ନୂଆଦିଲ୍ଲୀ ; ୨୦/୧ : ଭାରତରେ ଟି-୨୦ ବିଶ୍ବକପ ନଖେଳିବାକୁ ଅଡ଼ି ବସିଛି ବାଂଲାଦେଶ । ତୃତୀୟଥର ପାଇଁ ଆଇସିସିକୁ ଚିଠି ଲେଖିଛି ବାଂଲାଦେଶ । ଭାରତରେ ଖେଳାଳିଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି ପଡ଼ୋଶୀ ଦେଶ । ପାକିସ୍ତାନ ଭଳି ନିଜର ମ୍ୟାଚ ଗୁଡ଼ିକ ଶ୍ରୀଲଙ୍କାରେ ଖେଳିବା ପାଇଁ ନିଜର ଜିଦରେ ଅଟଳ ରହିଛି । ତେବେ ଏହାରି ଭିତରେ ବାଂଲାଦେଶ ଅଧିନାୟକ ଲିଟନ ଦାସ ନିଜର ପ୍ରତିକ୍ରିୟା ରଖିଛନ୍ତି ।
ସାମ୍ବାଦିକମାନେ ଟି-୨୦ ବିଶ୍ବକପ ଭାରତରେ ତାଙ୍କ ଦଳ ଖେଳିବ କି ନାହିଁ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଲିଟନ ଦାସ ସିଧାସଳଖ ମନା କରି ଦେଇଛନ୍ତି । ସେ କହିଛନ୍ତି କି, ଆପଣମାନେ ଜାଣିଛନ୍ତି କି, ଆମେ ବିଶ୍ବକପ ଖେଳିବାକୁ ଯାଉଛୁ କି ନାହିଁ । ଆମେ ଏବେ ଅନିଶ୍ଚିତତା ଭିତରେ ଅଛୁ । ଏଭଳି ଏକ ପ୍ରଶ୍ନର ଉତ୍ତର ଦେବା ମୋ ପାଇଁ ନିରାପଦ ନୁହେଁ । ସମଗ୍ର ବାଂଲାଦେଶ ଏବେ ଦ୍ବନ୍ଦରେ ଅଛି । ଏହାସହ ବାଂଲାଦେଶ-ଭାରତ ରାଜନୈତିକ ସମ୍ପର୍କକୁ ନେଇ ପଚରାଯାଇଥିବା ପ୍ରଶ୍ନକୁ ମଧ୍ୟ ଏଡ଼ାଇ ଦେଇଥିଲେ ।
କହି ରଖୁଛୁ କି, ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା ଏବଂ ଅଚ୍ୟାଚାର ବୃଦ୍ଧି ପାଉଛି । ଯାହାକୁ ଭାରତରେ ବିରୋଧ କରାଯାଇଛି । ଯାହାର ପ୍ରଭାବ ଖେଳ ଉପରେ ମଧ୍ୟ ପଡ଼ିଛି । ବାଂଲାଦେଶ କ୍ରିକେଟର ମୁସ୍ତାପିଜୁର ରେହେମାନଙ୍କୁ କେକେଆର ଡ଼ିଜର ଟିମରେ ସାମିଲ୍ କରିଥିଲା । ମାତ୍ର ତାଙ୍କୁ ଦଳର ବାହାର କରିବା ପାଇଁ ଲାଗି ରହିଥିଲା ବିବାଦ । ଯାହାକୁ ନେଇ ଶାହାରୁଖ ଖାନଙ୍କୁ ଦେଶଦ୍ରୋହୀ ବୋଲି ମଧ୍ୟ କୁହାଯାଇଥିଲା । ପରେ ବିସିସିଆର ନିଦ୍ଦେଶ ପରେ ତାଙ୍କୁ ଦଳରୁ ରିଲିଜ୍ କରିଥିଲା କେକେଆର । ଏହାପରେ ବାଂଲାଦେଶ କ୍ରିକେଟ ବୋର୍ଡ ତାଙ୍କ ସପକ୍ଷରେ ଆସି ଭାରତରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପ ଖେଳିବାକୁ ସିଧା ସିଧା ମନା କରି ଦେଇଛି ।
ଏହାସହ ପଢ଼ନ୍ତୁ : ICCକୁ ପୁଣିଥରେ ଚିଠି ଲେଖିଲା ବାଂଲାଦେଶ, କହିଲା BCCI ପାଇଁ....
ଆଇସିସିକୁ ପିସିବି ଚିଠି ଲେଖି ନିଜର ଭେନ୍ୟୁ ବଦଳାଇବାକୁ ନିବେଦନ କରିଛି । ପୂର୍ବରୁ ଦୁଇଥର ଚିଠି ଲେଖିଥିବାବେଳେ କୌଣସି ସୁଫଳ ମିଳିନଥିଲା । ମାତ୍ର ଏବେ ପୁଣିଥରେ ବାଂଲାଦେଶ ଚିଠି ଲେଖି ଜଣାଇଛି କି, ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ଥାନକୁ ପରିବର୍ତ୍ତନ କରାଯାଉ । ସେପଟେ କୁହାଯାଉଛି କି, ଯଦି ବାଂଲାଦେଶ ନିଜ ଜିଦରେ ରହେ ତାହେଲେ ସ୍କଟଲ୍ୟାଣ୍ଡ ବାଂଲାଦେଶ ସ୍ଥାନରେ ଖେଳିପାରେ । ଗ୍ରୁପ୍-ସିରେ ରହିଥିବା ବାଂଲାଦେଶର ଭାରତରେ ୪ଟି ମ୍ୟାଚ ରହିଥିଲା । ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ୍, ଇଟାଲୀ ଏବଂ ନେପାଳ ଏହି ଗ୍ରୁପରେ ରହିଛନ୍ତି । ତେବେ ବାଂଲାଦେଶ ବଦଳରେ ବିକଳ୍ପ ଦଳ ଭାଗ ନେବା ନେଇ ଏଯାବତ ଆଇସିସି ପ୪ରୁ କୌଣସି ଘୋଷଣା କରାଯାଇନାହିଁ । ମାତ୍ର ବାଂଲାଦେଶ ନିଜର ଜିଦରେ ଅଟଳ ରହିଥିବାବେଳେ ବାରମ୍ବାର ସମାଲୋଚନା କରୁଛି ।