ନୂଆଦିଲ୍ଲୀ: ବାଂଲାଦେଶ ସରକାର ଚୀନ୍ ଠାରୁ ୨୦ ଟି J-10CE ଯୁଦ୍ଧ ବିମାନ କିଣିବାକୁ ଯୋଜନା କରୁଛନ୍ତି । ଏହି ଚୁକ୍ତିର ମୂଲ୍ୟ ପ୍ରାୟ ୨.୨ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୧୮,୫୦୦ କୋଟି ଟଙ୍କା ) ବୋଲି ଜଣାପଡ଼ିଛି । ରିପୋର୍ଟ ଅନୁଯାୟୀ, ଚୁକ୍ତିନାମାରେ ତାଲିମ, ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ ବୈଷୟିକ ସେବା ମଧ୍ୟ ଅନ୍ତର୍ଭୁକ୍ତ । ୨୦୩୬ ପର୍ଯ୍ୟନ୍ତ କିସ୍ତି ମାଧ୍ୟମରେ ସମସ୍ତ ଟଙ୍କା ଦେବେ ସରକାର । ଏହି ଚୁକ୍ତିନାମା ଉପରେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ । ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ କହିଛନ୍ତି, ‘ମୁଁ ଏହି ବିଷୟରେ କୌଣସି ମନ୍ତବ୍ୟ ଦେବି ନାହିଁ। ମୁଁ କିଛି ଜାଣିଛି ବୋଲି କହିବା ଅର୍ଥ ନୁହେଁ ଯେ, ମୁଁ ସବୁକିଛି କହିବା ଉଚିତ।’
ସୂତ୍ର ଅନୁସାରେ, ବାଂଲାଦେଶ ସରକାର ଅକ୍ଟୋବର ୨୦୨୫ ରେ ଚୀନର J-10CE ମଲ୍ଟିରୋଲ ଲଢ଼ୁଆ ବିମାନ କ୍ରୟକୁ ଅନୁମୋଦନ କରିଛନ୍ତି। ଏହି ୨୦ଟି ବିମାନ ୨୦୨୭ ସୁଦ୍ଧା ମିଳିବ । ଏଗୁଡ଼ିକର ମୋଟ ମୂଲ୍ୟ ୨.୨ ବିଲିୟନ (ପ୍ରାୟ ୧୮,୫୦୦ କୋଟି) ହେବ । ଏହି ଚୁକ୍ତିରେ ତାଲିମ ଏବଂ ସ୍ପେୟାର ପାର୍ଟସ୍ ଅନ୍ତର୍ଭୁକ୍ତ । ୧୦ ବର୍ଷ ମଧ୍ୟରେ ଚୀନ୍କୁ ସବୁ ଟଙ୍କା କିସ୍ତି ମାଧ୍ୟମରେ ଦେବେ ବାଂଲାଦେଶ ସରକାର । J-10CE ବିମାନ ୪.୫ ପିଢ଼ିର ହୋଇଥିବା ବେଳେ ଏଥିରେ ଏଇଏସଏ ରାଡାର, ପିଏଲ-୧୫ଇ କ୍ଷେପଣାସ୍ତ୍ର ଏବଂ ଉନ୍ନତ ଡାଟା ଲିଙ୍କ ସହିତ ସଜ୍ଜିତ ହେବ। ଚୀନ୍ ଏବଂ ପାକିସ୍ତାନ ପରେ ତୃତୀୟ ଦେଶ ଭାବରେ ବାଂଲାଦେଶ ପାଖରେ ଏହି ଆଧୁନିକ ପିଢ଼ିର ଲଢ଼ୁଆ ବିମାନ ରହିବ । ବାୟୁସେନା ମୁଖ୍ୟ ମାର୍ଶଲ ହାସନ ମହମୁଦ ଖାନ କହିଛନ୍ତି ଯେ, ସରକାର ମଲ୍ଟିରୋଲ ଜେଟ୍, ଭୂପୃଷ୍ଠରୁ ଆକାଶ କ୍ଷେପଣାସ୍ତ୍ର ଏବଂ ଦୂରଗାମୀ ରାଡାର କ୍ରୟକୁ ଅନୁମୋଦନ କରିଛନ୍ତି ।
