ଜଗତସିଂହପୁର ୧୭/୧୧: ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ। ସଦର ଥାନା ବେହେରାମପୁର ବସ୍ତିରେ ଘର ଉପରେ ବୁଲିଲା ବୁଲଡୋଜର। ସରକାରୀ ଜାଗାରେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଘର ମାଟିରେ ମିଶିଲା। ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଭଙ୍ଗାଗଲା ୧୦ ବଖରା ଘର। ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏନେଇ ଜିଲ୍ଳାପାଳ କହିଛନ୍ତି ମାମଲାକୁ ଗୁରୁତ୍ବର ସହ ନେଇଛୁ, ସବୁ ଦିଗରୁ ତଦନ୍ତ ଚାଲିଛି।

ସୂଚନା ଅନୁଯାୟୀ, ରବିବାର ସଂଧ୍ୟାରେ କିଛି ସନ୍ଦିଗ୍ଧ ବାଂଲାଦେଶୀ ବେହେରାମପୁରରେ ଏକ ଘରେ ସନ୍ଦେହଜନକ କାରବାରରେ ଲିପ୍ତ ଥିବାର ଖବର ମିଳିଥିଲା । ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲା ତଦନ୍ତ । ଏହି ସମୟରେ ହଠାତ୍ ପୁଲିସ ଉପରକୁ ଅତର୍କିତ ଆକ୍ରମଣ ହୋଇଥିଲା । ପୁଲିସ ଓ ସନ୍ଦିଗ୍ଧ ବାଂଲାଦେଶୀଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଯେଉଁଥିରେ ଆଡିସନାଲ ଏସ୍ପିଙ୍କ ସମେତ ୨ କନେଷ୍ଟବଳ ଆହତ ହୋଇଥିଲେ ।

ସେପଟେ ଏହି ଚଢାଉ ସମୟରେ ପୁଲିସକୁ ଏକ ବନ୍ଧୁକ ସହ ବିପୁଳ ପରିମାଣରେ ଖଣ୍ଡା, କଟୁରୀ ଆଦି ମାରଣାସ୍ତ୍ର ଜବତ ହୋଇଥିଲା । ହେଲେ ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଘର ମାଲିକ ସିକନ୍ଦର ଆଲାମ ଓରଫ ସିକୁ ଫେରାର ହୋଇଯାଇଥିଲା । ତେବେ ବେଆଇନ୍ ଭାବେ ଏତ ପରିମାଣର ଅସ୍ତ୍ରଶସ୍ତ୍ର କିପରି ଘରେ ରଖିଥିଲେ । ତାକୁ ନେଇ ପୁଲିସ ତଦନ୍ତ କରିଥିଲା । ଏହିକ୍ରମରେ ସୋମବାର ଦିନ ସରକାରୀ ଜାଗରେ ନିର୍ମାଣ ହୋଇଥିବା ୧୦ ବଖରା ଘରକୁ ଭାଙ୍ଗିଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ ପୁଲ ଫୋର୍ସ ମୁତୟନ କରାଯାଇଛି ।