ଢାକା,୨୧।୫:  ବାଂଲାଦେଶର ପାସପୋର୍ଟରେ ‘ଇସ୍ରାଏଲ ବ୍ୟତୀତ’ ବା'Except Israel'ବାକ୍ୟାଶଂ ପୁଣିଥରେ ଫେରିବାକୁ ଯାଉଛି। ଶେଖ ହାସିନାଙ୍କ କାର୍ଯ୍ୟକାଳରେ ବାଂଲାଦେଶୀ ପାସପୋର୍ଟରେ ଏହାକୁ ଛାପିବା ବନ୍ଦ କରି ଦିଆଯାଇଥିଲା। ଯଦିଓ ସେତେବେଳେ ବାଂଲାଦେଶୀ ପାସପୋର୍ଟ ଇସ୍ରାଏଲର ଏଭଳି ବ୍ୟବହାର ଉପରେ କଟକଣା ଜାରି କରିଥିଲା। ଏବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି)ର ନେତୃତ୍ବାଧିୀନ ସରକାର ଏହାକୁ ପୁଣିଥରେ ସାମିଲ କରିବା କରିବା ଦିଗରେ ଆଗକୁ ବଢୁଛି। ଏହାଛଡା ଧନମଣ୍ଡି ୩୨, ବଙ୍ଗବନ୍ଧୁଙ୍କ ସମାଧିସ୍ଥଳକୁ ପାସପୋର୍ଟରୁ ହଟାଇ ଦିଆଯିବ। ବାଂଲାଦେଶ ବ୍ୟତୀତ ପାକିସ୍ତାନୀ ପାସପୋର୍ଟରେ ମଧ୍ୟ 'Except Israel'ଥିବା ସର୍ତ୍ତ ଛପା ହୋଇଥାଏ।

ବାଂଲାଦେଶୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଅଧିକାରୀମାନେ କହିଛନ୍ତି ଏଭଳି ପଦକ୍ଷେପର ଉଦେଶ୍ୟ ବାଂଲାଦେଶର ବିଦେଶ ନୀତି, ଜନଭାବନା ଓ ପାଲେଷ୍ଟାନୀୟ ପ୍ରସଙ୍ଗ ଉପରେ ଦେଶରେ ଦୀର୍ଘ ସମୟ ଧରି ଚାଲିଥିବା ଆଭିମୁଖ୍ୟର ଅନୁରୂପ ଚାଲିବା। ଏହା ପୂର୍ବରୁ ମହମ୍ମଦ ୟୁନୁସଙ୍କ ନେତୃତ୍ବାଧୀନ ଅନ୍ତରୀଣ ସରକାରଙ୍କ କାର୍ଯ୍ୟକାଳ ବେଳେ ଗତ ବର୍ଷ ୭ ଏପ୍ରିଲରେ ଗୃହମନ୍ତ୍ରଣାଳୟ ଏକ ପତ୍ର ଜାରି କରି 'Except Israel' ବାକ୍ୟାଶଂକୁ ପୁଣିଥିରେ ସାମିଲ କରିବା ନେଇ ଜରୁରୀ ପଦକ୍ଷେପ ଗ୍ରହଣ କରିବାର ନିର୍ଦେଶ ଦେଇଛି। ତେବେ ସେତେବେଳେ ଏହି ପରିବର୍ତ୍ତନ କେବଳ ରାଜନୈତିକ ପାସପୋର୍ଟରେ କରାଯାଉଥିଲା।

ଚଳିତ ବର୍ଷ ଫେବୃଆରୀରେ ହୋଇଥିବା ନିର୍ବାଚନରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବଡ଼ ଧରଣର ବିଜୟ ହାସଲ କରିଥିଲା। ଏହା ପରେ, ତାରିକ ରହମାନଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। ଦାୟିତ୍ୱ ଗ୍ରହଣ କରିବା ପରେ ତୁରନ୍ତ, ରହମାନ ବାଂଲାଦେଶର ପାସପୋର୍ଟ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଥିଲେ। ବାଂଲାଦେଶ ଗୃହ ମନ୍ତ୍ରଣାଳୟ ଚଳିତ ବର୍ଷ ଏପ୍ରିଲରେ ପାସପୋର୍ଟରେ ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରି ଅନେକ ବୈଠକ କରିଥିଲା। ପରବର୍ତ୍ତୀ ସମୟରେ ବାଂଲାଦେଶ ସରକାର ପରିବର୍ତ୍ତନ ପାଇଁ ଅନୁମୋଦନ ପ୍ରଦାନ କରିଥିଲେ।

ପାସପୋର୍ଟରେ କାହିଁକି ପରିବର୍ତ୍ତନ କରୁଛି ବାଂଲାଦେଶ ?

