ଢାକା,୨୦।୧୨: ବାଂଲାଦେଶ ବର୍ତ୍ତମାନ ହିଂସା ଏବଂ ଅଶାନ୍ତିରେ ବୁଡ଼ି ରହିଛି। ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ଢାକା ସମେତ ଅନେକ ସହରରେ ପ୍ରତିବାଦ, ଭଙ୍ଗାରୁଜା ଏବଂ ପୋଡ଼ାଜଳା ଆରମ୍ଭ ହୋଇଛି। ଏହି ଅଶାନ୍ତ ପରିବେଶ ମଧ୍ୟରେ, ସାମ୍ପ୍ରଦାୟିକ ହିଂସାର ଆଉ ଏକ ଦୁଃଖଦ ଘଟଣା ଘଟିଛି, ବାଂଲାଦେଶର ମାୟମନାସିଂହ ଜିଲ୍ଲାରେ ଭିଡ଼ ହିଂସାରେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେକୁ ନେଇ ଜାରିଆଡେ ସମାଲୋଚନା ପରେ ଶେଷରେ  ଏବେ ୭ ଜଣଙ୍କୁ ଗିରଫ କରାଯାଇଛି।

ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଶନିବାର ଘୋଷଣା କରିଛନ୍ତି ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ। ୟୁନୁସ୍ ପ୍ରଶାସନ ଅନୁଯାୟୀ, ମୃତ ବ୍ୟକ୍ତି ଜଣକ ହେଉଛନ୍ତି ୨୭ ବର୍ଷୀୟ ଦୀପୁ ଚନ୍ଦ୍ର ଦାସ। ସେ ଜଣେ ହିନ୍ଦୁ ଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ସେୟାର କରାଯାଇଥିବା ଏକ ବିବୃତ୍ତିରେ ୟୁନୁସ୍ କହିଛନ୍ତି,ଦୀପୁଙ୍କୁ ନିର୍ମମ ଭାବରେ ମାଡ଼ ମରାଯାଇଥିଲା, ଯାହା ଫଳରେ ତାଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ରାପିଡ୍ ଆକ୍ସନ୍ ବାଟାଲିଅନ୍ (RAB) ଏହି ମାମଲାରେ ସାତ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ମହମ୍ମଦ ଲିମନ ସରକାର (୧୯), ମହମ୍ମଦ ତାରିକ ହୁସେନ (୧୯), ମହମ୍ମଦ ମାନିକ ମିଆଁ (୨୦), ଇରଶାଦ ଅଲି (୩୯), ନିଜୁମ୍ ଉଦ୍ଦିନ (୨୦), ଆଲମଗିର ହୁସେନ (୩୮), ଏବଂ ମହମ୍ମଦ ମିରାଜ ହୁସେନ ଏକନ୍ (୪୬) ଅନ୍ତର୍ଭୁକ୍ତ।

ଏହି ଘଟଣା ସେହି ସମୟରେ ହୋଇଥିଲ ଯେତେବେଳେ ଦେଶରେ ଯୁବ ନେତା ଶରିଫ୍ ଉସ୍ମାନ ହାଦିଙ୍କ ମୃତ୍ୟୁ ପରେ ବିବାଦ ଓ ହିଂସା ବଢି ଯାଇଥିଲା। ହାଦି ଗତ ବର୍ଷ ଛାତ୍ର ନେତୃତ୍ୱାଧୀନ ଜୁଲାଇ ଆନ୍ଦୋଳନର ଜଣେ ପ୍ରମୁଖ ବ୍ୟକ୍ତି ଏବଂ ଇନକିଲାବ ମଞ୍ଚର ମୁଖପାତ୍ର ମଧ୍ୟ ଥିଲେ। ଡିସେମ୍ବର ୧୨ ତାରିଖରେ ଢାକାରେ ଆକ୍ରମଣକାରୀମାନେ ହାଦିଙ୍କ ମୁଣ୍ଡକୁ ଗୁଳି ମାରିଥିଳେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ସିଙ୍ଗାପୁର ନିଆଯାଇଥିଲା, ଯେଉଁଠାରେ ଗୁରୁବାର ତାଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା। ଏହା ପରେ ଢାକା ସମେତ ଅନେକ ସହରରେ ହିଂସାତ୍ମକ ପ୍ରତିବାଦ ଆରମ୍ଭ ହୋଇଥିଲା। ବାଂଲାଦେଶର ଅନ୍ତରୀଣ ସରକାର ହିନ୍ଦୁ ଯୁବକଙ୍କ ହତ୍ୟାକୁ ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି, ନୂତନ ବାଂଲାଦେଶରେ ଏପରି ହିଂସାର କୌଣସି ସ୍ଥାନ ନାହିଁ। ଏହି ଘୃଣ୍ୟ ଅପରାଧରେ ସମ୍ପୃକ୍ତ ଯେକୌଣସି ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯିବ। ୟୁନୁସ୍ ପ୍ରଶାସନ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ, ଗୁଜବରୁ ଦୂରେଇ ରହିବାକୁ ଏବଂ କୌଣସି ପ୍ରକାରର ହିଂସା କିମ୍ବା ଉତ୍ତେଜନାରେ ଲିପ୍ତ ନ ରହିବାକୁ ନିବେଦନ କରିଛନ୍ତି।

ଆହୁରି ପଢନ୍ତୁ: ପିଟି ପିଟି ମାରି ଦେଲେ, ଗଛରେ ଟାଙ୍ଗି ନିଆଁ ଲଗାଇ ଦେଲେ; ଅଶାନ୍ତ ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ନିର୍ମମ ହତ୍ୟା