ନୂଆଦିଲ୍ଲୀ, ୧୨/୦୨ : ଆଜି ବାଂଲାଦେଶ ଭୋଟ୍। ନେତା ବାଛିବେ ଜନତା। ୨୦୨୪ରେ ଶେଖ ହସିନା ଗାଦିଚ୍ୟୁତ ହେବା ପରେ ପ୍ରାୟ ୧୮ ମାସ ଧରି ଅନ୍ତରୀଣ ସରକାର ହାତରେ ଶାସନ ଭାର ଥିଲା। ଏହି ନିର୍ବାଚନ ପରେ ଦେଶକୁ ନୂଆ ନେତା ମିଳିବେ। ତେବେ ଏହି ନିର୍ବାଚନ କେବଳ ସରକାର ପରିବର୍ତ୍ତନ ଯାଏ ସୀମିତ ନାହିଁ। ମତଦାତା ଜୁଲାଇ ଚାର୍ଟରର ମଧ୍ୟ ଭାଗ୍ୟ ନିର୍ଦ୍ଧାରଣ କରିବେ। ତେବେ ୨୦୨୬ରେ କାହା ପଲ୍ଲା ରହିବ ଭାରି ? ବିଏନପି ନା ଜମାତ-ଏ-ଇସଲାମି ? କିଏ ଗଢିବ ସରକାର ? କଣ କହୁଛି ସମୀକରଣ...

ବାଂଲାଦେଶରେ ଏଥର ତାରିକ ରେହମାନଙ୍କ ବିଏନପି ପାର୍ଟି ସରକାର ଗଢିବ ବୋଲି ଆଲୋଚନା ହେଉଛି। ହେଲେ ବିଏନପିର ପୂର୍ବ ସହଯୋଗୀ ଶଫିକୁର ରେହମାନଙ୍କ ଜମାତ-ଏ-ଇସଲାମି ପୁଣି ଥରେ ପାୱାରକୁ ଆସିବାର ସମ୍ଭାବନା ରହିଛି। ଏକଜିଟ୍ ପୋଲରେ ବିଏନପି ଏବଂ ଜମାତ ଭିତରେ ବରାବର ଟକ୍କର ଦେଖିବାକୁ ମିଳିଛି। ସେପଟେ ବାଂଲାଦେଶ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଥିବା ଇସଲାମିକ ଜମାତ-ଏ-ଇସଲାମିର ନେତୃତ୍ୱରେ ୧୧ଟି ଦଳର ଏକ ବଡ଼ ମେଣ୍ଟ ଦ୍ୱାରା BNPକୁ ଚ୍ୟାଲେଞ୍ଜ ଦେଉଛି। ହସିନାଙ୍କ ଶାସନ ସମୟରେ ଜମାତ-ଏ-ଇସଲାମିକୁ ନିଷିଦ୍ଧ କରାଯାଇଥିଲା, କିନ୍ତୁ ହସିନାଙ୍କୁ ହଟାଇବା ପରେ ଏହାର ପ୍ରଭାବ ବୃଦ୍ଧି ପାଇଛି। ଏହି ମେଣ୍ଟରେ ୨୦୨୪ ବିଦ୍ରୋହୀ ନେତାମାନଙ୍କ ଦ୍ୱାରା ଗଠିତ ନ୍ୟାସନାଲ ସିଟିଜେନ୍ସ ପାର୍ଟି ମଧ୍ୟ ସାମିଲ ରହିଛି। ଅପର ପକ୍ଷରେ ଶେଖ ହାସିନାଙ୍କ ଦଳ, ଆୱାମୀ ଲିଗ୍ ବର୍ତ୍ତମାନ ନିର୍ବାଚନ ମଇଦାନରୁ ଗାଏବ ଥିବାରୁ, ଏଥର ପ୍ରତିଯୋଗିତା ମୁଖ୍ୟତଃ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଏବଂ ଇସଲାମିକ ଜମାତ-ଏ-ଇସଲାମିର ନେତୃତ୍ୱାଧୀନ ମେଣ୍ଟ ମଧ୍ୟରେ ବରାବର ଟକ୍କର ହେବ। 