ବାଂଲାଦେଶ ଦ୍ରୁତ ଗତିରେ ଏହାର ବାୟୁ କ୍ଷମତାକୁ ବିସ୍ତାର କରୁଛି ଏବଂ ଫୋର୍ସ ଗୋଲ ୨୦୩୦ ଅନ୍ତର୍ଗତ ଏକ ଆଧୁନିକ ବାୟୁସେନା ନିର୍ମାଣ ଦିଗରେ ଅଗ୍ରସର ହୋଇଛି। ଏହି ପଦକ୍ଷେପ ୨୦୦୯ ମସିହାରେ ଆରମ୍ଭ ହୋଇଥିଲା, କିନ୍ତୁ ୨୦୧୭ ପରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି ଦେଖାଯାଇଥିଲା। J-10CE ଚୀନ ବାୟୁସେନାରେ ସାମିଲ ରହିଛି । ପ୍ରତିରକ୍ଷା ବିଶେଷଜ୍ଞ ମେଜର ଜେନେରାଲ (ଅବସରପ୍ରାପ୍ତ) ମୁନିରୁଜ୍ଜମାନ୍ ଗଣମାଧ୍ୟମକୁ କହିଛନ୍ତି ଯେ, ବାଂଲାଦେଶ ବାୟୁସେନା ଦୀର୍ଘ ଦିନ ଧରି ନୂତନ ଯୁଦ୍ଧ ବିମାନ କିଣିବାକୁ ଯୋଜନା କରୁଛି। ଆଜିର ବିଶ୍ୱରେ କୌଣସି ଦେଶରୁ ବିମାନ କିଣିବା ପୂର୍ବରୁ ଏହାର ପ୍ରଭାବ ବିଶ୍ଳେଷଣ କରିବା ଗୁରୁତ୍ୱପୂର୍ଣ୍ଣ।
ବର୍ତ୍ତମାନ ବାଂଲାଦେଶ ବାୟୁସେନା ପାଖରେ ୨୧୨ଟି ବିମାନ ରହିଛି । ଏଥି ମଧ୍ୟରୁ ୪୪ଟି ଲଢ଼ୁଆ ବିମାନ। ଏଥିରେ ୩୬ ଟି ଚୀନ୍ F-7 ଜେଟ୍, ୮ ଟି ରୁଷର MiG-29B ଏବଂ କିଛି Yak-130 ହାଲୁକା ଯୁଦ୍ଧ ବିମାନ ଅନ୍ତର୍ଭୁକ୍ତ। ଯଦି ଏହି ଚୁକ୍ତି ଚୂଡ଼ାନ୍ତ ହୁଏ, ତେବେ ବାଂଲାଦେଶ ବାୟୁସେନାର ଯୁଦ୍ଧ କ୍ଷମତାରେ ଏକ ବିରାଟ ବୃଦ୍ଧି ହେବ । ୨୦୨୫ ମେ ଏବଂ ଅକ୍ଟୋବର ମାସରେ ବାୟୁସେନା ମୁଖ୍ୟ ହାସନ ମହମୁଦ ଖାନଙ୍କ ଇଟାଲୀ ଏବଂ ତୁର୍କୀ ଗସ୍ତ ବାଂଲାଦେଶର ପ୍ରତିରକ୍ଷା ସହଯୋଗ ପାଇଁ ନୂତନ ରାସ୍ତା ଖୋଲିଛି । ଇଟାଲୀରେ ସେ ଲିଓନାର୍ଡୋର ପ୍ଲାଣ୍ଟ ପରିଦର୍ଶନ କରିଥିଲେ । ଯେଉଁଠାରେ ସେ ଉନ୍ନତ ରାଡାର, ଟ୍ରାକିଂ ସିଷ୍ଟମ ଏବଂ ହେଲିକପ୍ଟର କ୍ରୟ ବିଷୟରେ ଆଲୋଚନା କରିଥିଲେ। ତୁର୍କୀରେ ଅକ୍ଟୋବର ୧ ରୁ ୬ ପର୍ଯ୍ୟନ୍ତ ସେ ତୁର୍କୀସ୍ ଏରୋସ୍ପେସ୍ ଇଣ୍ଡଷ୍ଟ୍ରିଜ୍ ସମେତ ଅନେକ ପ୍ରତିରକ୍ଷା କମ୍ପାନୀ ସହିତ ଆଲୋଚନା କରିଥିଲେ ।ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା, କ୍ଷେପଣାସ୍ତ୍ର ପ୍ରତିରୋଧୀ ପ୍ରଣାଳୀ ଏବଂ ନିରୀକ୍ଷଣ ଉପକରଣ ପାଇଁ ତୁର୍କୀ ସହିତ ସମ୍ଭାବ୍ୟ ଚୁକ୍ତିନାମା ବିଷୟରେ ମଧ୍ୟ ଆଲୋଚନା ହୋଇଛି।