-ଲୋକମାନେ ବିଶ୍ୱାସ କରନ୍ତି ଯେ'Except Israel'ବାକ୍ୟାଂଶକୁ ପୁନଃସ୍ଥାପିତ କରି ଏବଂ ପାସପୋର୍ଟ ୱାଟରମାର୍କକୁ ପୁଣିଥରେ ଡିଜାଇନ୍ କରି, ନୂତନ ସରକାର ବାଂଲାଦେଶର ପରିଚୟର କିଛି ପ୍ରତୀକାତ୍ମକ ଦିଗଗୁଡ଼ିକୁ ନୂଆ ରୂପ ଦେବା ଦିଗରେ ଆଗକୁ ବଢୁଛନ୍ତି।

-ପୂର୍ବରୁ, ବାଂଲାଦେଶୀ ପାସପୋର୍ଟରେ ଲେଖା ହେଉଥିଲା ଏହି ଡକ୍ୟୁମେଣ୍ଟ ଇସ୍ରାଏଲ ବ୍ୟତୀତ ବିଶ୍ୱର ସମସ୍ତ ଦେଶ ପାଇଁ ବୈଧ। ସେବେଠାରୁ, ବିଭିନ୍ନ ଗୋଷ୍ଠୀ ଦାବି କରିଛନ୍ତି ଯେ ଏହି ବାକ୍ୟାଂଶକୁ ଇ-ପାସପୋର୍ଟରେ ପୁଣିଥରେ ସାମିଲ କରାଯାଉ।

-ବାଂଲାଦେଶର ନୂଆ ସରକାର ଇସ୍ରାଏଲ ବିରୋଧରେ ଆକ୍ରମଣ ବିଦେଶୀ ନୀତି ଚଳାଇବାର ଯୋଜନା ତିଆରି କରୁଛି, ଯାହାଫଳରେ କଟ୍ଟରପନ୍ଥୀଙ୍କୁ ସହଜରେ ପ୍ରଲୋଭିତ କରିହେବ, ଯିଏ ଇସ୍ରାଏଲ ବିରୋଧି ବିଚାରଧାରା ରଖନ୍ତି।

- ଏହାଛଡା ନୂଆ ସରକାର ପାସପୋର୍ଟରେ ବ୍ୟାପକ ପରିବର୍ତ୍ତନ କରି ଆବାମୀ ଲିଗ୍ ସମ୍ପର୍କିତ ସବୁ ପ୍ରତୀକକୁ ମଧ୍ୟ ଶେଷ କରିବାକୁ ଚାହେଁ, ଯେଉଁଥିରେ ବଙ୍ଗବନ୍ଧୁ ଓ ତାଙ୍କ ସହ ଜଡିତ ଐତିହାସିକ ସମାଧିସ୍ଥଳର ଛବି ରହିଛି।

ନୂଆ ପାସପୋର୍ଟରେ ଲାଗୁ ହେବ ପରିବର୍ତ୍ତନ

ଏହି ପରିବର୍ତ୍ତନ ବର୍ତ୍ତମାନ ପାଇଁ ନୂତନ ପାସପୋର୍ଟ ପାଇଁ ଲାଗୁ ହେବ। ପୂର୍ବରୁ ଜାରି ହୋଇଥିବା ପାସପୋର୍ଟଗୁଡ଼ିକୁ ଫେରାଇ ନିଆଯିବ ନାହିଁ। ପୂର୍ବରୁ ଜାରି ହୋଇଥିବା ପାସପୋର୍ଟର ମିଆଦ ଶେଷ ହେବା ଏବଂ ପୁନଃପ୍ରଦାନ ପାଇଁ ଆବେଦନ କରାଯିବା ପରେ,'Except Israel'ବାକ୍ୟାଂଶ ଥିବା ନୂତନ ପାସପୋର୍ଟ ଜାରି କରାଯିବ।

ଆହୁରି ପଢନ୍ତୁ : ସ୍ଥିତି ସମ୍ଭାଳି ପାରୁନାହାନ୍ତି ତାରିକ ସରକାର : ଢାକାରେ ହେବ ବଡ଼ ଧରଣର ‘ପାୱାର ସିଫ୍ଟ’, ଫେରିବେ ଶେଖ୍ ହାସିନା !