BNP ତାରିକ ରେହମାନଙ୍କୁ ଏହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଛି। ୧୭ ବର୍ଷ ନିର୍ବାସନ ପରେ ରେହମାନ ଡିସେମ୍ବରରେ ବାଂଲାଦେଶ ଫେରି ଆସିଛନ୍ତି ଏବଂ ଡେମୋକ୍ରାଟିକ୍ ସଂସ୍ଥା ଗୁଡ଼ିକୁ ପୁନଃନିର୍ମାଣ ଏବଂ ଅର୍ଥନୀତିକୁ ପୁନର୍ଜୀବିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏଥର ନିର୍ବାଚନରେ ସବୁଠୁ ବଡ଼ ଫ୍ୟାକ୍ଟର ହେଲା ଅନିର୍ଣ୍ଣାୟକ ମତଦାତା। ଏବେ ବାଂଲାଦେଶରେ ଯେଉଁ ସ୍ଥିତି ରହିଛି ଭୋଟରମାନେ କାହା ପକ୍ଷରେ ନଥିବା ନଜର ଆସୁଛି। ଆୱାମୀ ଲିଗର ୩୦ ରୁ ୪୦ ପ୍ରତିଶତ ସମର୍ଥକଙ୍କ ବ୍ୟତୀତ ବାକି ମତଦାତା କାହା ସପକ୍ଷରେ ତାହା ଜଣାପଡ଼ୁ ନାହିଁ। ଏଥିପାଇଁ ବିଏନପି ଏବଂ ଜମାତ ସେମାନଙ୍କୁ ନିଜ ଆଡ଼କୁ ଟାଣିବାକୁ ସୋସିଆଲ ମିଡିଆରେ ଜୋରଦାର ପ୍ରଚାର ଚଳାଇଥିଲେ। ତେବେ ବାଂଲାଦେଶର ପ୍ରତି ସଂସଦୀୟ କ୍ଷେତ୍ରରେ ପ୍ରାୟ ୪ ଲକ୍ଷ ମତଦାତା ଅଛନ୍ତି। ଏମିତିରେ ମାତ୍ର କିଛି ହଜାର ଭୋଟର ନିର୍ବାଚନର ଗତି ପରିବର୍ତ୍ତନ କରିପାରେ ବୋଲି ଅନୁମାନ କରାଯାଉଛି। 

ସୂଚନା ଥାଉକି, ଗତ ୧୮ ମାସ ହେଲା ବାଂଲାଦେଶ ହିଂସା, ନରସଂହାର, ଲୁଟପାଟ୍ ଏବଂ ଅବ୍ୟବସ୍ଥା ଦେଇ ଗତି କରୁଛି। ଅଗଷ୍ଟ ୨୦୨୪ରେ ଛାତ୍ର ଆନ୍ଦୋଳନରେ ହୋଇଥିବା କ୍ରାନ୍ତି ଶେଖ ହସିନାଙ୍କ ୧୫ ବର୍ଷର ସରକାରକୁ ଓପାଡ଼ି ଫୋପାଡି ଦେଇଥିଲା। ଆୱାମୀ ଲିଗ୍ ସରକାରର ପତନ ପରେ ହସିନା ବାଂଲାଦେଶ ଛାଡ଼ି ଭାରତ ପଳାୟନ କରିଥିଲେ। ଏହାପରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ହାତରେ ଶାସନ ଭାର ଥିଲା। ହେଲେ ଏହି ୧୮ ମାସ ବାଂଲାଦେଶ ପାଇଁ କଳା ଦିନ ଥିଲା। ଏହି ସମୟ ଭିତରେ ଦେଶରେ ରକ୍ତପାତ ହୋଇଛି, ୧୪୦୦ରୁ ଅଧିକ ମୁଣ୍ଡ ଗଡ଼ିଛି। 

ଏହି ଖବରଟିକୁ ପଢନ୍ତୁ- ଆଜି ବାଂଲାଦେଶରେ ସାଧାରଣ ନିର୍ବାଚନ, ୨୦୩୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୨.୭୭ କୋଟି ଭୋଟର