ୱାଶିଂଟନ ଡିସି,୧୮/୦୪: ଟାଇମ ମାଗାଜିନ ପକ୍ଷରୁ ଚଳିତବର୍ଷ (୨୦୨୫) ପାଇଁ  ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ କରାଯାଇଛି । ଏଥିରେ ବାଂଲାଦେଶ ସରକାରର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁସୁଫ ସ୍ଥାନ  ପାଇଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଚଳିତ ବର୍ଷର ଏହି ତାଲିକାରେ କୌଣସି ଭାରତୀୟ  ନାହାନ୍ତି । ପ୍ରଭାବଶାଳୀ ତାଲିକାରେ ଆମେରିକା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସହଯୋଗୀ  ତଥା ଅରବପତି ଏଲନ ମସ୍କ ସ୍ଥାନ ପାଇଛନ୍ତି ।  ଏଥର ଟ୍ରମ୍ପ ପ୍ରଶାସନର ୬ ସଦସ୍ୟ ତାଲିକାରେ  ରହିଛନ୍ତି । ଏହା ପୂର୍ବରୁ ଟ୍ରମ୍ପଙ୍କୁ ଟାଇମ ପତ୍ରିକା  ପକ୍ଷରୁ ୨୦୧୬ ଓ ୨୦୧୪ରେ ପର୍ସନ ଅଫ୍‌  ଦି ଇୟର ଭାବେ ମନୋନୀତ କରାଯାଇଥିଲା ।  

ଚଳିତବର୍ଷ ତାଲିକାରେ ପ୍ରସିଦ୍ଧ ଗାୟକ ଇଡି  ସିରନ, ଅଭିନେତ୍ରୀ ତଥା ଗାୟିକା ସ୍କାରଲେଟ  ଜୋହାନସନ ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ  ସ୍ଥାନ ପାଇଛନ୍ତି । ଏଥର ମାଗାଜିନରେ ୬ଟି ବର୍ଗରେ  ୩୨ଟି ଦେଶର ଲୋକେ ସାମିଲ ହୋଇଛନ୍ତି ।  ତାଲିକାରେ ୨୨ ବର୍ଷୀୟ ଫ୍ରାନ୍ସର ସନ୍ତରଣକାରୀ  ତୌରିକ ମର୍ଚ୍ଚାଣ୍ଟ ସବୁଠାରୁ କନିଷ୍ଠ ସଦସ୍ୟ ଭାବେ  ସ୍ଥାନ ପାଇଥିଲା ବେଳେ ୮୪ ବର୍ଷୀୟ ୟୁନୁସ  ସର୍ବାଧିକ ବୟସ୍କ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ।  ଟାଇମ ମାଗାଜିନ ପକ୍ଷରୁ ୨୦୦୪ରୁ ପ୍ରତିବର୍ଷ  ଏହି ତାଲିକା ପ୍ରକାଶ ପାଇଆସୁଛି ।

ଗତ ୨୧ ବର୍ଷ  ଭିତରେ ପ୍ରଥମଥର ପାଇଁ ତାଲିକାରେ କୌଣସି  ଭାରତୀୟଙ୍କୁ ସ୍ଥାନ ମିଳିନି । ଗତବର୍ଷ ୮ ଜଣ  ଭାରତୀୟ ସ୍ଥାନ ପାଇଥିଲେ। ଚୀନ୍‌ ରାଷ୍ଟ୍ରପତି  ସି. ଜିନପିଙ୍ଗ ସର୍ବାଧିକ ୧୩ଥର ସ୍ଥାନ ପାଇଥିଲା  ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ  ଓବାମା ୧୧ଥର, ଉତ୍ତର କୋରିଆ ଶାସକ କିମ୍‌  ଜଙ୍ଗ-ଉନ୍‌ ୮ଥର, ରୁଷ ରାଷ୍ଟ୍ରପତି ଭ୍ଲାଦିମିର  ପୁଟିନ ୭ ଥର ଏବଂ ଭାରତର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ୫ଥର ସ୍ଥାନ ପାଇଛନ୍ତି ।