ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶେଖ ହସିନାଙ୍କ ବାସଭବନକୁ କ୍ରାନ୍ତି ସଂଗ୍ରହାଳୟ (ମ୍ୟୁଜିୟମ୍‌) କରିବେ ଦେଶର ଅନ୍ତରୀଣ ସରକାର । ହସିନା ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ଏବଂ ଦେଶରୁ ପଳାୟନ କରିବାକୁ ବାଧ୍ୟ କରିଥିବା ଆନ୍ଦୋଳନର ସବୁ ପ୍ରତୀକକୁ ଏହି ମ୍ୟୁଜିୟମ୍‌ରେ ରଖିବାକୁ ନିଷ୍ପତ୍ତି ହୋଇଛି । ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ନୋବେଲ ଶାନ୍ତି ବିଜେତା ମହମ୍ମଦ ୟୁନୁସ କହିଛନ୍ତି, ‘ମ୍ୟୁଜିୟମରେ ହସିନାଙ୍କ କୁଶାସନ, ଲୋକଙ୍କ କ୍ରୋଧ ଏବଂ ଶେଷରେ ସରକାରର ପତନ ସଂପର୍କରେ ପ୍ରତିଟି ତଥ୍ୟକୁ ସ୍ଥାନ ଦିଆଯିବ । 

 ଅଗଷ୍ଟ ୫ରେ ଶେଖ ହସିନା ବାଂଲାଦେଶ ଛାଡ଼ି ଭାରତ ଚାଲିଆସିବା ପରେ ଦେଶର ଅନ୍ତରୀଣ ସରକାରରେ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି ୮୪ ବର୍ଷୀୟ ୟୁନୁସ । ୧୫ ବର୍ଷର ଶାସନ କାଳରେ ଶେଖ ହସିନାଙ୍କ ବିରୋଧରେ ବହୁ ସଙ୍ଗୀନ ଅଭିଯୋଗ ଆସିଛି । ଗଣବନ୍ଦୀ ଏବଂ ଜେଲରେ ହତ୍ୟା ଆଦି ମାମଲା ବୃଦ୍ଧି ପାଇଥିଲା ବୋଲି କୁହାଯାଏ । ହସିନା ବିରୋଧୀ ଆନ୍ଦୋଳନରେ ପ୍ରାୟ ୭୦୦ ଲୋକଙ୍କ ଜୀବନ ଯାଇଥିଲା । ଚଳିତ ମାସ ବାଂଲାଦେଶର ଏକ କୋର୍ଟ ଶେଖ ହସିନାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛନ୍ତି । ତେବେ ଶେଖ ହସିନାଙ୍କ ବାସଭବନ ମ୍ୟୁଜିୟମ୍‌ ହେବାକୁ ଥିବା ବେଳେ ତାଙ୍କ ଶାସନ କାଳର କେତେକ କୁପ୍ରଥାକୁ ଏଥିରେ ସ୍ଥାନ ଦିଆଯିବ ବୋଲି ଜଣାପଡ଼ିଛି ।  

 ଏହି ମ୍ୟୁଜିୟମରେ ‘ଆଇନାଘର’ ରହିବ । ଏହା ଦର୍ଶକଙ୍କୁ ପୂର୍ବ ସରକାରରେ ଗୁପ୍ତ ଭାବେ ସଜ୍ଜା କାଟୁଥିବା ଲୋକଙ୍କ କରୁଣ କାହାଣୀ ଦେଖାଇବ ବୋଲି ମହମ୍ମଦ ୟୁନୁସ କହିଛନ୍ତି । ସେପଟେ ଡିସେମ୍ବରରୁ ମ୍ୟୁଜିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ୟୁନୁସଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ ଅପୂର୍ବ ଜାହାଙ୍ଗିର ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଦେଶ ଛାଡ଼ି ଭାରତ ଆସିବା ପରଠାରୁ ୭୭ ବର୍ଷୀୟା ଶେଖ ହସିନାଙ୍କୁ ସାର୍ବଜନୀନ ସ୍ଥାନରେ ଦେଖିବାକୁ ମିଳିନାହିଁ ।