା ମିଳିଛି ।  ଏହି ଘଟଣା ସାମ୍ନାକୁ ଆସିବା ପରେ  ଏବେ ରମହନ ଓ ତାଙ୍କ ସମର୍ଥିତ ୧୦  ଜଣ କମାଣ୍ଡରଙ୍କ ଉପରେ ତୀକ୍ଷ୍ଣ ନଜର  ରଖାଯାଇଛି । ତାଙ୍କର ସମସ୍ତ କାର୍ଯ୍ୟକଳାପ  ଓ ଗତିବିଧି ଉପରେ ସାମରିକ  ଗୁଇନ୍ଦା ଡିଜିଏଫଆଇ ନଜର ରଖିଛି।