ନୂଆଦିଲ୍ଲୀ; ୨୦/୧ : ସୁଧୁରୁନି ବାଲାଂଦେଶ କ୍ରିକେଟ ବୋର୍ଡ । ଆଇସିସିର ବାରମ୍ବାର ବରଖାସ୍ତ କରିବା ପରେ ମଧ୍ୟ ନିଜ ଜିଜରେ ଅଟଳ ରହିଛି ବିସିବି । ବାଂଲାଦେଶର କ୍ରୀଡ଼ା ପରାମର୍ଶଦାତା ଆସିଫ୍ ନଜରୁଲ୍ କହିଛନ୍ତି କି, ବିସିସିଆଇ ଚାପରେ ଯଦି ଆଇସିସି କିଛି ନିଷ୍ପତ୍ତି ନିଏ ବାଂଲାଦେଶ ଏହାକୁ ଗ୍ରହଣ କରିବ ନାହିଁ । ଆମ ସ୍ଥାନରେ ଆଇସିସି ସ୍କଟଲ୍ୟାଣ୍ଡକୁ ସାମିଲ କରିବ ବୋଲି କୁହାଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ଆମକୁ କୌଣସି ସୂଚନା ଦିଆଯାଇନାହିଁ । ମାତ୍ର ବିସିସିଆଇ ଚାପରେ ଯଦି ଆଇସିସି ଏଭଳି ନିଷ୍ପତ୍ତି ନିଏ ତାହେଲେ ଆମେ କେବେ ମଧ୍ୟ ଏହାକୁ ଗ୍ରହଣ କରିପାରିବୁ ନାହିଁ ।
ଏହାସହ ସେ କହିଛନ୍ତି କି, ବାଂଲାଦେଶ କ୍ରିକେଟରେ କୌଣସି ପ୍ରକାର ରାଜନୈତିକ କିମ୍ବା ବାଣିଜ୍ୟିକ ଚାପ ଗ୍ରହଣୀୟ ନୁହେଁ । ଆଇସିସି କୌଣସି ବୋର୍ଡରେ ଚାପରେ ନରହି ସମସ୍ତ କଥାକୁ ନିରପେକ୍ଷତାର ସହ ବିଚାର କରିବା ଜରୁରୀ । ଆମେ ଆମର ପରିଶ୍ରମ ଜରିଆରେ ନିଜର ପରିଚୟ ସୃଷ୍ଟି କରିଛୁ । ପଡ଼ିଆରେ ସର୍ବଦା ଆମେ ଆମର ପ୍ରଦର୍ଶନ ପାଇଁ ପ୍ରତିଷ୍ଠା ରଖିଛୁ । ଯଦି କେହି ଆମକୁ ପଛକୁ ଠେଲିବା ପାଇଁ ପ୍ରୟାସ କରେ ଆମେ ଚୁପ୍ ବସିବୁନି । ବାଂଲାଦେଶ ସରକାର ସର୍ବଦା ଖେଳାଳି ଏବଂ ବାଲାଂଦେଶ କ୍ରିକେଟ ବୋର୍ଡ ସହ ରହିଛନ୍ତି । ବାଂଲାଦେଶ କୌଣସି ଭୁଲ କଥାକୁ ବରଦାସ୍ତ କରିବ ନାହିଁ ।
ଭାରତରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପରେ ବାଂଲାଦେଶ ଭାରତରେ ନଖେଳିବାକୁ ମନା କରିଛି । ସୁରକ୍ଷା ଚିନ୍ତା ପ୍ରକଟ କରି ବାରମ୍ବାର ଆଇସିସିକୁ ଚିଠି ଲେଖୁଛି ବାଂଲାଦେଶ । ଢ଼ାକାରେ ଆଇସିସି ପକ୍ଷରୁ ଅନୁଷ୍ଠିତ ହୋଇଥିବା ବୈଠକରେ ଆସନ୍ତାକାଲି ଚୂଡାନ୍ତ ନିଷ୍ପତ୍ତି ଶୁଣାଯିବ ବୋଲି କୁହାଯାଉଛି । ତେବେ ବାଂଲାଦେଶ ଯଦି ନିଜ ଜିଦରେ ଅଟଳ ରୁହେ ତେବେ ତାଙ୍କ ସ୍ଥାନରେ ଅନ୍ୟ ଟିମ ଭାଗ ନେଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ବାଂଲାଦେଶ ନିଜର ସମସ୍ତ ମ୍ୟାଚ ପାକିସ୍ତାନ ଭଳି ଶ୍ରୀଲଙ୍କାରେ ଖେଳିବାକୁ ଜିଦ୍ ଧରିଛି । ସେପଟେ ଯଦି କହିବା ତାହେଲେ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ବଢ଼ୁଥିବା ନିର୍ଯାତନାକୁ ନେଇ ଭାରତରେ ସମାଲୋଚନା କରାଯାଇଥିଲା । ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁରଙ୍କୁ ଆଇପିଏଲରୁ ବାଦ ଦେବାକୁ ସ୍ବର ଉଠିଥିଲା । ପରେ ବିସିସିଆଇ ତାଙ୍କୁ ଆଇପିଏଲରୁ ବାହାର କରିବା ପାଇଁ କହିଥିଲେ । କୋଲକାତା ତାଙ୍କୁ ଦଳରୁ ରିଲିଜ୍ କରିବା ପରେ ଏହି ବିବାଦ ଅଧିକ ବଢ଼ି ଯାଇଛି ।