ନୂଆଦିଲ୍ଲୀ: ବାଂଲାଦେଶରେ ସାଧାରଣ ନିର୍ବାଚନ ସହିତ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ଶେଷ ହୋଇଛି । ବିଏନପି ବଡ଼ ବିଜୟ ସହିତ ସରକାର ଗଠନ ନେଇ ପ୍ରସ୍ତୁତି ହେଉଛି । ଅନ୍ୟପଟେ ନିର୍ବାଚନ ଫଳ ବାହାରିବା ସହିତ ପାକିସ୍ତାନ ସମର୍ଥକ କୁହାଯାଉଥିବା କଠୋରପନ୍ଥୀ ସଂଗଠନ ଜମାତ-ଏ-ଇସଲାମୀର ମୁହଁ କଳା ପଡ଼ିଯାଇଛି । ବାଂଲାଦେଶରେ ସରକାର ଗଠନ କରିବା ସ୍ବପ୍ନ ଭାଙ୍ଗି ଯାଇଛି । ହେଲେ ୭୦ ଆସନ ସହିତ ମୁଖ୍ୟ ବିରୋଧୀ ଦଳ ଭାବେ ବାଂଲାଦେଶ ସଂସଦରେ ଉଭା ହୋଇଥିବା ଜମାତ-ଏ-ଇସଲାମୀ, ଭାରତ ଏବଂ ନୂଆ ସରକାରଙ୍କ ସମ୍ପର୍କରେ ବାଧକ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ପୂର୍ବରୁ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାରରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ନୂଆ ଠିକଣା ବାଂଲାଦେଶ ହୋଇଥିବା ବେଳେ ଅନ୍ୟପଟେ ଚୀନରୁ ସୈନ୍ୟ ଡ୍ରୋନ୍ ଡିଲ୍ କରି ଭାରତକୁ ଚିକେନ୍-ନେକ୍ ଧମକ ମଧ୍ୟ ଦେଇଛି । ଯାହାକୁ ନେଇ ଟେନସନରେ ପଡ଼ିଯାଇଛି ଭାରତ ।
ଜାତୀୟ ଗଣମାଧ୍ୟମ ଦି ଇକୋନୋମିକ୍ସ ଟାଇମ୍ସ ଆନୁଯାୟୀ, ଜମାତ-ଏ-ଇସଲାମୀ ସଂଗଠନ ବାଂଲାଦେଶ ସାଧାରଣ ନିର୍ବାଚନ ବେଳେ ସଂଖ୍ୟା ଲଘୁଙ୍କୁ ଫୋକସ୍ କରିଥିଲା ଏବଂ ଭାରତ ବିରୋଧୀ ଗତିବିଧିରେ ଲାଗିଥିବା କଠୋରପନ୍ଥୀଙ୍କ ଶକ୍ତିକୁ ବଢ଼ାଇଥିଲା । ରାସ୍ତାରେ ଭାରୀ ବିରୋଧ ପ୍ରଦର୍ଶନ ସତ୍ତ୍ବେ ବାଂଲାଦେଶ ଜନତା ଜମାତ-ଏ-ଇସଲାମୀ ପାର୍ଟିକୁ ସାଇଟ୍ କରି ବିଏନପିକୁ ବାଛିଛନ୍ତି । ବାଂଲାଦେଶର ବିକାଶକୁ ଫୋକସ୍ କରୁଥିବା ପାର୍ଟିକୁ ବିପୁଳ ବିଜୟ ଦେଇଛନ୍ତି । ତାରିକ୍ ରହମାନଙ୍କ ବାଂଲାଦେଶ ନ୍ୟାସନାଲ୍ ପାର୍ଟି ବିଏନପିକୁ ଦୁଇ-ତୃତୀୟଆଂଶ ବହୁମତରେ ବିଜୟ କରାଇଛନ୍ତି ।
ଭୋଟିଂ ଉପରେ ଆଓ୍ବାମୀ ଲିଗର ଥିଲା ନଜର:
ନିର୍ବାଚନ ସମୟରେ ଜମାତ-ଏ-ଇସଲାମୀ ପାର୍ଟିର ଭରସା ଥିବା କି ବାଂଲାଦେଶରୁ ବିତାଡ଼ିତ ହୋଇଥିବା ଶେଖ୍ ହସିନାଙ୍କ ଆଓ୍ବାମୀ ଲିଗର ଭୋଟରଙ୍କୁ ନିଜ ପକ୍ଷରୁ ଟାଣିନେବ ମାତ୍ର ଏହା ହୋଇନଥିଲା । ଏହାଛଡ଼ା ଜମାତ ପାର୍ଟିର ଏହା ମଧ୍ୟ ଭରସା ଥିଲା ଦେଶରେ ମହିଳା ଭୋଟର ଏବଂ ଯୁବବର୍ଗ ତାଙ୍କୁ ସମର୍ଥନ କରିବେ, ମାତ୍ର ତାହା ମଧ୍ୟ ହୋଇନଥିଲା । ଜମାତ-ଏ-ଇସଲାମୀ ସେହି ଦଳ, ଯିଏ ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମରେ ପାକିସ୍ତାନକୁ ସମର୍ଥନ କରିଥିଲା ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୋଷ୍ଟ ଦେଲା ବଡ଼ ସଙ୍କେତ:
ରକ୍ଷା ବିଶେଷଜ୍ଞ ଲେଫ୍ଟିନେଣ୍ଟ କର୍ଣ୍ଣେଲ୍ (ଅବସରପ୍ରାପ୍ତ) ଜେ.ଏସ୍. ସୋଢ଼ୀ କହିଛନ୍ତି, ୧୩ ଫେବ୍ରୁଆରୀ ସକାଳ ୯ଟାରେ ବାଂଲାଦେଶରେ ବିଏନପିର ବଡ଼ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରି ଅଭିନନ୍ଦନ ଜଣାଇଥିଲେ। ସେ ଲେଖିଥିଲେ, ‘ଏ ବିଜୟ ବାଂଲାଦେଶ ଜନତାଙ୍କ, ଆପଣଙ୍କ ନେତୃତ୍ୱ ପ୍ରତି ଆସ୍ଥାକୁ ପ୍ରକାଶ କରୁଛି।‘
ଏହି ପୋଷ୍ଟ ବାଂଲାଦେଶ ସହ ପୁଣିଥରେ ଭାରତର ମଜବୁତ ସମ୍ପର୍କ ଗଢ଼ିଉଠିବାର ଏକ କୂଟନୀତିକ ସନ୍ଦେଶ ଥିଲା। ଚୀନ ଓ ପାକିସ୍ତାନ ପୂର୍ବରୁ ଭାରତ, ବାଂଲାଦେଶର ନୂତନ ନେତୃତ୍ୱକୁ ସ୍ୱାଗତ କରି ରଣନୀତିକ ଟ୍ରମ୍ପ କାର୍ଡ ଖେଳିଥିବା ମନେ କରାଯାଉଛି । ବିଏନପିର ରାଜନୈତିକ ଚିନ୍ତା ଧାରା ପ୍ରାୟ ଦକ୍ଷିଣପନ୍ଥୀ ଚିନ୍ତାଧାରା ସହ ମେଳ ଖାଉଛି । ବିଜେପି ସହ ଧାରଣା ଭାବେ ନିକଟତର ବୋଲି ଧରାଯାଏ। ଏହି ପରିପ୍ରେକ୍ଷିତରେ ଭାରତ ପାଇଁ ବିଏନପି ଏକ ସ୍ଥିର ଏବଂ ଶକ୍ତିଶାଳୀ ସରକାର ଏବଂ ଏକ କୁଟନୈତିକ ବିକଳ୍ପ ବୋଲି କୁହାଯାଉଛି ।
ଅଧିକ ପଢ଼ନ୍ତୁ-ପାହାଡ଼ ଖୋଳି ପରମାଣୁ ଠିକଣା ତିଆରି କରିଛି ଚୀନ, ସାଟେଲାଇଟ୍ ଫଟୋରୁ ବଢିଲା ଟେନସନ୍